ETV Bharat / city

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଉତ୍ସାହିତ ବ୍ୟବସାୟୀ

author img

By

Published : Aug 24, 2021, 7:13 PM IST

ଦୀର୍ଘ 4 ମାସ ପରେ ଖୋଲିଛି ବଡ଼ଦେଉଳ । ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ବଡଦାଣ୍ଡରୁ ସମୁଦ୍ର କୂଳ, ସବୁଠି ଗହଳି । ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କୁ ନେଇ ଉତ୍ସାହିତ ବ୍ୟବସାୟୀ ଓ ହୋଟେଲ ମାଲିକ । ଅଧିକ ପଢନ୍ତୁ...

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଉତ୍ସାହିତ ବ୍ୟବସାୟୀ
ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଉତ୍ସାହିତ ବ୍ୟବସାୟୀ

ପୁରୀ: ଦୀର୍ଘ 4 ମାସ ପରେ ଖୋଲିଛି ବଡ଼ଦେଉଳ । ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଚଳଚଞ୍ଚଳ ବଡଦାଣ୍ଡ ଓ ସମୁଦ୍ରକୂଳ । ଆଉ ଏହି ପରିବେଶକୁ ନେଇ ସହରରେ ଥିବା ସମସ୍ତ ଛୋଟବଡ଼ ବ୍ୟବସାୟୀଙ୍କ ମୁହଁରେ ହସ ଫୁଟିଛି । କୋଭିଡ଼ ମହାମାରୀର ଦ୍ବିତୀୟ ଲହର ଯୋଗୁଁ ୪ମାସ ଶ୍ରୀମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ପର୍ଯ୍ୟଟକ ଶୂନ୍ୟ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ଏବେ ପୁଣି ଥରେ ଶ୍ରୀମନ୍ଦିର ଖୋଲିବା ପରେ ପୁଣି ବ୍ୟବସାୟ ଜମିବା ଆଶାରେ ସଭିଏଁ ଖୁସି ପ୍ରକାଶ କରିଛନ୍ତି ।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଉତ୍ସାହିତ ବ୍ୟବସାୟୀ

କୋଭିଡ କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାର ପ୍ରଭାବ ପୁରୀର ଅର୍ଥନୈତିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିଥିଲା। ଉଠାଦୋକାନୀ, ହୋଟେଲ ଶିଳ୍ପ ସମେତ ସେବାୟତଙ୍କ ଆର୍ଥିକ ମେରୁଦଣ୍ତ ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ପୁରୀର ଅର୍ଥନୀତି ପର୍ଯ୍ୟଟକଙ୍କ ଆଗମନ ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳଥିବାରୁ ବେଶ ପ୍ରଭାବିତ ହୋଇଛନ୍ତି ବ୍ୟବସାୟୀ । ରୋଜଗାର ହରାଇ ହଜାର ହଜାର ବ୍ୟବସାୟୀ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ। ପୁଣି ଶ୍ରୀମନ୍ଦିର ଖୋଲିଥିବାରୁ ଭଲ ବ୍ୟବସାୟ ସହ ଦୁଇ ପଇସା ରୋଜଗାର ଆଶା ରଖିଥିବା ସେବାୟତ ଓ ବ୍ୟବସାୟୀ କହିଛନ୍ତି ।

ସେପଟେ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଶ୍ରୀମନ୍ଦିର ଭଳି ଅନ୍ୟତମ ଆକର୍ଷଣ ବେଳାଭୂମି ମଧ୍ୟ ଖୁବ ଚଳଚଞ୍ଚଳ । ନୀଳ ସମୁଦ୍ରର ଜଳରାଶିରେ ଗାଧୋଇବା ସହ ଓଟ ଓ ଘୋଡ଼ା ପିଠିରେ ବସି ବେଳାଭୂମିରେ ଭ୍ରମଣ କରିବାର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଦୀର୍ଘ ଦିନ ପରେ ଏଭଳି ସୁଯୋଗ ମିଳିଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।

ଅନ୍ୟପଟେ ପର୍ଯ୍ୟଟକଙ୍କ ଆଗମନ ସାଙ୍ଗକୁ ବଢିଛି ହୋଟେଲ ବୁକିଂ । ବେଳାଭୂମିରେ ଥିବା ହୋଟେଲ ଗୁଡ଼ିକରେ ଭଲ ଚାହିଦା ଥିବାରୁ ଲକଡ଼ାଉନର ସମୟର କ୍ଷତି ଭରଣା ହେବାର ଆଶା ରଖିଛନ୍ତି ହୋଟେଲ ବ୍ୟବସାୟୀ। ୨୦୧୯ ରେ ଫୋନି, ୨୦୨୦ରେ କୋଭିଡ଼ ମହାମାରୀର ପ୍ରଥମ ଲହର ଓ ଏବେ ଦ୍ବିତୀୟ ଲହର ଯୋଗୁଁ ଉକଡ଼ାଉନ ପରେ ବ୍ୟାପକ କ୍ଷତି ସହିଥିଲେ ବେଳାଭୂମିର ସମସ୍ତ ବ୍ୟବସାୟୀ। ସେପଟେ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକ କୋଭିଡ଼ ଗାଇଡ଼ଲାଇନ ମାନିଲେ ସବୁକିଛି ସ୍ବାଭାବିକ ଭାବେ ଚାଲିପାରିବ ବୋଲି ପ୍ରଶାସନ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.