ETV Bharat / city

କଟକଣାରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ହେବନି ପରେଡ

author img

By

Published : Jul 29, 2020, 8:58 PM IST

_independence day
_independence day

ଏଥର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ହେବନି ପରେଡ । ଭୁବନେଶ୍ବର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସମାରୋହ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ।

ଭୁବନେଶ୍ବର: କୋଭିଡ୍-୧୯ କଟକଣା ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ବୁଧବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାଧୀନତା ଦିବସ ପାଳନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ ସ୍ୱାଧୀନତା ଦିବସ ପାଳନର ବିଭିନ୍ନ ଦିଗ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।


ବର୍ତ୍ତମାନ ସମଗ୍ର ବିଶ୍ୱ ସହ ଭାରତ ଓ ଓଡ଼ିଶା କୋଭିଡ୍-୧୯ ପରି ଏକ ଅଭୁତପୂର୍ବ ବିପର୍ଯ୍ୟୟ ବିରୁଦ୍ଧରେ ଲଢ଼େଇ କରୁଛି । ଜନ ସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବକୁ ସର୍ବନିମ୍ନ କରିବା ନିମନ୍ତେ ସ୍ୱତନ୍ତ୍ର ନିୟମ ଓ କଟକଣାମାନ ଜାରି କରାଯାଇଛି । ସ୍ୱାଧୀନତା ଦିବସ ଏକ ଗୌରବମୟ ଜାତୀୟ ଦିବସ ହୋଇଥିବାରୁ ଏହି କଟକଣା ମଧ୍ୟରେ ଏହାର ପାଳନ ପାଇଁ ବୈଠକରେ ସ୍ଥିର ହୋଇଥିଲା । ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।


ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କୋରୋନା କଟକଣା ଦୃଷ୍ଟିରୁ ପୂର୍ବବର୍ଷମାନଙ୍କ ପରି ପ୍ୟାରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ । ପୋଲିସ୍ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ । ବ୍ୟାଣ୍ଡ ପାର୍ଟି ସହ ୩ଟି ପୋଲିସ୍ ବାହିନୀର ଟ୍ରୁପ୍ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଦିବସ ପାଳନର ଲାଇଭ୍ ଚିତ୍ର କମନଫିଡ୍ ମାଧ୍ୟମରେ ସମସ୍ତ ଗଣମାଧ୍ୟମଙ୍କୁ ସଂଯୋଜିତ କରାଯିବ ଯେପରିକି ଜନସାଧାରଣ ନିଜ ନିଜ ଘରେ ଟି.ଭି. ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଦେଖି ପାରିବେ ।


ଗୃହ ଏବଂ ସୂଚନା ଲୋକ ସଂପର୍କ ବିଭାଗଙ୍କ ସହ ସମନ୍ୱିତଭାବେ ମଞ୍ଚ ନିର୍ମାଣ ବ୍ୟାରକଡିଂ, ପାନୀୟ ଜଳ ଯୋଗାଣ, ପରିମଳ, ଆଇନ୍ ଶୃଙ୍ଖଳା, ଆଶୁ ଚିକିତ୍ସା, ଅତିଥି ବସିବା ସ୍ଥାନ ଓ ଆନୁସଙ୍ଗିକ ବ୍ୟବସ୍ଥା ଆଦି ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ମହା ନିର୍ଦ୍ଦେଶକ ଅଭୟ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ, ପୂର୍ତ୍ତ ସଚିବ କ୍ରିଷନ କୁମାର, ପୋଲିସ୍ କମିଶନର ଡ଼ଃ ସୁଧାଂଶୁ ଷଢ଼ଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.