ETV Bharat / city

ସାନ ସିନା ଦାନ ତା ମହାନ ! ମୃତ୍ୟୁ ପରେ ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ 14 ବର୍ଷୀୟା ନାବାଳିକା

author img

By

Published : May 17, 2022, 8:00 PM IST

SCBରେ ପୁଣି ରେକର୍ଡ, ସଫଳ ହେଲା ବିରଳ କିଡନୀ ପ୍ରତିରୋପଣ
SCBରେ ପୁଣି ରେକର୍ଡ, ସଫଳ ହେଲା ବିରଳ କିଡନୀ ପ୍ରତିରୋପଣ

କଟକ ବଡ଼ ମେଡିକାଲ ଏସସିବିକୁ ପୁଣି ସଫଳତା ମିଳିଛି । କୋଭିଡ଼ ପରେ ଏକ ବିରଳ କିଡ଼ନୀ ପ୍ରତିରୋପଣ କରିବାରେ ସଫଳ ହୋଇଛି ଏଠାକାର ଡାକ୍ତରୀ ଟିମ । ଅଧିକ ପଢନ୍ତୁ

କଟକ: ଏସସିବି(SCB) ମେଡିକାଲ କିଡନୀ ବିଭାଗରେ ଆଜି ଆଉ ଏକ ସଫଳତା ଯୋଡି ହୋଇଯାଇଛି । କୋଭିଡ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ବିଭାଗରେ କରାଯାଇଛି ଏହି ସର୍ଜରୀ । ୪ ବର୍ଷ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଜଣେ ମହିଳାଙ୍କ କରାଯାଇଛି କିଡନୀ ଟ୍ରାନ୍ସପ୍ଲାଣ୍ଟ । ମହିଳା ଜଣକ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । 7 ଦିନ ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଅପରେସନ ଟିମର ମୁଖ୍ୟ କହିଥିବା ବେଳେ କିଡନୀ ଦାନ କରିଥିବା ଝିଅ ଓ ପରିବାର ଲୋକଙ୍କ ସହିତ ଏସସିବି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସଫଳ ହେଲା ବିରଳ କିଡନୀ ପ୍ରତିରୋପଣ

କୋଭିଡ ପରିସ୍ଥିତି ପରେ ଆଜି ଏସସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ବାଇଁ ଓ ତାଙ୍କ୧୦ ଜଣିଆ ଟିମ ୪ ଘଣ୍ଟାର ପରିଶ୍ରମ ପରେ ଦ୍ବିତୀୟ ଥର ପାଇଁ କାଡାଭରିକ ସର୍ଜରୀରେ ସଫଳ ହୋଇଛନ୍ତି । ଭୁବନେଶ୍ବର ସମ ହସ୍ପିଟାଲରେ ବ୍ରେନ ଡେଡ଼ ହୋଇଥିବା ଜଣେ 14 ବର୍ଷୀୟା କିଶୋରୀଙ୍କ ପରିବାର ଲୋକଙ୍କ ସହମତିରେ 2ଟି କିଡନୀକୁ ସଯତ୍ନରେ ଆପୋଲୋ ଓ ଏସସିବି ଅଣାଯାଇଥିଲା । ପୂର୍ବରୁ ପ୍ରସ୍ତୁତ ଥିବା 2 କିଡନୀ ରୋଗୀଙ୍କ ମଧ୍ୟରୁ ଜଗତସିଂହପୁରର ଅନାମିକାଙ୍କ ଗ୍ରୁପ ମ୍ୟାଚ ହେବାରୁ ତାଙ୍କ ଦେହରେ ଏହି କିଡନୀ ପ୍ରତିରୋପଣ କରାଯାଇଛି ।

ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ, ଏସସିବି କର୍ତ୍ତୃପକ୍ଷ, ସୋଟୋ ଟିମ ସର୍ବୋପରି ନେଫ୍ରୋଲୋଜି ୟୁରୋଲୋଜି ଡାକ୍ତରଙ୍କ ସହଯୋଗ ପାଇଁ ସମ୍ଭବପର ହୋଇପାରିଥିଲା ଏହି ସର୍ଜରୀ । ସେପଟେ କିଡନୀ ପାଇ ଅନାମିକାଙ୍କ ପରିବାର ବେଶ ଖୁସି ପ୍ରକାଶ କରିଛନ୍ତି । ନିଜର ଜୀବନ ହରାଇ କିଡନୀ ଦାନ କରିଥିବା 14 ବର୍ଷୀୟା ଝିଅକୁ ହୃଦୟରୁ ଧନ୍ୟବାଦ ଓ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଏହି ଜଟିଳ ଅପରେସନକୁ ସଫଳ କରିଥିବା ଏସସିବିର ଡାକ୍ତରୀ ଟିମ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ଅନାମିକାଙ୍କ ପରିବାର । ଅନାମିକାଙ୍କ ବୟସ 34 ବର୍ଷ ।

ଗତ ୪ରୁ ୫ ବର୍ଷ ଧରି ତାଙ୍କର ଡାଏଲିସିସ ଚାଲିଥିଲା । ଅଵସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରୁଥିବାବେଳେ ଗତକାଲି ଏସସିବିରୁ କଲ ପାଇ ମୁମ୍ବାଇରୁ ସିଧା ଏସସିବି ପହଞ୍ଚି ସେ ଅପରେସନ କରାଇଛନ୍ତି । 2020 ମସିହାରେ ଏସସିବିରେ ପ୍ରଥମ କାଡାଭାରିକ ସର୍ଜରି ହୋଇଥିଲା । କୋଭିଡ ପାଇଁ ଦୁଇ ବର୍ଷ ଧରି ଏହା ବନ୍ଦ ଥିଲା । ତେବେ କୋଭିଡ ସ୍ଥିତି ପରେ ଏହା ପ୍ରଥମ ବିରଳ ଅପରେସନ । ଆଗକୁ ମଧ୍ୟ ଏପରି ଜଟିଳ ଅପରେସନ ଜାରି ରହିବ ବୋଲି ଡାକ୍ତରୀ ଟିମ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.