ETV Bharat / entertainment

ମହାଦେବ ବେଟିଂ ଆପ୍ ମାମଲା: ପ୍ରଡକ୍ସନ୍ ହାଉସରେ ଇଡିର ଚଢାଉ, ଟଙ୍କା କାରବାର ଅଭିଯୋଗ

author img

By ETV Bharat Odisha Team

Published : Oct 7, 2023, 7:29 AM IST

ମହାଦେବ ବେଟିଂ ଆପ୍ ମାମଲା
ମହାଦେବ ବେଟିଂ ଆପ୍ ମାମଲା

ମୁମ୍ବାଇର କୁରେଶି ପ୍ରଡକ୍ସନ୍ ହାଉସରେ ଇଡିର ଚଢାଉ । ଏହି ମାମଲା ମହାଦେବ ବେଟିଂ ଆପ୍ ସହିତ ଜଡିତ । ପ୍ରଡକ୍ସନ୍ ହାଉସ୍ ମାଧ୍ୟମରେ ଟଙ୍କା କାରବାର ହେବାର ଅଭିଯୋଗ ରହିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡରେ ଇଡି ଆତଙ୍କ । ଫସିଗଲେ ଅନେକ ତାରକା । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ସାମ୍ନାକୁ ଆସୁଛି ଜଣଙ୍କ ପରେ ଜଣେ ବଲିଉଡ ସେଲିବ୍ରିଟିଙ୍କ ନାଁ । ତିନି ଦିନ ପୂର୍ବରୁ ଅଭିନେତା ରଣବୀର କପୁରଙ୍କୁ ଜେରା ପାଇଁ ସମନ ମିଳିଥିବା ବେଳେ ଗତକାଲି ରାଡ଼ାକୁ ଆସିଛନ୍ତି କମେଡି କଳାକାର କପିଲ ଶର୍ମା, ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ହୁମା କୁରେଶି । ବର୍ତ୍ତମାନ ଖବର ଆସୁଛି ମୁମ୍ବାଇର କୁରେଶି ପ୍ରଡକ୍ସନ୍ ହାଉସରେ ଇଡି ଚଢାଉ କରିଛି । କୁରେଶି ପ୍ରଡକ୍ସନ୍ ହାଉସ୍ ଜରିଆରେ ଟଙ୍କା କାରବାରର ଅଭିଯୋଗ ରହିଛି । ସୂଚନାନୁସାରେ, ଏକ ଜାତୀୟ ରାଜନୈତିକ ଦଳ ସହ ଜଡିତ କୁରେଶି ପ୍ରଡକ୍ସନ୍ ହାଉସ୍ ୱାସିମ୍ କୁରେଶିଙ୍କର ଅଟେ ।

ଗତ କିଛି ଦିନ ଧରି ଏହି ଖବର କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି । ଇଡି ପୂର୍ବରୁ ରଣବୀର କପୁରଙ୍କୁ ସମନ ଜାରି କରିଥିଲା । ଏହା ପରେ ହୁମା କୁରେଶି, ହିନା ଖାନ, କପିଲ ଶର୍ମା ଏବଂ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଡକାଯାଇଥିଲା । ବର୍ତ୍ତମାନ ଏହି ରେଡ୍‌ ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି । ଏହାପୂର୍ବରୁ ଗତ ମାସ ମଧ୍ୟ ଇଡି ବିଭିନ୍ନ ସ୍ଥାନରେ ଚଢାଉ କରି 417 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ବର୍ତ୍ତମାନ ସେହି ମହାଦେବ ବେଟିଂ ଆପ୍ ମାମଲାରେ ଇଡି ମୁମ୍ବାଇର କୁରେଶି ପ୍ରଡକ୍ସନ୍ ହାଉସରେ ଚଢାଉ କରିଛି ।

ଉଲ୍ଲେଖନୀୟ ଯେ, ଦୀର୍ଘ ଦିନ ଧରି ମହାଦେବ ବେଟିଂ ଆପ୍ ମାମଲାର ଇଡି ଯାଞ୍ଚ କରିଆସୁଛି । ଏହି ଯାଞ୍ଚରେ 5000 କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ମଧ୍ୟ ଜଣାପଡିଛି । ଏକ ବେଟିଂ ଆପ୍ ଚଳାଉଥିବା ସୌରଭ ଚନ୍ଦ୍ରାକର ଅନେକ ତାରକାଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ବାସ୍ତବରେ, ତାରକାମାନେ ଅନଲାଇନରେ ଏହି ଆପ୍‌ର ପ୍ରଚାର କରିଥିଲେ । ବର୍ତ୍ତମାନ ଏହି ମାମଲାରେ ମିଳିଥିବା ଦେୟ ବିଷୟରେ ପଚରାଉଚରା କରିବାକୁ ଚାହୁଁଛି ଇଡି । ଏହା ସହିତ ବେଆଇନ ମହାଦେବ ଅନଲାଇନ ବେଟିଂ ଆପ୍‌ରେ କଳାକାରଙ୍କ ଭୂମିକା କ’ଣ ସେନେଇ ମଧ୍ୟ ଖୋଳତାଡ଼ କରୁଛି ।

ଏହି ତାରାକାଙ୍କୁ ସମନ ଜାରି ହୋଇପାରେ

ପାଞ୍ଚଟି ଚଳଚ୍ଚିତ୍ର ତାରକାଙ୍କୁ ସମନ ଜାରି ଏବଂ ପ୍ରଡକ୍ସନ୍ ହାଉସ୍ ଉପରେ ଚଢାଉ ସହିତ ସୂତ୍ରରୁ ଏହା ପ୍ରକାଶ ଯେ ଭବିଷ୍ୟତରେ ଇଡି ଆହୁରି ଅନେକ ତାରକାଙ୍କୁ ସମନ ଜାରି କରିପାରେ । କୃଷ୍ଣା ଅଭିଷେକ, ପୁଲକିତ ସମ୍ରାଟ, ଭାରତ ସିଂ, ସନ୍ନି ଲିଓନଙ୍କ ସମେତ ଅନେକ ତାରକା ଇଡି ରାଡାରରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Gaming App Case: ରଣବୀରଙ୍କ ପରେ ଏହି 4 ସେଲିବ୍ରିଟିଙ୍କୁ ଇଡିର ସମନ୍‌, କପିଲ ବି ଅଛନ୍ତି ସାମିଲ

ଖବର ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ମାସରେ ମହାଦେବ ବୁକ୍ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିବାହରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ । ଦୁବାଇରେ ସୌରଭଙ୍କ ବିବାହ ମହାଆଡମ୍ବରରେ କରାଯାଇଥିଲା । ଏଥିରେ ପ୍ରାୟ 200 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି । ସେପଟେ ବେଟିଂ ଆପର ପ୍ରମୋସନ କରିବା ଏବେ ତାରକାଙ୍କ ପାଇଁ ଅଡୁଆ ବଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.