ETV Bharat / city

ଶ୍ରୀକ୍ଷେତ୍ରରେ ନିଆରା ଶାରଦୀୟ ପୂଜା, ମଣ୍ଡପରେ ପୂଜା ପାଆନ୍ତି ନାଗା ମୂର୍ତ୍ତି

author img

By

Published : Oct 7, 2022, 5:24 PM IST

ପୁରୀରେ ଦୁର୍ଗା ପୂଜାକୁ ଗୋଶାଣୀ ଯାତ୍ରା ଭାବେ ପାଳନ କରାଯାଏ । ଏଠାରେ ମା’ ଙ୍କର ମୃଣ୍ମୟୀ ଗୋଷାଣୀ ପ୍ରିତିମା ସହ ବିରାଟ କାୟ ନାଗା ମୂର୍ତ୍ତି ନିର୍ମାଣ ଏବଂ ପୂଜା କରିବାର ପରମ୍ପରା ରହିଛି । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ନିଆରା ଶାରଦୀୟ ପୂଜା,ମଣ୍ଡପରେ ପୂଜା ପାଆନ୍ତି ନାଗା ମୂର୍ତ୍ତି
ଶ୍ରୀକ୍ଷେତ୍ରରେ ନିଆରା ଶାରଦୀୟ ପୂଜା,ମଣ୍ଡପରେ ପୂଜା ପାଆନ୍ତି ନାଗା ମୂର୍ତ୍ତି

ପୁରୀ: ଶାରଦୀୟ ଦୁର୍ଗା ପୂଜାରେ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ଦୁର୍ଗା ପୂଜାକୁ ଗୋଶାଣୀ ଯାତ୍ରା ଭାବେ ପାଳନ କରାଯାଏ । ଆଉ ଏହି ସମୟରେ ବିଭିନ୍ନ ସାହି ମାନଙ୍କରେ ମା’ଙ୍କର ମୃଣ୍ମୟୀ ଗୋଷାଣୀ ପ୍ରିତିମା ସହ ବିରାଟକାୟ ନାଗା ମୂର୍ତ୍ତି ନିର୍ମାଣ ଏବଂ ପୂଜା କରିବାର ପରମ୍ପରା ରହିଛି । ଶହଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ପୌରୁଷ ଓ ବିରତ୍ୱର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜା ଅବସରରେ ନାଗା ମୂର୍ତ୍ତି ପୂଜା ଓ ଆବାହନ କରାଯାଏ । ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ ଜାକଜକମରେ ନାଗା ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ନାଗା ମୂର୍ତ୍ତି ଗୁଡିକୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ଏବଂ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ୱାରା ସଜ୍ଜିତ କରିବାର ପରମ୍ପରା ମଧ୍ୟ ରହିଛି ।

ଶ୍ରୀକ୍ଷେତ୍ରରେ ନିଆରା ଶାରଦୀୟ ପୂଜା,ମଣ୍ଡପରେ ପୂଜା ପାଆନ୍ତି ନାଗା ମୂର୍ତ୍ତି

ଏହା ମଧ୍ୟ ପଢନ୍ତୁ-ବିଦାୟ ନେଉଛନ୍ତି ମାଆ, ବର୍ତ୍ତମାନ ସୁଦ୍ଧା ୧୧୫ଟି ମେଢ଼ ବିସର୍ଜିତ

କିମ୍ୱଦନ୍ତୀ ଅନୁଯାୟୀ, ପୂର୍ବରୁ ଶ୍ରୀକ୍ଷେତ୍ର ଏବଂ ଶ୍ରୀମନ୍ଦିରକୁ ନାଗା ସାଧୁ ମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଉଥିଲେ। ସେମାନେ ଅତ୍ୟନ୍ତ ବୀର ଥିଲେ । ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ । ପରବର୍ତ୍ତୀ ସମୟରେ ନାଗା ସାଧୁଙ୍କ ବୀରତ୍ୱକୁ ଦେଖି ସେବାୟତମାନେ ନିଜକୁ ସେଭଳି ପ୍ରସ୍ତୁତ କଲେ । ଜାଗା ଆଖଡା ଘରେ ସେବାୟତ ଯୁବକମାନେ କୁସ୍ତି, ମଲ୍ଲ ଯୁଦ୍ଧ ଶିକ୍ଷା କରି ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଲେ । ତେବେ ନାଗା ସାଧୁଙ୍କ ବୀରତ୍ୱର ଗାଥାକୁ ଲୋକଙ୍କ ମଧ୍ୟରେ ସ୍ମରଣୀୟ ରଖିବା ପାଇଁ ଶହଶହ ବର୍ଷ ହେବ ଦୁର୍ଗାପୂଜା ତଥା ଗୋଶାଣୀ ପୂଜା ସମୟରେ ବିଶାଳ ନାଗା ମୂର୍ତ୍ତି ପୂଜା କରାଯାଏ ।

ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି । ଏଣୁ ସହରର ପୁରାତନ ସାହି ବାଲିସାହି, ହରଚଣ୍ତୀ , ମାର୍କଣ୍ତେଶ୍ୱର, ଦୋଳମଣ୍ତପ , ହେରାଗୋହିରୀ, ନରେନ୍ଦ୍ର କୋଣ ଏବଂ ବଳଗଣ୍ତି ଛକ ଅଞ୍ଚଳରେ ବିରାଟକାୟ ନାଗାମୂର୍ତ୍ତି ନିର୍ମାଣ କରାଯାଇ ଭସାଣ ଦିନ ଏମାନଙ୍କୁ ସିଂହଦ୍ୱାର ନିକଟରେ ଏକତ୍ରିତ କରାଯାଇ ପ୍ରଦର୍ଶିତ କରାଯାଏ । ନାଗାମୂର୍ତ୍ତିରେ ତାଟି, ଏରାପକ୍ଷୀ, ହାଣ୍ଡିଆ , ଛୁରୀ, ବାଘଛାଲ, ଢାଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଇ ପୂଜା କରାଯାଏ । ଶାରଦୀୟ ପୂଜା ଅବସରରେ ନାଗା ମୂର୍ତ୍ତି ନିର୍ମାଣ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା । ସାହି ଗୁଡ଼ିକରେ ଗୋଷାଣୀ ପୂଜା ସହ ନାଗା ମୁର୍ତ୍ତି ଗୁଡ଼ିକର ଆକର୍ଷଣୀୟ ପୂଜା ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.