ETV Bharat / city

Panchayat Polls: ୭୦% ମତଦାନ ସହିତ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ

author img

By

Published : Feb 16, 2022, 7:30 AM IST

Updated : Feb 16, 2022, 10:21 PM IST

ପଞ୍ଚାୟତ ନିର୍ବାଚନ
Panchayat Polls: ଆରମ୍ଭ ହେଲା ମତଦାନ

22:12 February 16

ସୁନ୍ଦରଗଡ଼ର ୪ ବ୍ଲକରେ ସୁରୁଖୁରୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ସୁନ୍ଦରଗଡ଼ର ୪ ବ୍ଲକରେ ସୁରୁଖୁରୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ସୁନ୍ଦରଗଡ: ଜିଲ୍ଲାର ୪ଟି ଜିଲ୍ଲାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସୁନ୍ଦରଗଡ ଜିଲ୍ଲାର ବଡଗାଁ , କୁଆଁରମୁଣ୍ଡା , ଲାଠିକଟା ଓ ବଣାଇଗଡରେ ଭୋଟ ଗ୍ରହଣ ହୋଇଛି । ୪ଟି ବ୍ଲକର 66ଟି ଗ୍ରାମ ପଞ୍ଚାୟତର 873ଟି ୱାର୍ଡ ସହ ସମିତି ସଭ୍ୟ ଓ 9 ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟର ମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।

ତେବେ ଏହି ନିର୍ବାଚନୀ ରଣ କ୍ଷେତ୍ରରେ ମୁଖ୍ୟତଃ ଶାସକ ବିଜେଡି ଦଳ ଓ ବିଜେପି ଦଳ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋର ହେବା ନେଇ ଆଲୋଚନା ହୋଇଛି । ସେଥିମଧ୍ୟରେ କେତେକ ସ୍ବାଧୀନ ପ୍ରାର୍ଥୀ ବା ଅନ୍ୟ ରାଜନୈତିକ ଦଳ ସମର୍ଥିତ ପ୍ରାର୍ଥୀମାନେ ମଧ୍ୟ ମୈଦାନରେ ଅଂଶ ଗ୍ରହଣ କରିଛନ୍ତି । ତେବେ ଆଜି ମତଦାନ ବେଳେ କୌଣସି ବିଶୃଙ୍ଖଳାର ଚିତ୍ର ସାମ୍ନାକୁ ଆସି ନାହିଁ । ନିର୍ବାଚନକୁ ସ୍ବଚ୍ଛ, ନିର୍ମଳ କରିବା ନେଇ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ହାତକୁ ନେଇଥିଲା ।

ବଡଗାଁ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ 6 ଜଣ ପ୍ରାର୍ଥୀ , ସମିତି ସଭ୍ୟ ପାଇଁ 50 ଜଣ ,ସରପଞ୍ଚ ପାଇଁ 61 ଜଣ ଓ ୱାର୍ଡ ମେମ୍ବର ପାଇଁ 129 ଜଣ ପ୍ରାର୍ଥୀ ଲଢୁଛନ୍ତି । ସେହିପରି ଲାଠିକଟା ବ୍ଲକର 3 ଟି ଜିଲ୍ଲା ପରିଷଦ ଆସନ ପାଇଁ 15 ଜଣ ପ୍ରାର୍ଥୀ , ସମିତି ସଭ୍ୟ ପାଇଁ – 62 ଜଣ ,ସରପଞ୍ଚ ପାଇଁ – 111ଜଣ ଓ ୱାର୍ଡ ମେମ୍ୱର ପାଇଁ 153 ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । କୁଆଁରମୁଣ୍ଡା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ 9 ଜଣ , ସମିତି ସଭ୍ୟ ପାଇଁ 89 ଜଣ ,ସରପଞ୍ଚ ପାଇଁ 113 ଜଣ ଓ ୱାର୍ଡ ମେମ୍ବର ପାଇଁ 88 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ସେହିପରି ବଣାଇଗଡ ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ 12 ଜଣ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ 59 ଜଣ ,ସରପଞ୍ଚ ପାଇଁ 58 ଜଣ ଓ ୱାର୍ଡ ମେମ୍ବର ପାଇଁ 212 ଜଣ ପ୍ରାର୍ଥୀ ସଂଘର୍ଷ କରୁଛନ୍ତି । ତେବେ ଆଜିର ଏହି ମତଦାନ ଶାନ୍ତିର ସହ ଶେଷ, ହୋଇଥିବା ବେଳେ ବଡଗାଁରେ 66 ପ୍ରତିଶତ, ଲାଠିକଟାରେ 84 ପ୍ରତିଶତ, କୁଆଁର ମୁଣ୍ଡାରେ 57 ପ୍ରତିଶତ ଓ ବଣାଇଗଡରେ 61 ପ୍ରତିଶତ ମତଦାନ ହୋଇଛି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

22:04 February 16

ଭଦ୍ରକ-ବନ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ଭଦ୍ରକ-ବନ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ଭଦ୍ରକ: ଭଦ୍ରକ ବ୍ଲକ ଏବଂ ବନ୍ତ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଭଦ୍ରକ ବ୍ଲକର 36 ପଂଚାୟତ ଓ 4ଟି ଜିଲ୍ଲା ପରିଷଦ ଜୋନ ଏବଂ ବନ୍ତ ବ୍ଲକର 25ଟି ପଂଚାୟତ ଓ 3ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ 61 ଟି ପଞ୍ଚାୟତର ମୋଟ 838 ବୁଥରେ ଭୋଟ ଗ୍ରହଣ ହୋଇଛି। ତେବେ ଭଦ୍ରକ ବ୍ଲକର 25 ନମ୍ବର ଜୋନ୍ରେ ଥିବା 9ଟି ପଞ୍ଚାୟତର 130 ଟି ୱାର୍ଡ, 26 ନମ୍ବର ଜୋନ୍ ରେ ଥିବା 9 ଟି ପଞ୍ଚାୟତ ର 124 ଟି ୱାର୍ଡ, 27 ନମ୍ବର ଜୋନରେ ଥିବା 10ଟି ପଞ୍ଚାୟତର 136ଟି ୱାର୍ଡ ଏବଂ 28 ନମ୍ବର ଜୋନ୍ ରେ ଥିବା 8 ଟି ପଞ୍ଚାୟତର 110ଟି ୱାର୍ଡରେ ମତଦାନ ହୋଇଛି ।

ବନ୍ତ ବ୍ଲକ ର 14 ନମ୍ବର ଜୋନରେ ଥିବା 338ଟି ୱାର୍ଡରେ ମଧ୍ୟ ମତଦାନ ହୋଇଛି । ପ୍ରତି ପୋଲିଂ ବୁଥରେ ଜଣେ ଫାଷ୍ଟ ପ୍ରିଜାଇଡିଂ ଅଫିସର, ଜଣେ ସେକେଣ୍ଡ ପ୍ରିଜାଇଡିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

21:50 February 16

ରନ୍ତଳେଇ ପଞ୍ଚାୟତରେ ମତଦାନ ପାଇଁ ଉତ୍ସାହ ଦେଖାଇଲେ ଭୋଟର

ରନ୍ତଳେଇ ପଞ୍ଚାୟତରେ ମତଦାନ ପାଇଁ ଉତ୍ସାହ ଦେଖାଇଲେ ଭୋଟର

ଅନୁଗୋଳ: ରନ୍ତଳେଇ ପଞ୍ଚାୟତରେ ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି । ଏପରିକି ମତଦାନ ସମୟ ଶେଷ ହେବା ପରେ ମଧ୍ୟ ଭୋଟର ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଅନୁଗୋଳ ବ୍ଲକ ରନ୍ତଳେଇ ପଞ୍ଚାୟତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ଏହି ପଞ୍ଚାୟତର ୭ଟି ୱାର୍ଡ ପାଇଁ ସ୍କୁଲରେ ୭ଟି ବୁଥ କରାଯାଇଥିଲା । ୭ଟି ଯାକ ୱାର୍ଡର ଭୋଟର ସଂଖ୍ୟା ୩ହଜାରରୁ ଅଧିକ ରହିଥିଲା । ଏହାକୁ ନେଇ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଅନୁଗୋଳ ସମ୍ବାଦଦାତା ସଂଗ୍ରାମ ରଞ୍ଜନ ନାଥ ।

21:38 February 16

ଧର୍ମଶାଳା ଓ ଯାଜପୁର ସଦର ବ୍ଲକରେ 1011ଟି ବୁଥରେ ମତଦାନ ସମ୍ପନ୍ନ

ଧର୍ମଶାଳା ଓ ଯାଜପୁର ସଦର ବ୍ଲକରେ 1011ଟି ବୁଥରେ ମତଦାନ ସମ୍ପନ୍ନ

ଯାଜପୁର: ଜିଲ୍ଲାର ଧର୍ମଶାଳା ଓ ସଦର ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପିଆର ନିଜେ ବୁଥ ବୁଥ ବୁଲି ମତଦାନ ପାଇଁ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଆଜି ଜିଲ୍ଲାର ଧର୍ମଶାଳା ଏବଂ ଯାଜପୁର ସଦର ବ୍ଲକର 1011ଟି ବୁଥରେ ମତଦାନ ହୋଇଛି । କାଁ ଭାଁ ସ୍ଥାନରେ କିଛିଟା ବିଶୃଙ୍ଖଳା ଦେଖିବାକୁ ମିଳିଛି । ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ଅଞ୍ଚଳର ଉତ୍ତେଜନା ପ୍ରବଣ ବୁଥକୁ ଗସ୍ତକରି ପରିସ୍ଥିତିର ସମୀକ୍ଷା କରିଥିଲେ ଉଭୟ ଜିଲ୍ଲାପାଳ ଓ ଏସପି।

ଯାଜପୁର ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

20:57 February 16

ଭୋଟ ଦେଲେ ବ୍ରହ୍ମଗିରି ବିଧାୟକ

ଭୋଟ ଦେଲେ ବ୍ରହ୍ମଗିରି ବିଧାୟକ

ବ୍ରହ୍ମଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବ୍ରହ୍ମଗିରି ବିଧାୟକ ମତଦାନ କରିଛନ୍ତି । ଗଡରୋଡ଼ଙ୍ଗ ଗ୍ରାମରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିଜ ଦଳୀୟ ପ୍ରଥୀ ମାନଙ୍କୁ ଭୋଟ ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

20:41 February 16

ବରଗଡ଼ର ୪ ବ୍ଲକରେ ମତ ସାବ୍ୟସ୍ତ କଲେ ଭୋଟର

ବରଗଡ଼: ଜିଲ୍ଲାର ଭଟଲି ବ୍ଲକ, ଅମ୍ବାଭୋନା ବ୍ଲକ , ପାଇକମାଲ ବ୍ଲକ ଓ ଝାରବନ୍ଦ ବ୍ଲକର ସମସ୍ତ ପଞ୍ଚାୟତ ମାନଙ୍କରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ୪ଟି ବ୍ଲକର ୬୭ ପଞ୍ଚାୟତରେ ୮୬୯ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଛି । ନିର୍ବାଚନ ମୈଦାନରେ ଏଥର ବିଭିନ୍ନ ପଦ ପାଇଁ ୧୫୯୯ ପ୍ରାର୍ଥୀ ରହିଛନ୍ତି । ଚଳିତ ଥର ପ୍ରତି ବ୍ଲକରେ ଦୁଇଟି ପିଙ୍କ୍ ବୁଥ ଏବଂ ଗୋଟିଏ ମୋଡେଲ ବୁଥ ବ୍ୟବସ୍ଥା କରାଯାଇଥିଲା । ପିଙ୍କ୍ ବୁଥରେ କେବଳ ମହିଳା ଭୋଟରମାନେ ମତଦାନ କରିଛନ୍ତି । ସେହିପରି ବୁଥରେ ମହିଳା ଅଧିକାରୀମାନେ ନିର୍ବାଚନ ପରିଚାଳନା କରିଛନ୍ତି

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

20:25 February 16

କେନ୍ଦୁଝରର ୩ ବ୍ଲକ୍‌ର ମତ ସାବ୍ୟସ୍ତ କଲେ ଭୋଟର

କେନ୍ଦୁଝରର ୩ ବ୍ଲକ୍‌ର ମତ ସାବ୍ୟସ୍ତ କଲେ ଭୋଟର

କେନ୍ଦୁଝର: ଜିଲ୍ଲାର ତିନୋଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନ ଶେଷ ହୋଇଛି । ଘଷିପୁରା, ଘଟଗାଁ ଓ ବାଂଶପାଳ ବ୍ଲକରେ ମତଦାନ କରିଛନ୍ତି ମତଦାତା । ତିନୋଟି ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହୋଇଛି । ଏହାସହ ଘଷିପୁରା ବ୍ଲକର ସରପଞ୍ଚ ପଦବୀ ପାଇଁ ୧୧୫, ୱାର୍ଡ ମେମ୍ବର ପାଇଁ ୬୦୦, ସମିତି ସଭ୍ୟ ପାଇଁ ୯୪ ଓ ଜିଲ୍ଲା ପରିଷଦ ପାଇଁ ୯ ଜଣ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା ।

ସେହିପରି ଘଟଗାଁ ବ୍ଲକର ସରପଞ୍ଚ ପାଇଁ ୧୦୯, ୱାର୍ଡ ମେମ୍ବର ପାଇଁ ୪୬୫, ସମିତି ସଭ୍ୟ ପାଇଁ ୮୩ , ଜିଲ୍ଲା ପରିଷଦ ପାଇଁ ୧୫ ଓ ବାଂଶପାଳ ବ୍ଲକର ସରପଞ୍ଚ ପାଇଁ ୯୩, ୱାର୍ଡ ମେମ୍ବର ପାଇଁ ୧୮୩, ସମିତି ସଭ୍ୟ ପାଇଁ ୬୫ ,ଜିଲ୍ଲା ପରିଷଦ ପାଇଁ ୧୨ ଜଣ ପାର୍ଥିଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି । ଏହି ନିର୍ଵାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟିଂରେ ମତଦାତାମାନେ ଆସି ନିଜ ମନ ପସନ୍ଦର ପାର୍ଥୀଙ୍କୁ ମୋହର ମାରି ମତ ସାବ୍ୟସ୍ତ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

20:01 February 16

ନଛିମପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଭୋଟର

ନଛିମପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଭୋଟର

ବାଲେଶ୍ବର: ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଜଳେଶ୍ବର ବ୍ଲକ ନଛିମପୁର ପଞ୍ଚାୟତରେ ଭୋଟରମାନେ ଏଥର ଦଳ ନୁହେ ବରଂ ଜଣେ ଉପଯୁକ୍ତ ପ୍ରାର୍ଥୀ ବାଛିବେ ବୋଲି କହିଛନ୍ତି । ଆଗାମୀ ପାଞ୍ଚ ବର୍ଷପାଇଁ ସେମାନଙ୍କ ସୁଖଦୁଃଖର ସାଥି କରିବେ ବୋଲି କହିଛନ୍ତି ।

ପଞ୍ଚାୟତରେ ଭୋଟର ସଂଖ୍ୟା 4 ହଜାର 500 ହୋଇଥିବା ବେଳେ ସରପଞ୍ଚ ପଦବୀ ପାଇଁ ଦୀପାଲି ଜେନା ଓ ରାଜେଶ ଜେନା, ଅଶୋକ କୁମାର ଜେନା ଏବଂ ଅବନୀ କୁମାର ପାତ୍ରଙ୍କ ମଧ୍ୟରେ ଲଢେ଼ଇ ହେଉଛି । ଗୋଟିଏ ପଞ୍ଚାୟତରୁ 4 ଜଣ ପ୍ରାର୍ଥୀ ହୋଇଥିବା ବେଳେ ପଞ୍ଚାୟତବାସୀ ଉପଯୁକ୍ତ ନେତାକୁ ବାଛିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

19:54 February 16

ଦିଗପହଣ୍ଡି ବ୍ଳକରେ ପିଙ୍କ୍‌ ବୁଥ୍‌ରେ ଭୋଟ ଦେଲେ ମହିଳା ଭୋଟର

ଦିଗପହଣ୍ଡି ବ୍ଳକରେ ପିଙ୍କ୍‌ ବୁଥ୍‌ରେ ଭୋଟ ଦେଲେ ମହିଳା ଭୋଟର

ଗଞ୍ଜାମ: ଜିଲ୍ଲାର ପାଞ୍ଚଟି ବ୍ଳକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦିଗପହଣ୍ଡି ବ୍ଳକର ଆଙ୍କୋରଡା ପଞ୍ଚାୟତରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରଶାସନ ପକ୍ଷରୁ କରାଯାଇଥିଲା ପିଙ୍କ୍ ବୁଥ୍ । ପ୍ରତ୍ୟେକ ବ୍ଳକ ମୁଖ୍ୟାଳୟ ନିକଟରେ ଏଭଳି ପିଙ୍କ୍ ବୁଥ୍ କରାଯାଇଥିବା ବେଳେ ମହିଳା କର୍ମଚାରୀମାନେ ଏହି ବୁଥର ପ୍ରିଜାଇଡିଂ ଅଫିସର ଠାରୁ ଆରମ୍ଭ କରି ପୁଲିଙ୍ଗ ଅଫିସର ଦାୟିତ୍ବରେ ରହିଛନ୍ତି । ଜିଲ୍ଲାର ଦିଗପହଣ୍ଡି ଆଙ୍କୋରଡା ପିଙ୍କ ବୁଥରେ କିଭଳି ରହିଥିଲା ସମସ୍ତ ବ୍ୟବସ୍ଥା ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

19:44 February 16

ଝରିଗାଁ-ଚନ୍ଦାହାଣ୍ଡିରେ ସୁରୁଖୁରୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ଝରିଗାଁ-ଚନ୍ଦାହାଣ୍ଡିରେ ସୁରୁଖୁରୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ

ନବରଙ୍ଗପୁର: ଜିଲ୍ଲାରେ ଝରିଗାଁ ଓ ଚନ୍ଦାହାଣ୍ଡିରେ ସୁରୁଖୁରୁରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବିଜେଡି ନେତା ପ୍ରଦୀପ ମାଝୀ, ପୁର୍ବତନ ସାଂସଦ ଭଗବାନ ମାଝୀ, ସାଂସଦ ରମେଶ ଚନ୍ଦ୍ର ମାଝି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ବରିଷ୍ଠ ନେତା ପ୍ରସନ୍ନ ମାଝି ନିଜ ନିଜ ଗାଁରେ ଭୋଟ ଦେଇଛନ୍ତି ।

ତେବେ ପୂର୍ବତନ ସାଂସଦ ବଲଭଦ୍ର ମାଝି ଭୋଟ ଦେଇନଥିବାରୁ ଏହାକୁ ନିନ୍ଦା କରିଛନ୍ତି ନିନ୍ଦା କରିଛନ୍ତି ପ୍ରଦୀପ ମାଝୀ । ସେ ଗଣତନ୍ତ୍ରର ଅଧିକାରକୁ ସାବ୍ୟସ୍ତ କରି ପାରିନାହାନ୍ତି ବୋଲି କହିଛନ୍ତି ପ୍ରଦୀପ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

19:28 February 16

ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଦେଲେ ଭୋଟ

ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଦେଲେ ଭୋଟ

ମାଲକାନଗିରି: ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ଅବସରରେ ମାଲକାନଗିରି ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ମତଦାନ କରିଛନ୍ତି ଭୋଟର । ଏହି ଅବସରରେ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ମଧ୍ୟ ଡଙ୍ଗସଖଲ ବୁଥ୍‌ରେ ପହଞ୍ଚି ମତଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ଯୋଜନା ଗୁଡ଼ିକୁ ଦେଖି ଲୋକେ ବିଜେଡିକୁ ଭୋଟଦେଇ ଜିଲ୍ଲାପରିଷଦ ଚୟନ କରିବେ ବୋଲି ସେ ଦୃଢୋକ୍ତି ଦେଇଛନ୍ତି ।


ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

19:16 February 16

ହିନ୍ଦୋଳ ବ୍ଲକର ଦୁଇ ବୁଥ୍‌ରେ ଉତ୍ତେଜନା

ହିନ୍ଦୋଳ ବ୍ଲକର ଦୁଇ ବୁଥ୍‌ରେ ଉତ୍ତେଜନା

ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ୩୫ ଓ ଗଁନ୍ଦିଆ ବ୍ଲକର ୨୯ ପଞ୍ଚାୟତରେ ଭୋଟ ଗ୍ରହଣ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୧ଟା ଯାଏଁ ମତଦାନ ଚାଲିଥିଲା ।

ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧର ପ୍ରସାଦ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ହିନ୍ଦୋଳ ବ୍ଲକ୍‌ର ବୁଥ୍‌ ନଂ ୧୯୩ ଓ ୧୯୪ରେ ଏହି ଉତ୍ତେଜନା ଦେଖାଦେଇଥିଲା । କେତେକ ଲୋକେ ବୁଥ୍‌ ଭିତରେ ନିଜ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟରଙ୍କୁ ମନାଉଥିବା ଅଭିଯୋଗ ହୋଇଥିଲା । ଏସବୁ ଖୋଲାଖୋଲି ଭାବରେ ଚାଲୁଥିଲେ ସୁଦ୍ଧା ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଥିଲେ।

ଏହି ପଞ୍ଚାୟତରୁ ସମିତି ସଭ୍ୟା ଭାବେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପ୍ରାର୍ଥୀ ଥିବାରୁ ନିର୍ବାଚନ ବେଶୋ ଗୁରୁତ୍ବପୂର୍ଣ୍ଣ ରହିଥିଲା । ବୁଥରେ ଅଞ୍ଜଳିଙ୍କ ସମର୍ଥକ ରହିଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ରହିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ।

ଢେଙ୍କାନାଳର ଉର୍ମିଳା ପାତ୍ର, ଇଟିଭି ଭାରତ

18:12 February 16

ଭୋଟର ତାଲିକାରେ ନଥିଲା ନାଁ, ବୁଥ୍‌ ଘେରିଲେ ଲୋକେ

ଭୋଟର ତାଲିକାରେ ନଥିଲା ନାଁ, ବୁଥ୍‌ ଘେରିଲେ ଲୋକେ

କେନ୍ଦ୍ରାପଡ଼ା: ଭୋଟର ତାଲିକାରେ ନାଁ ନଥିବାରୁ ଜୋରଦାର ବିରୋଧ ପ୍ରଦର୍ଶନ କଲେ ଗ୍ରାମାବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ କୁରୁଜଙ୍ଗା ପଞ୍ଚାୟତ ୫ ନମ୍ବର ୱାର୍ଡରେ ଏଭଳି ଘଟଣା ଦେଖିବାକୁ ମଳିଥିଲା । ଏଠାରେ ୧୮୦ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ନଥିବା ଦର୍ଶାଇ ସେମାନଙ୍କୁ ଭୋଟଦାନରୁ ବଞ୍ଚିତ କରାଯାଇଛି।

ସରକାରୀ ଯୋଜନାରେ ରାସନ କାର୍ଡ, ଭତ୍ତା ଇତ୍ୟାଦି ମିଳୁଥିଲେ ମଧ୍ୟ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ ସେମାନଙ୍କ ନାଁ ନାହିଁ ବୋଲି କହିଥିଲେ ପୋଲିଂ ଅଫିସର । ଏହାକୁ ନେଇ ଅସନ୍ତୁଷ୍ଟ ଭୋଟରମାନେ ୫ ନଂ ୱାର୍ଡର ମଦ୍ରାସା ବିଦ୍ୟାଳୟ ବୁଥ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ରାସ୍ତାରୋକ କରିଥିଲେ ।

ଖବର ପାଇ ଡେରାବିଶ୍ ତହସିଲଦାର ତଥା ମାଜିଷ୍ଟ୍ରେଟ ନମିତା ବାରିକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ତେବେ ଲୋକେ ନିଜ ଦାବିରେ ଅଡ଼ି ବସିଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

17:11 February 16

ମତ ସାବ୍ୟସ୍ତ କଲେ କେ. ନୂଆଗାଁ ଓ ବାଲିଗୁଡ଼ା ବ୍ଲକ୍‌ ଭୋଟର

ମତ ସାବ୍ୟସ୍ତ କଲେ କ. ନୂଆଗାଁ ଓ ବାଲିଗୁଡ଼ା ବ୍ଲକ୍‌ ଭୋଟର

ଫୁଲବାଣୀ: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବାଲିଗୁଡା ଓ କ. ନୂଆଗାଁ ବ୍ଳକରେ ସୁରୁଖୁରୁରେ ମତଦାନ ଶେଷ ହୋଇଛି । ଭୋଟ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ମତ ସାବ୍ୟସ୍ତ କରିବାକୁ ଉତ୍ସାହୀ ଭୋଟର ବୁଧବାର ସକାଳ ୭ଟା ଲାଇନ ଲଗାଇଥିଲେ । ୮ଟା ଯାଏଁ ଅନେକ ବୁଥ୍‌ରେ ମାନ୍ଦା ଅବସ୍ଥାରେ ଭୋଟ ଗ୍ରହଣ ହେଉଥିବା ଦେଖିବାକୁ ମିଳିଥିଲା ।

ଏହାପରେ ଧୀରେଧୀରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲ୍ଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ଗ୍ରହଣ ହୋଇଛି । ଏହି ଦୁଇ ବ୍ଲକ୍ ପାଇଁ ୨୧୬୦ ଜଣ ପୋଲିଂ ଅଫିସର ନିଯୁକ୍ତ ଥିଲେ ।

ପ୍ରଥମ ପ୍ରର୍ଯ୍ୟାୟରେ ନିର୍ବାଚନ ଦୁଇ ବ୍ଲକରେ ମୋଟ ୩୬୦ ବୁଥ୍‌ ପ୍ରସ୍ତୁତ ରହିଥିଲା । ସେଥିମଧ୍ୟରୁ ୧୭ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଥିଲା । ଦୁଇ ବ୍ଲକରେ ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ହେଵ ସେଥିପ୍ରତି ବାଲିଗୁଡ଼ା ବିଡିଓ ଓ କ.ନୂଆଗାଁ ବିଡିଓ ନିଜେ ଉପସ୍ଥିତ ରହି ନଜର ରଖିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

16:51 February 16

ସମ୍ବଲପୁର ଦୁଇଟି ବ୍ଲକରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ

ସମ୍ବଲପୁର ଦୁଇଟି ବ୍ଲକରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ

ସମ୍ବଲପୁର: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର 2ଟି ବ୍ଳକରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ରେଢ଼ାଖୋଲ ଓ ଯୁଜୁମୁରା ବ୍ଳକର 4ଟି ଜିଲ୍ଲା ପରିଷଦ ଆସନ ସମେତ ସବୁ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା ।

ଭୋଟଗ୍ରହଣ ପ୍ରକ୍ରିୟା ପାଇଁ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଜିଲ୍ଲା ପ୍ରଶାସନ । ଆଜି ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ମତଦାନ କରିବାର ସମୟ ରହିଥିଲା । ଯୁଜୁମୁରା ବ୍ଳକର 2ଟି ଜିଲ୍ଲା ପରିଷଦ ଆସନ ପାଇଁ 7 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, 18 ଟି ପଞ୍ଚାୟତ ପାଇଁ 93 ଜଣ ସରପଞ୍ଚ, 64 ଜଣ ସମିତିସଭ୍ୟ ଓ 123 ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ମତଦାନ ହୋଇଛି । ଯୁଜୁମୁରା ବ୍ଳକର 18ଟି ପଞ୍ଚାୟତର 223ଟି ବୁଥ୍‌ରେ ମତଦାତା ମତଦାନ କରିଛନ୍ତି ।

ସେହିପରି ରେଢାଖୋଲ ବ୍ଳକର 2ଟି ଜିଲ୍ଲା ପରିଷଦ ଆସନ ସହ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ମଧ୍ୟ ହୋଇଥିଲା ମତଦାନ । ସମ୍ବଲପୁର ଏସପିଙ୍କ ସମେତ ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅପିସର ବିଭିନ୍ନ ବୁଥ୍‌କୁ ଯାଇ ମତଦାନ ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ରେଢ଼ାଖୋଲ ବ୍ଲକ ରେ 14 ଟି ଗ୍ରାମ ପଞ୍ଚାୟତ ରେ 177 ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଥିଲ। 4 ଟି ଜିଲ୍ଲା ପରିଷଦ ଆସନ ପାଇଁ ଜିଲ୍ଲା ପରିଷଦ ଓ ଅନ୍ୟାନ୍ୟ ପ୍ରାର୍ଥୀ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି ।

14:01 February 16

ମୟୂରଭଞ୍ଜର ୭ଟି ବ୍ଲକରେ ନେତା ବାଛିଲେ ଭୋଟର

ମୟୂରଭଞ୍ଜର ୭ଟି ବ୍ଲକରେ ନେତା ବାଛିଲେ ଭୋଟର

ବାରିପଦା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତରେ ଥିବା ୧୫୦୧ ୱାର୍ଡର ମତଦାନ କେନ୍ଦ୍ରରେ ୪ ଲକ୍ଷ ୭୬ ହଜାର ୫୯୩ ଭୋଟର ଭୋଟ ଦେଉଛନ୍ତି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛୁଛନ୍ତି ମତଦାତା । ଜିଲ୍ଲାର ୭ଟି ବ୍ଲକ ଯଥା ଖୁଣ୍ଟା, କୁଳିଅଣା, ଜି ବି ନଗର, ବାଙ୍ଗରିପୋଷି, ମୋରଡ଼ା, ରାସଗୋବିନ୍ଦପୁର ଓ ଶାମାଖୁଣ୍ଟା ବ୍ଲକରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି ।

ଭୋଟ କେନ୍ଦ୍ରଗୁଡିକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୫୧ଟି ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୭୪ଟି ଅତି ସମ୍ବେଦନଶୀଳ ଓ ୧୩ଟି ସମ୍ବେଦନଶଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ତେଣୁ ଏହିଠାରେ ୭୫ଟି ମୋବାଇଲ ୟୁନିଟ ସହିତ ୪୦ରୁ ଅଧିକ ସୁପରଭିଜନ ପାର୍ଟି ପୋଲିସ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଭୋଟ କେନ୍ଦ୍ର ଗୁଡିକରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ତଦାରଖ କରୁଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

13:18 February 16

ମାଓ ପ୍ରବଣ ଅଞ୍ଚଳରେ ଚାଲିଛି ମତଦାନ

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ନୂଆପଡା: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଭୋଟରମାନେ ବୁଥ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି । ନୂଆପଡା ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଟାନୱାଟ ମତଦାନ କେନ୍ଦ୍ରରେ ଭୋଟିଂ ପ୍ରକ୍ରିୟା ଚାଲୁ ରହିଥିବାବେଳେ ଏହା ଏକ ସମ୍ବେଦନଶୀଳ କେନ୍ଦ୍ର ହୋଇଥିବା କାରଣରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଏଥର ନିର୍ବାଚନକୁ ନେଇ ବିଶେଷଭାବେ ଯୁବ ଭୋଟରଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖାଯାଇଛି । ଟାନୱାଟ ମତଦାନ କେନ୍ଦ୍ରରେ କିପରି ରହିଛି ନିର୍ବାଚନୀ ମାହୋଲ ସେନେଇ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ଆମ ନୂଆପଡା ପ୍ରତିନିଧି ।

13:18 February 16

ମତଦାନ କଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ

ମତଦାନ କଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ

ଯାଜପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ଚଳିତ ନିର୍ବାଚନରେ ବହୁ ହେଭିୱେଟ ନେତାଙ୍କ ସମ୍ପର୍କୀୟ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ତଥା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ମଧ୍ୟ ଚଳିତ ନିର୍ବାଚନରେ ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ପ୍ରଭାତ ବଳବନ୍ତରାୟ ଧର୍ମଶାଳା ବ୍ଳକର କୁମାରୀ ଓ ଚକ୍ରଧରପୁର ପଞ୍ଚାୟତ ଦୁଇଟି ଆସନରୁ ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି । ସେ ଆଜି ଗଙ୍ଗାଧରପୁର ପଞ୍ଚାୟତ ନୂଆଗାଁ କୋଠଘର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ମତଦାନ ପରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଦେବାକୁ ସେ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

13:06 February 16

କଳାହାଣ୍ଡିରେ ଭୋଟ ଦେଲେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର

କଳାହାଣ୍ଡିରେ ମତଦାନ

ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡୁଛି ଭୋଟ । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ମତଦାନ କରୁଛନ୍ତି ମତଦାତା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ମଧ୍ୟ ସକାଳୁ ମତଦାନ ଜାରି ରହିଛି । ଜୁନାଗଡ଼ ବ୍ଲକ ଚିଚିଗୁଡା ମତାଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରିଛନ୍ତି ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ।

ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି । ବୁଥ୍ ଆଗରେ ଭୋଟରଙ୍କ ପ୍ରବଳ ଭିଡ ଜମିଥିବା ବେଳେ ନୂଆ କରି ମତସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

12:28 February 16

ପଞ୍ଚାୟତ ନିର୍ବାଚନ: ଭୋଟ ଦେଉଛି ଢେଙ୍କାନାଳ

ପଞ୍ଚାୟତ ନିର୍ବାଚନ: ଭୋଟ ଦେଉଛି ଢେଙ୍କାନାଳ

ଢେଙ୍କାନାଳ: ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ଭୋଟ ଗ୍ରହଣ ଚାଲିଛି । ଦୁଇଟି ବ୍ଲକରେ ମୋଟ ୮୭୨ଟି ବୁଥରେ ୨ ଲକ୍ଷ ୫୪ହଜାର ୧୬୦ଜଣ ଭୋଟର ମତସାବ୍ୟସ୍ତ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପୂର୍ବାହ୍ନ ୧ଟା ଯାଏଁ ଚାଲିବ ।

ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକର ୮ଟି ଜିଲ୍ଲା ପରିଷଦ ଆସନ , ୬୪ଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ତଥା ୮୭୨ଟି ୱାର୍ଡ ମେମ୍ବର ପଦବୀ ପାଇଁ ମତଦାନ କରୁଛନ୍ତି ଭୋଟର । ମୋଟ ୮୭୨ଟି ବୁଥରୁ ଉଭୟ ବ୍ଲକର ୧୪୬ଟି ବୁଥ ସମ୍ବେଦନଶୀଳ ରହିଛି । ଏଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତାୟତ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ହିନ୍ଦୋଳ ବ୍ଲକର ୩୫ ପଞ୍ଚାୟତ ଓ ଗଁନ୍ଦିଆରେ ୨୯ ପଞ୍ଚାୟତର ମୋଟ ୨୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୨୮୪ ଜଣ ସରପଞ୍ଚ ଓ ସମିତି ସଭ୍ୟ, ୧୦୫୭ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

12:16 February 16

ପଞ୍ଚାୟତ ନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ଭଦ୍ରକରେ ଚାଲିଛି ମତଦାନ

ପଞ୍ଚାୟତ ନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ଭଦ୍ରକରେ ଚାଲିଛି ମତଦାନ

ଭଦ୍ରକ: ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ନିଜ ନେତା ବାଛୁଛନ୍ତି ଭୋଟର । ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବୁଥରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି । ବଡ କଥା ହେଉଛି ଠିକ୍ ଭାବେ ଚାଲି ପାରୁନଥିବା ବୃଦ୍ଧବୃଦ୍ଧା ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବର ସାମିଲ ହେଉଥିବାର ଦେଖାଯାଇଛି । ଭଦ୍ରକ ଜିଲ୍ଲା ୨୫ ନମ୍ବର ଜୋନରେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ । ତେବେ କିପରି ରହିଛି ସମ୍ପୂର୍ଣ୍ଣ ଚିତ୍ର ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର

11:32 February 16

ଦିନ ୧୧ଟା ସୁଦ୍ଧା ୩୦% ରୁ ଅଧିକ ମତଦାନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ସବୁଠି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ପ୍ରତି ବ୍ଲକ ହେଡକ୍ବାର୍ଟରରେ ମହିଳାମାନଙ୍କ ପାଇଁ ଗୋଟିଏ ଲେଖାଏଁ ପିଙ୍କ ବୁଥ୍ ଖୋଲାଯାଇଛି । ଦିନ ୧ଟା ସୁଦ୍ଧା ଯେଉଁମାନେ ବୁଥ୍ ଭିତରେ ଥିବେ ସେମାନଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

11:14 February 16

ଝାରସୁଗୁଡାର ତିନି ଜୋନରେ ଚାଲିଛି ଭୋଟିଂ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଝାରସୁଗୁଡ଼ା: ଆଜି ସକାଳ ୭ଟାରୁ ଝାରସୁଗୁଡ଼ା ଜିଲ୍ଲାର ତିନୋଟି ଜୋନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଲଇକେରା, କିର୍ମିରା ଏବଂ ଝାରସୁଗୁଡ଼ା ବ୍ଲକରେ ୪୩୨ଟି ବୁଥରେ ଭୋଟିଂ ଚାଲିଛି । ଏହି ବ୍ଲକର ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବରଙ୍କ ପାଇଁ ଲୋକେ ମତଦାନ କରୁଛନ୍ତି । ଦଲକି ଗ୍ରାମର ମତଦାନ କେନ୍ଦ୍ରରେ ଅନେକ ବୃଦ୍ଧବୃଦ୍ଧା ମତସାବ୍ୟସ୍ତ କରୁଥିବାବେଳେ ଯୁବପିଢିଙ୍କ ମଧ୍ୟରେ ବି ଉତ୍ସାହ ଦେଖାଯାଇଛି । ଅନେକ ସଂଖ୍ୟକ ଯୁବକ ଯୁବତୀ ନିଜର ନେତା ଚୟନ କରୁଛନ୍ତି ।

ତେବେ ଏହି ତିନୋଟି ଜୋନରେ କୌଣସି ସମ୍ବେଦନଶୀଳ ବୁଥ୍ ନଥିବା କହିଛନ୍ତି ପିଡିଡିଆରଡିଏ । ମାତ୍ର ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟାପକ ପରିମାଣର ପୋଲିସ ମୁତୟନ କରାଯାଇଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

11:14 February 16

ଗଜପତିରେ ୫୩୫ଟି କେନ୍ଦ୍ରରେ ଚାଲିଛି ମତଦାନ

ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ଗଜପତି: ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ପରୀକ୍ଷା । ଗଜପତି ଜିଲ୍ଲାରେ ସକାଳ ୭ଟାରୁ ଭୋଟ ଗ୍ରହଣ ଚାଲିଛି । ଲୋକେ ଶାନ୍ତି ଶୃଙ୍ଖଳା ସହ ବୁଥ୍‌ରେ ପହଞ୍ଚି ନିଜର ମତ ସାବ୍ୟସ୍ତ କରୁଛନ୍ତି । ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ୫୩୫ଟି କେନ୍ଦ୍ରରେ ଭୋଟିଂ ଜାରି ରହିଛି ।

ମୋହନା ବ୍ଲକର ୩୯ ପଞ୍ଚାୟତ ପାଇଁ ୧୬୦ଜଣ ସରପଞ୍ଚ ଏବଂ ୩୫ଟି ପଞ୍ଚାୟତ ପାଇଁ ୧୩୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି । ୪ଟି ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ସେହିଭଳି ୩ଟି ଜୋନ ପାଇଁ ୧୦ଜଣ ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୧,୯୩୨ଜଣ ଭୋଟର ।

ଗଜପତି ହରିହର ପଟ୍ଟନାୟକ, ଇଟିଭି ଭାରତ

11:02 February 16

ଭୋଟ୍ ଦେଉଛି ରାୟଗଡା, ବୁଥ୍ ଆଗରେ ଲମ୍ବାଧାଡି

ଭୋଟ୍ ଦେଉଛି ରାୟଗଡା, ବୁଥ୍ ଆଗରେ ଲମ୍ବାଧାଡି

ରାୟଗଡା: ଆଜି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ରାୟଗଡା ଜିଲ୍ଲାର ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକରେ 46 ଜଣ ସରପଞ୍ଚ ଓ ସମିତି ସଭ୍ୟ ଏବଂ 5ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେଉଛି । 554ଟି ବୁଥରେ ମତଦାନ କରାଯାଉ ଥିବାବେଳେ 1 ଲକ୍ଷ 52 ହଜାର 106 ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବୁଥ ଆଗରେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି ।

ମାଓ ଅଞ୍ଚଳରେ ଭୋଟିଂ ଚାଲୁଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିଆରପିଏଫ, ଡିଭିଏଫ, ଏସଓଜି ଓ ଓଡ଼ିଶା ପୋଲିସ ମୁତୟନ ହୋଇଛନ୍ତି । ମାଓ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରତ୍ୟେକ ବୁଥରେ ସକାଳ 7ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଦିନ 1 ଟା ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ପର୍ଯ୍ୟନ୍ତ 15 ପ୍ରତିଶତ ଭୋଟିଂ ହୋଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

10:20 February 16

Panchayat Polls: ନବରଙ୍ଗପୁରରେ ପଡୁଛି ପ୍ରଥମ ପର୍ଯ୍ୟାୟ ଭୋଟ

Panchayat Polls: ନବରଙ୍ଗପୁରରେ ପଡୁଛି ପ୍ରଥମ ପର୍ଯ୍ୟାୟ ଭୋଟ

ନବରଙ୍ଗପୁର: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଚାଲିଛି । ଭୋଟ ଗ୍ରହଣ ଠାରୁ ଗଣତି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନିର୍ବାଚନ କାର୍ଯ୍ୟ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଝରିଗାଁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ସକାଳୁ ଝୋରିଗା ଚନ୍ଦାହାଣ୍ଡିରେ ପୋଲିଂ ବୁଥକୁ ପହଞ୍ଚି ମତଦାତା ମତାଦାନ ଆରମ୍ଭ କଲେଣି ।

ସେହିପରି ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମତଦାନ ସୁନିଶ୍ଚିତ କରାଯାଇଛି । ମତଦାତାମାନଙ୍କୁ କୋଭିଡ ନିୟମ ଅନୁପାଳନ ଲାଗି ଜିଲ୍ଲା ତଥା ବ୍ଲକ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ଝରିଗାଁ ବ୍ଲକର ୨୩ ଗୋଟି ପଞ୍ଚାୟତରେ ଜିଲ୍ଲା ପରିଷଦ ଲାଗି ୯ ଜଣ, ସମିତି ସଭ୍ୟ ପାଇଁ ୭୯ ଜଣ ପ୍ରାର୍ଥୀ ରହିଥିବା ବେଳେ ସରପଞ୍ଚ ଦୌଡରେ ୭୭ ଜଣ ଏବଂ ୱାର୍ଡସଭ୍ୟ ପାଇଁ ୧୬୦ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ମୋଟ ୫୦ ହଜାର ୧୧ ଜଣ ମହିଳା ଭୋଟର, ୪୯ ହଜାର ୬୮ ପୁରୁଷ ଭୋଟର ଏବଂ ଜଣେ ତୃତୀୟ ଲିଙ୍ଗୀ ଅଛନ୍ତି । ଅର୍ଥାତ୍ ମୋଟ ୯୯ ହଜାର ୮୦ ଜଣ ଭୋଟର ମତଦାନ କରିବେ ।

ଝରିଗାଁ ବ୍ଲକରେ ୯୧ ଜଣ ୱାର୍ଡ ସଭ୍ୟ, ୧ ଜଣ ପଞ୍ଚାୟତ ଏବଂ ୧ ଜଣ ସମିତି ସଭ୍ୟ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ୬ଟି ୱାର୍ଡ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଏହି ବ୍ଲକରେ ଚକଲାପଦର ଏବଂ ବେଲଗାଁ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ସର୍ବାଧିକ ଛଅ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ସମିତି ସଭ୍ୟ ପାଇଁ ରତାଖଣ୍ଡିଗୁଡା ପଞ୍ଚାୟତରେ ସର୍ବାଧିକ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି ।

ଆଜି ସକାଳ ୭ଟାରୁ ଦିନ ୧ଟା ସୁଦ୍ଧା ମତଦାନ ଚାଲିବ । ଝରିଗାଁ ବ୍ଲକରେ ରହିଥିବା ୨୫୭ ବୁଥ୍ ମଧ୍ୟରୁ ୩୭ ଗୋଟି ବୁଥ ନକ୍ସଲ୍ ପ୍ରବଣ ଅଞ୍ଚଳ, ୮୯ଟି ବୁଥ୍ ସମ୍ବେଦନଶୀଳ ଅଞ୍ଚଳ ଏବଂ ୫ଟି ବୁଥକୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଚନ୍ଦାହାଣ୍ଡି ବ୍ଳକର ୧୫୮ଟି ବୁଥରେ ୬୩୨ ଜଣ ପୋଲିଂ ଅଫିସର ନିୟୋଜିତ ହେବା ସହ ୫୧,୬୫୨ ଜଣ ଭୋଟର ନିଜ ମତଦାନ କରିବେ। ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଏବଂ ନକ୍ସଲ୍ ପ୍ରବଣ ଅଞ୍ଚଳମାନଙ୍କରେ ପୋଲିସ ପାଟ୍ରୋଲିଂ କଡାକଡି କରାଯିବ ବୋଲି ପୋଲିସ ବିଭାଗ ତରଫରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

10:20 February 16

ପୁରୀ ଜିଲ୍ଲାର ୩ ବ୍ଲକରେ ଚାଲିଛି ମତଦାନ

ପୁରୀ ଜିଲ୍ଲାର ୩ ବ୍ଲକରେ ଚାଲିଛି ମତଦାନ

ପୁରୀ: ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକର ୭୪ଟି ଗ୍ରାମ ପଞ୍ଚାୟତ ଓ ୮ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ଚାଲିଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ତିନୋଟି ବ୍ଲକର ମୋଟ ୩,୦୮,୨୪୧ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

କୃଷ୍ଣପ୍ରସାଦରେ ୧୬ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଥିବା ବେଳେ ବ୍ରହ୍ମଗିରିରେ ୨୫ ଓ କଣାସ ପାଇଁ ୨୮ ଜଣ ସେକ୍ଟର ଅଫିସର ଅଛନ୍ତି । ଉକ୍ତ ତିନୋଟି ବ୍ଲକରେ ୨୨୪ଟି ସମ୍ବେଦନଶୀଳ ବୁଥ ରହିଛି । ଅବାଧ ଓ ସ୍ବଚ୍ଛ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ମତଦାନ ହେବ । ପୁରୀ ଜିଲ୍ଲାରେ ମୋଟ 33ଟି ଜିଲ୍ଲା ପରିଷଦ ଜୋନ ଓ 268ଟି ପଞ୍ଚାୟତ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

10:19 February 16

କୋରାପୁଟର ୩ ବ୍ଲକରେ ଚାଲିଛି ମତଦାନ

କୋରାପୁଟର ୩ ବ୍ଲକରେ ଚାଲିଛି ମତଦାନ

କୋରାପୁଟ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କୋରାପୁଟରେ ଆରମ୍ଭ ହୋଇଯାଇଛି । ଜିଲ୍ଲାର ବୋରିଗୁମ୍ମା, ବନ୍ଧୁଗାଁ ଓ ସେମିଳିଗୁଡା ବ୍ଲକରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ବୁଥ୍‌ଗୁଡିକ ଆଗରେ ମହିଳାଠୁ ଆରମ୍ଭ କରି ବରିଷ୍ଠ ନାଗରକିଙ୍କ ଭିଡ ଜମିଛି । କୋରୋନା ଗାଇଡଲାଇନ ସହ ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାତା ମତଦାନ କରି ଖୁସି ଥିବା ଜଣାଇଛନ୍ତି ।

ସାଧାରଣ ପ୍ରଶାସନ ତଥା ପୋଲିସ ପ୍ରଶାସନ ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିବା ସେମିଳିଗୁଡା ଏସଡିପିଓ(SDPO) ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି ତିନୋଟି ବ୍ଲକର ସମୁଦାୟ ୧ ଲକ୍ଷ ୯୦ ହଜାର ୮୧୯ ଜଣ ଭୋଟର ୬୧ଟି ପଞ୍ଚାୟତରେ ଜିଲ୍ଲାପରିଷଦ ସଦସ୍ୟ , ପଞ୍ଚାୟତ ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତି ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ ଦେବେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

09:24 February 16

ପଞ୍ଚାୟତ ନିର୍ବାଚନ: ଭୋଟ୍ ଦେଉଛି ଯାଜପୁର, ଭୋଟରଙ୍କୁ ମିଳୁଛି ଗୋଲାପ

ପଞ୍ଚାୟତ ନିର୍ବାଚନ: ଭୋଟ୍ ଦେଉଛି ଯାଜପୁର, ଭୋଟରଙ୍କୁ ମିଳୁଛି ଗୋଲାପ

ଯାଜପୁର: ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର ବ୍ଲକର 26ଟି ଓ ଧର୍ମଶାଳା ବ୍ଲକର 45ଟି ପଞ୍ଚାୟତର 1,011ଟି ବୁଥରେ ସକାଳ 7 ଟାରୁ ଭୋଟ ପଡୁଛି । ଯାଜପୁର ବ୍ଲକର 4ଟି ଜୋନରେ 12 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ସେହିପରି ବ୍ଲକର 26ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ଯ ଓ ୱାର୍ଡମେମ୍ବର ପଦ ପାଇଁ ମୋଟ 374ଟି ବୁଥରେ ଆରମ୍ଭ ହୋଇଛି ଭୋଟଗ୍ରହଣ । ଭୋଟ ଗ୍ରହଣ କାର୍ଯ୍ୟରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ବ୍ଲକ ସ୍ତରରେ ପିଙ୍କ୍ ବୁଥ କରାଯାଇଛି ।

ବାଣପୁର ସ୍କୁଲ ପରିସରରେ ଦୁଇଟି ପିଙ୍କ୍ ବୁଥ କରାଯାଇଛି । ଏହି ଭୋଟ ଗ୍ରହଣ କେନ୍ଦ୍ରରେ ସମସ୍ତ କର୍ମଚାରୀ ମହିଳା ଅଟନ୍ତି । ବୁଥକୁ ବେଲୁନ ସାହାଯ୍ୟରେ ସଜାଯାଇଛି । ଭୋଟ ଦେବାକୁ ଆସୁଥିବା ସମସ୍ତ ଭୋଟରଙ୍କୁ ଗୋଲାପ ଫୁଲ ପ୍ରଦାନ କରାଯାଉଛି ।

ସେହିପରି ଧର୍ମଶାଳା ବ୍ଲକର 5ଟି ଜୋନର 45ଟି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ଯ ପ୍ରାର୍ଥୀଙ୍କ ପାଇଁ 637ଟି ବୁଥରେ ହେଉଛି ଭୋଟଗ୍ରହଣ । ସମସ୍ତ ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓ ଗ୍ରାଫି କରାଯାଉଛି । ପ୍ରତି ପଞ୍ଚାୟତରେ ନିର୍ବାଚନ ପରିଚାଳନା ପାଇଁ ଜଣେ ଜଣେ ସେକ୍ଟର ଅଫିସର ସହିତ ମୋବାଇଲ ପାର୍ଟି ନିଯୁକ୍ତ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲାରେ ବ୍ୟାପକ ପୋଲିସ ମୂତୟନ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

09:19 February 16

ବ୍ରହ୍ମଗିରିରେ ଚାଲିଛି ମତଦାନ

ବ୍ରହ୍ମଗିରିରେ ଚାଲିଛି ମତଦାନ

ବ୍ରହ୍ମଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇଯାଇଛି । ପୁରୀ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମଗିରି ବ୍ଲକ, କଣାସ ବ୍ଲକ ଏବଂ କୃଷ୍ଣପ୍ରସାଦ ବ୍ଲକରେ ମତଦାନ କରାଯାଉଛି । ଚଳିତ ଥର ପ୍ରଥମ କରି ନିର୍ବାଚନ ଅଧିକାରୀ ଜିଲ୍ଲାରେ 13ଟି ବୁଥକୁ ପିଙ୍କ୍ ବୁଥ୍ ରୂପେ ଘୋଷଣା କରିଛନ୍ତି । ସେଥି ମଧ୍ୟରୁ ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ପଞ୍ଚାୟତର 13 ନମ୍ବର ବୁଥକୁ ପିଙ୍କ ବୁଥ୍ ରୂପେ ଘୋଷଣା କରାଯାଇଛି ।


ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

08:15 February 16

Panchayat Polls: ଭୋଟ୍ ଦେଉଛି କେନ୍ଦ୍ରାପଡା

Panchayat Polls: ଭୋଟ୍ ଦେଉଛି କେନ୍ଦ୍ରାପଡା

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପଡୁଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ଡେରାବିଶ୍ ବ୍ଲକରେ ଆଜି ମତଦାନ କରାଯାଉଥିବା ବେଳେ ୨,୨୦୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । କୋଭିଡ କାଳର ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ କଡା ସୁରକ୍ଷା ସହ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜିଂ ଉପରେ ଗୁରୁତ୍ୱ ଦିଆଯାଇ ମତଦାନ କରାଯାଉଥିବା ଦେଖାଯାଇଛି । ଆଳି ଦେମାଳ ପଞ୍ଚାୟତରେ ମତଦାନ ଆରମ୍ଭ ହୋଇଥିଲା ବେଳେ ଉପଯୁକ୍ତ ପ୍ରାର୍ଥୀ ଦେଖି ଭୋଟ ଦିଆଯାଉଥିବା କହିଛନ୍ତି ଭୋଟର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

07:51 February 16

ଟାଙ୍ଗୀ ଓ ବୋଲଗଡ଼ରେ ନେତା ବାଛୁଛନ୍ତି ଜନତା

ଟାଙ୍ଗୀ ଓ ବୋଲଗଡ଼ରେ ନେତା ବାଛୁଛନ୍ତି ଜନତା

ଖୋର୍ଦ୍ଧା: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବୋଲଗଡ଼ ବ୍ଲକର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ୍ ଦେଇ ନିଜ ନେତାଙ୍କୁ ବାଛିବା ପାଇଁ ଲାଗିଛି ଭୋଟରଙ୍କ ଲମ୍ବା ଲାଇନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଏବଂ ବୋଲଗଡ଼ ବ୍ଲକରେ ସମୁଦାୟ 28 ଜିଲ୍ଲା ପରିଷଦ ପ୍ରାର୍ଥୀ, 173 ସରପଞ୍ଚ ପ୍ରାର୍ଥୀ,180 ସମିତିସଭ୍ୟ ପ୍ରାର୍ଥୀ ଓ 1,074 ୱାର୍ଡ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2 ଲକ୍ଷ 40ହଜାର 487 ଭୋଟର ।

ସକାଳ 7ଟାରୁ ଦିନ 1ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନିର୍ବାଚନକୁ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

07:41 February 16

ପଞ୍ଚାୟତ ନିର୍ବାଚନ: ଭୋଟ୍ ଦେଉଛି କଳାହାଣ୍ଡି, ୭ ଜୋନରେ ଚାଲିଛି ମତଦାନ

ପଞ୍ଚାୟତ ନିର୍ବାଚନ: ଭୋଟ୍ ଦେଉଛି କଳାହାଣ୍ଡି, ୭ ଜୋନରେ ଚାଲିଛି ମତଦାନ

ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଜି ଜୁନାଗଡ଼ ବ୍ଲକର ୩୯୦ଟି ବୁଥରେ ୧ ଲକ୍ଷ ୭୩ ହଜାର ୬୬୦ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଗୋଲାମୁଣ୍ଡା ବ୍ଲକର ୩୨୭ଟି ବୁଥରେ ୧ ଲକ୍ଷ ୨୯ ହଜାର ୪୯୯ ଜଣ ଭୋଟର ଦେଉଛନ୍ତି ଭୋଟ୍ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୫୫ଟି ସମ୍ବେଦନଶୀଳ ବୁଥ୍ ରହିଛି । ଏନେଇ ୨୧ଟି ମୋବାଇଲ ପାଟ୍ରୋଲିଂ ଟିମ୍ ଓ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି । ଅନ୍ୟପକ୍ଷରେ ଜୁନାଗଡ଼ ବ୍ଲକର ୩୯୦ଟି ବୁଥରେ ୧ ହଜାର ୫୬୦ ଜଣ ନିର୍ବାଚନୀ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଗୋଲାମୁଣ୍ଡା ବ୍ଲକର ୩୨୭ଟି ବୁଥରେ ୧ ହଜାର ୩୦୮ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳା ସହ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

07:09 February 16

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ମତସାବ୍ୟସ୍ତ କରୁଛନ୍ତି ଭୋଟର ।

ଭୁବନେଶ୍ବର: ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭାଗ୍ୟ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୩୦ ଜିଲ୍ଲାର ୭୨ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତ ପାଇଁ ପଡୁଛି ଭୋଟ୍ । ଆଜି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଚାଲିବ ମତଦାନ । ଏନେଇ ସକାଳୁ ସକାଳୁ ବୁଥ୍‌ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ମତସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର ।

Last Updated :Feb 16, 2022, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.