ETV Bharat / international

Sudan Fighting: ସୁଦାନରେ ଗଲାଣି 400ରୁ ଅଧିକ ଜୀବନ, ଫସିଛନ୍ତି 3 ହଜାରରୁ ଊର୍ଦ୍ଧ୍ବ ଭାରତୀୟ

author img

By

Published : Apr 22, 2023, 1:16 PM IST

Updated : Apr 22, 2023, 1:40 PM IST

ସୁଦାନରେ ଥମିବାର ନାଁ ନେଉନି ହିଂସାକାଣ୍ଡ । ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ସଂଘର୍ଷରେ ଏବେସୁଦ୍ଧା 400 ଲୋକଙ୍କ ଜୀବନ ଯାଇଥିବାବେଳେ 3 ହଜାରରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Sudan Fighting
Sudan Fighting

ଖାର୍ତୁମ: ଅଶାନ୍ତ ରହିଛି ସୁଦାନ । ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସୂଚନା ଅନୁସାରେ ଏହି ସଂଘର୍ଷରେ ଏଯାବତ୍ 400ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । 3500ରୁ ଅଧିକ ଆହତ ହୋଇଛନ୍ତି । ଦେଶରେ ଖାଦ୍ୟ, ପାନୀୟ ଓ ବିଜୁଳ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ପାଖାପାଖି 5 ମିଲିୟନ ଲୋକେ ଘରେ ଫସି ରହିଛନ୍ତି । ତେବେ ସୁଦାନରେ ବହୁସଂଖ୍ୟକ ଭାରତୀୟ ନାଗରିକ ମଧ୍ୟ ଫସିଛନ୍ତି । 3000 ହଜାରରୁ ଅଧିକ ଭାରତୀୟ ସେଠାରେ ଫସି ରହିଥିବାର ସୂଚନା ମିଳିଛି ।

ଜେନେଭାଠାରେ WHO ମୁଖପାତ୍ର ମର୍ଗାରେଟ ହାରିସ୍ ଗଣମାଧ୍ୟମକୁ କହିଛନ୍ତି, ସୁଦାନ ହିଂସାରେ ଏବେସୁଦ୍ଧା 413 ଜଣଙ୍କର ମୃତ୍ୟୁ ହୋଇଛି । 3ହଜାର 551 ଜଣ ଆହତ ହୋଇଛନ୍ତି । UNICEF ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ 9 ଜଣ ଏବଂ ଆହତଙ୍କ ମଧ୍ୟରେ କେବଳ 50ରୁ ଅଧିକ ଶିଶୁ ରହିଛନ୍ତି । ସଂଘର୍ଷ ଯୋଗୁଁ ଏଠାରେ 20ଟି ହସ୍ପିଟାଲ ବନ୍ଦ ହୋଇ ଯାଇଥିବାବେଳେ 12ଟି ହସ୍ପିଟାଲ ବନ୍ଦ ହେବା ସ୍ଥିତିରେ ରହିଛି । ଯେଉଁ କାରଣରୁ ଆହତମାନଙ୍କ ଚିକିତ୍ସାରେ ସମସ୍ୟା ହେଉଛି । ହସ୍ପିଟାଲ ବାହାରେ ଗୁଳିଗୋଳା ବର୍ଷଣ କାରଣରୁ ମେଡିକାଲ କର୍ମଚାରୀ ଓ ଡାକ୍ତର ଭୟରେ ପଳାୟନ କରୁଛନ୍ତି ।

ସୁଦାନରେ ହିଂସା ଥମିବାର ନାଁ ନେଉନି । ଗତ 8 ଦିନ ହେଲାଣି ସଂଘର୍ଷ ଯୋଗୁଁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ରହିଛି । ଖାଦ୍ୟ, ପାଣି, ଔଷଧର ଅଭାବ ମଧ୍ୟ ସୃଷ୍ଟି ହୋଇଛି । ପାଖାପାଖି 5 ମିଲିୟନ ଲୋକେ ଭୋକ ଉପାସ ଓ ଅନ୍ଧାର ଭିତରେ ନିଜ ଘରେ ଫସି ରହିଛନ୍ତି । ସୁଦାନରେ କୁପୋଷଣ ହାର ସର୍ବାଧିକ । ଯଦି ଆଗକୁ ମଧ୍ୟ ହିଂସା ଲାଗି ରୁହେ ତାହାହେଲେ ଶିଶୁମାନଙ୍କୁ ଏହାର ପରିମାଣ ଭୋଗିବାକୁ ପଡିବ ବୋଲି UNICEF ମୁଖପାତ୍ର ଜେମସ୍ ଏଲଡର ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଏବେ ସୁଦାନରେ ପ୍ରାୟ 3 ହଜାର ଭାରତୀୟ ଫସି ରହିଛନ୍ତି । ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଭାରତୀୟ ଦୂତାବାସ ଚିନ୍ତାପ୍ରକଟ କରିବା ସହ ନ୍ୟୁୟର୍କରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉଚ୍ଚସ୍ତରୀୟ ବୈଠକ କରି ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ଭଳି ଆମେରିକା, ବ୍ରିଟେନ, ଜର୍ମାନୀ, ଜାପାନ, ସ୍ପେନ ଏବଂ ଦକ୍ଷିଣ କୋରିଆ ମଧ୍ୟ ନିଜ ସୁଦାନରେ ଫସିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବାକୁ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

Last Updated :Apr 22, 2023, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.