ETV Bharat / international

ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ମେହମୁଦ କ୍ୟୁରେସି ଗିରଫ

author img

By

Published : May 11, 2023, 10:52 AM IST

ଇମ୍ରାନ ଖାନଙ୍କ ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଗିରଫ । ଅଧିକ ପଢନ୍ତୁ

ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ମେହମୁଦ କ୍ୟୁରେସି ଗିରଫ
ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ମେହମୁଦ କ୍ୟୁରେସି ଗିରଫ

ଇସଲାମବାଦ: ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ହିଂସାର ବହ୍ନି ଜଳୁଥିବା ବେଳେ ଏବେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ମଧ୍ୟ ଗିରଫ ହୋଇଛନ୍ତି । ଆଜି (ଗୁରୁବାର) ଇସଲାମବାଦରୁ କ୍ୟୁରେସିଙ୍କୁ ପୋଲିସ ଗିରଫ କରିଛି । ତେବେ ତାଙ୍କୁ ଗିରଫ କରାଯିବା ପରେ କୌଣସି ଅଜଣା ସ୍ଥାନକୁ ନିଆଯାଇଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ପକ୍ଷରୁ ଟ୍ବିଟ୍ କରାଯାଇ ସୂଚନା ଦିଆଯାଇଛି ।

ପାକିସ୍ତାନର ଏକ ଖବରକାଗଜ ରିପୋର୍ଟ ଅନୁସାରେ, ଗୁରୁବାର ପୂର୍ବ ବୈଦେଶିକ ମନ୍ତ୍ରୀ ତଥା ପିଟିଆଇ ଉପାଧ୍ୟକ୍ଷ କ୍ୟୁରେସିଙ୍କୁ ତାଙ୍କର ଇସଲାମବାଦ ଗିଲିଗିଟ-ବାଲତିସ୍ତାନ ବାସଭବନରୁ ପୋଲିସ ଉଠାଇ ନେଇଛି । ଇମ୍ରାନ ଖାନଙ୍କ ଗିରଫଦାରୀ ପ୍ରତିବାଦରେ ପଞ୍ଜାବ ଓ ଖାଇବର ପଖତୁନଖ୍ବା ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡାଜଳା ମାମଲାରେ କ୍ୟୁରେସି ୱାଣ୍ଟେଡ ଥିଲେ । ଏହି ହିଂସା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଗିରଫଦାରୀ ପୂର୍ବରୁ କ୍ୟୁରେସି ଦେଶରେ ପ୍ରକୃତ ସ୍ବାଧୀନତା ହାସଲ ପାଇଁ ନିଜର ସଂଘର୍ଷ ଜାରି ରଖିବାକୁ ପିଟିଆଇ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଥିଲେ ।

କ୍ୟୁରେସି ଏକ ମେସେଜରେ କହିଛନ୍ତି, ସେ କିଛି ଭୁଲ୍ କରିନଥିବାରୁ ତାଙ୍କର ଅବଶୋଷ ନାହିଁ । ଏହାସହିତ ପିଟିଆଇ ମୁଖ୍ୟ ଇମ୍ରାନଙ୍କ ଗିରଫଦାରୀ ପରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ହିଂସାରେ ୫୦ ମୃତାହତ ହେବା ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଇମ୍ରାନ ଜେଲରୁ ମୁକ୍ତ ନହେବା ଯାଏଁ ଆନ୍ଦୋଳନ ବନ୍ଦ ନକରିବାକୁ ଦଳୀୟ କର୍ମୀଙ୍କୁ ଅପିଲ କରିଛନ୍ତି । ଅନ୍ୟପଟେ କ୍ୟୁରେସିଙ୍କ ସମେତ ଗତକାଲି ପିଟିଆଇ ଉପସଭାପତି ଫୱାଦ ଚୌଧୁରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସୁପ୍ରିମକୋର୍ଟରୁ ଫେରୁଥିବା ବେଳେ କୋର୍ଟ ପରିସରରୁ ପୋଲିସ ତାଙ୍କୁ ଗିରଫ କରି ସେକ୍ଟ୍ରେଟାରିଏଟ ଥାନାକୁ ନେଇଛି ।

ଏହାମଧ୍ୟ ପଢନ୍ତୁ: ଜୁନ 22ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି

ପ୍ରକାଶଥାଉ କି, ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ତାଙ୍କର ଗିରଫଦାରୀକୁ ବିରୋଧ କରି ପାକିସ୍ତାନ ସ୍ଥିତି ଅସମ୍ଭାଳ ହୋଇପଡିଛି । ପିଟିଆଇ ନେତା ଓ କର୍ମୀମାନେ ଦେଶବ୍ୟାପୀ ବିକ୍ଷୋଭ କରିବା ସହା ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ଜାରି ରଖିଛନ୍ତି । ସମଗ୍ର ଦେଶରେ ୧୪୪ ଧାରା ଲାଗୁ କରାଯାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ ।

ଏହାମଧ୍ୟ ପଢନ୍ତୁ: Imran Khan Arrested: ଜଳୁଛି ପାକିସ୍ତାନ ! ସେନା ମୁଖ୍ୟାଳୟରେ ପଶିଲେ ଇମ୍ରାନଙ୍କ ସମର୍ଥକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.