ETV Bharat / city

ନିର୍ଭର ନୁହେଁ ଆତ୍ମନିର୍ଭର; ନିଜ ପ୍ରଚେଷ୍ଟାରେ ପୂରଣ କଲେ ‘ତିିନି ଆଖି’ର ସ୍ବପ୍ନ

author img

By

Published : Apr 30, 2021, 7:41 PM IST

ଅକ୍ଷମ ହେଲେବି ମଧ୍ୟ ସକ୍ଷମ
ଅକ୍ଷମ ହେଲେବି ମଧ୍ୟ ସକ୍ଷମ

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ନିଜ ଚେଷ୍ଟାରେ କିଛି କରି ସମାଜରେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ତିନି ଦିବ୍ୟାଙ୍ଗ ବନ୍ଧୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ସେମାନଙ୍କ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । କାରଣ ତାଙ୍କର ମନୋବଳ ହେଉଛି ଦୃଢ । ଇଚ୍ଛାଶକ୍ତି ତାଙ୍କୁ କିଛି କରିବାର ଶକ୍ତି ଦେଇଛି । କରିଛି ଆତ୍ମନିର୍ଭର । ଆମେ କହୁଛୁ ତିନି ଦିବ୍ୟାଙ୍ଗ ବନ୍ଧୁଙ୍କ କଥା ଯିଏକି ଦିବ୍ୟାଙ୍ଗ ସତ କିନ୍ତୁ ନିଜ ପ୍ରଚେଷ୍ଟାରେ କିଛି କରିପାରି ବେଶ ଦୁଇ ପାଇସା ରୋଜଗାର କରିପାରିବାରେ ସକ୍ଷମ ହୋଇଛନ୍ତି ।

ନିର୍ଭର ନୁହେଁ ଆତ୍ମନିର୍ଭର; ନିଜ ପ୍ରଚେଷ୍ଟାରେ ପୂରଣ କଲେ ‘ତିିନି ଆଖି’ର ସ୍ବପ୍ନ

ପରିବାର ଉପରେ ବୋଝ ନହୋଇ ଘରୁ ଗୋଡ କାଢିଥିଲେ ମାଳତି, ସୁଭଦ୍ରା ଓ ସଞ୍ଜିତା । ତିନିଜଣ ଅଲଗା ଅଲଗା ଜିଲ୍ଲାର ହେଲେ ରାଜଧାନୀରେ ତିନିଜଣଙ୍କ ଭିତରେ ଗଢି ଉଠିଥିଲା ନିବିଡ ବନ୍ଧୁତ୍ବ । ତିିନି ଆଖିରେ ଦେଖିଥିଲେ କିଛି କରିବାର ସ୍ବପ୍ନ । ସ୍ବପ୍ନକୁ ପୂରଣ କରିବାକୁ ପ୍ରଥମେ ଭୁବନେଶ୍ବରରେ ଏକ ତାଲିମ କେନ୍ଦ୍ରରେ ନେଇଥିଲେ ତାଲିମ । ଏହା ପରେ ଆଉ ପଛକୁ ଫେରି ନଥିଲେ ତିନି ବନ୍ଧୁ । ପ୍ରଥମେ ନିଜ ଉଦ୍ୟମରେ ଏକ ପେପର ପ୍ଲେଟ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଏ ମହାମାରୀ କୋରୋନା ତାଙ୍କ ଜୀବିକାକୁ ଛଡାଇ ନେଇଥିଲା । କୋରାେନାରେ ପେପର ପ୍ଲେଟ ବ୍ୟବସାୟ ଠପ ହୋଇଯାଇଥିଲା । ହେଲେ ସେ ହାରି ନଥିଲେ । ପୁଣି ନ ଅଣ୍ଟା ସଳଖି ଥିଲେ ତିନି ସାଙ୍ଗ । ଏହା ପରେ ତାଙ୍କୁ ରାହା ଦେଇଥିଲା ଅରଗାନିକ୍ ଚା’ । ଖାଲି ଚା’ ନୁହେଁ ଖରାଦିନେ ଲୋକଙ୍କୁ ଶୋଷ ମେଣ୍ଟାଇବାକୁ ଲେମ୍ବୁ ସରବତ ତା ସହିତ ଝାଲ ମୁଢୀ । ସନ୍ଧ୍ୟା ହେଲେ ରାଜଧାନୀର ମଧୂସୁଦନ ପାର୍କରେ ଖୋଲିଯାଏ ଆସର । ତାଙ୍କ ହାତ ତିଆରି ଚା’ ପିଇବାକୁ ଷ୍ଟଲ ଆଗରେ ଲାଗେ ଗ୍ରାହକଙ୍କ ଲମ୍ବା ଲାଇନ । ଖାଇବା ଷ୍ଟଲ ସହିତ ଗୋଟିଏ ଅଟାକଳ ମେସିନ ବି ପକାଇଛନ୍ତି ତିନି ସାଙ୍ଗ ।

ଛୋଟିଆ ଚା’ ଷ୍ଟଲ ସହିତ ସ୍ନାକ୍ସ ଦୋକାନରୁ ବେଶ ଦୁଇ ପାଇସା ରୋଜଗାର କରିପାରୁଛନ୍ତି ତିନି ସାଙ୍ଗ । ଦିବ୍ୟାଙ୍ଗ ହେଲେ ବି ସାଧାରଣ ଲୋକ ପରି କିଛି କରି ପାରି ସାମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ମାଳତି, ସଞ୍ଜିତା ଓ ସୁଭଦ୍ରା । ରାଜ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ମାଳମାଳ ଯୋଜନା । ଦେଲେ ସରକାରଙ୍କ କେଇଟା ଟଙ୍କା ଭତ୍ତାକୁ ଛାଡିଦେଲେ ଆଉ କୌଣସି ସରକାର ସହାୟତା ପାଇ ନାହାନ୍ତି ତିିନି ସାଙ୍ଗ । ତାଙ୍କୁ ଆଉ କିଛି ସରକାରୀ ସହାୟତା ଯୋଗାଇ ଦିଆଗଲେ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ତିନି ବନ୍ଧୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.