ETV Bharat / international

ନ୍ୟୁଜିଲାଣ୍ଡରେ ବାତ୍ୟା ତାଣ୍ଡବ, ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ସରକାର

author img

By

Published : Feb 14, 2023, 2:06 PM IST

ନ୍ୟୁଜିଲାଣ୍ଡରେ ତାଣ୍ଡବ ରଚୁଛି ବାତ୍ୟା ଗ୍ରାବିଏଲ । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ ଘରଦ୍ବାର ନଷ୍ଟ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ନ୍ୟୁଜିଲାଣ୍ଡରେ ବାତ୍ୟା
ନ୍ୟୁଜିଲାଣ୍ଡରେ ବାତ୍ୟା

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡରେ ତାଣ୍ଡବ ରଚୁଛି ବାତ୍ୟା ଗ୍ରାବିଏଲ । ବାତ୍ୟା ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଦେଶର ୬ଟି ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । ଏହି ଅଞ୍ଚଳଗୁଡିକ ହେଲେ ନର୍ଥଲ୍ୟାଣ୍ଡ, ଅକ୍‌ଲ୍ୟାଣ୍ଡ, ତାଇରାହ୍ବିଟି, ବେ ଅଫ୍ ପ୍ଲେଣ୍ଟି, ୱାଇକାଟୋ, ହୱକେସ ୱେ । ଏନେଇ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି ।

ନ୍ୟୁଜିଲାଣ୍ଡ ଇତିହାସରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି । ବାତ୍ୟା ଗ୍ରାବିଏଲର ମୁକାବିଲା କରିବାକୁ ପାଇଁ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି । ଏନେଇ ଦେଶର ଜରୁରୀକାଳୀନ ମନ୍ତ୍ରୀ କିରାନ୍ ମ୍ୟାକଅନଲ୍ଟି କହିଛନ୍ତି, "ପ୍ରଧାନମନ୍ତ୍ରୀ କ୍ରିସ୍ ହିପକିନ୍ସ ଏବଂ ବିରୋଧି ଦଳ ନେତାମାନଙ୍କ ସହ ଆଲୋଚନା ପରେ ଏହାକୁ ଲାଗୁ କରାଯାଇଛି । ଏହା ଏକ ଅପ୍ରତ୍ୟାଶିତ ପାଣିପାଗ । ବିଶେଷକରି ନର୍ଥ ଆଇଲାଣ୍ଡରେ ଏହାର ଅଧିକ ପ୍ରଭାବ ପଡୁଛି । ପ୍ରକୃତରେ ନ୍ୟୁଜିଲାଣ୍ଡରେ ବାତ୍ୟା ସ୍ଥିତି ଦେଇ ଗତି କରୁଛି । ବାତ୍ୟା ଯୋଗୁଁ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ଯାଉଛି ।"

ମନ୍ତ୍ରୀ ମ୍ୟାକଅନଲ୍ଟି କହିଛନ୍ତି, "ବାତ୍ୟା ଗ୍ରାବିଏଲ ପ୍ରଭାବରେ ଆଜି ପ୍ରବଳ ବର୍ଷା ଓ ଜୋରରେ ପବନ ବହିବାର ପୂର୍ବାନୁମାନ କରାଯାଉଛି । ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି (NEMA) ପ୍ରଭାବିତ ଅଞ୍ଚଳଗୁଡିକର ସ୍ଥାନୀୟ ନାଗରିକ ସୁରକ୍ଷା ଜରୁରୀକାଳୀନ ପରିଚାଳନା ଟିମ୍‌(CDEM) ସହ ନିରନ୍ତର ଯୋଗାଯୋଗରେ ରହି ସ୍ଥିତି ଉପରେ ନଜର ରଖିଛି । ବାତ୍ୟା ପ୍ରଭାବରେ ଧନ ଜୀବନ କ୍ଷୟକ୍ଷତିକୁ ନଜରରେ ରଖି ପ୍ରଭାବିତ ୬ଟି ଅଞ୍ଚଳରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏହା ବାତ୍ୟା ମୁକାବିଲାରେ ସହାୟକ ହେବ ବୋଲି ଆଶା ରହିଛି ।" ଗ୍ରାବିଏଲ ପ୍ରଭାବିତ ଅଞ୍ଚଳରେ ସରକାର ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ସହାୟତା ଓ ସମ୍ବଳ ଯୋଗାଉଛନ୍ତି ସରକାର ।

ବାତ୍ୟା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ପ୍ରାୟ ୨ ଲକ୍ଷ ୨୫ ହଜାର ଲୋକ ଏବେ ଅନ୍ଧାରରେ ଦିନ କାଟୁଛନ୍ତି । ପଶ୍ଚିମ ଅକଲ୍ୟାଣ୍ଡର ଏକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜଣେ ଅଗ୍ନିଶମ କର୍ମଚାରୀ ନିଖୋଜ ଥିବା ଖବର ମିଳିଛି । ସେହିପରି ଏଥିରେ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଭୂସ୍ଖଳନ ଓ ବନ୍ୟା ଯୋଗୁଁ ବ୍ୟାପକ ଘରଦ୍ବାର ନଷ୍ଟ ହୋଇଛି । କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଏହାକୁ ନେଇ ବିଭିନ୍ନ ସ୍ଥାନକୁ ବିମାନ ଓ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.