ETV Bharat / city

ଏଣିକି ଅନଲାଇନରେ ରାସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜିକରଣ

author img

By

Published : Oct 22, 2020, 9:51 PM IST

Updated : Oct 22, 2020, 10:33 PM IST

5T କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନି ରାଜ୍ୟବାସୀ । ଏହି କ୍ରମରେ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରାସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏବେ ଅନଲାଇନରେ ହେବ । ଅଧିକ ପଢନ୍ତୁ..

ରାସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜିକରଣ ସବୁ ଏବେ ଅନଲାଇନ
ରାସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜିକରଣ ସବୁ ଏବେ ଅନଲାଇନ

ଭୁବନେଶ୍ବର : “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା , ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ ।’’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରିଛନ୍ତି । ଏହି କ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଞ୍ଜୀକରଣ ଠାରୁ ଆରମ୍ଭ କରି ରାସନ କାର୍ଡ ଆବେଦନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ଲୋକମାନେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ ।

ଏଣିକି ଅନଲାଇନରେ ରାସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜିକରଣ

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ NFSAରୁ ବାଦ୍‌ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିଛନ୍ତି । ସାରା ରାଜ୍ୟରେ ସାଢେ ତିନି କୋଟିରୁ ଅଧିକ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାରା ରାଜ୍ୟର ଲୋକ ଏହି ବିଭାଗ ସହିତ ସିଧାସଳଖ ଯୋଡି ହୋଇ ରହିଛନ୍ତି । ତେଣୁ ସାଧାରଣ ଲୋକ ପରିବର୍ତ୍ତନର ସୁଫଳ ଯେପରି ଠିକ୍‌ ଭାବରେ ପାଇପାରିବ, ସେଥିପାଇଁ ଅନ୍‌ ଲାଇନ ବ୍ୟବସ୍ଥା ସଂପର୍କରେ ବ୍ୟାପକ ସଚେତନତା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି । ମାସକ ମଧ୍ୟରେ କେତେ ଲୋକ ଏହି ଅନ୍‌ଲାଇନ ସୁବିଧାର ବ୍ୟବହାର କଲେ, ସେ ସଂପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ଖାଦ୍ୟ ସୁରକ୍ଷା ଦିଗରେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ଯେଉଁ ବ୍ୟାପକ ପରିବର୍ତ୍ତନ ଆସିଛି, ସେ ସଂପର୍କିତ ସମସ୍ତ ତଥ୍ୟ ସମ୍ବଳିତ ଏକ ପୁସ୍ତକ Making of a Food Secure Odisha କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ଟି ସେବା ପାଇଁ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଗୁଡିକ ହେଲା – ଧାନ ବିକ୍ରୟ ପାଇଁ ଚାଷୀମାନଙ୍କ ପଞ୍ଜୀକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ ଇତ୍ୟାଦି, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍‌ସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନ ମାନଙ୍କ ଦ୍ବାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ । ଏସବୁ ସୁବିଧା ଗୁଡିକ www.foododisha.in ରେ Cetizen Services ଲିଙ୍କରେ ମିଳିପାରିବ ।

ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ୫ଟି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛି । ଆଜିର ଏହି ଅନ୍‌ଲାଇନ ସେବା ଗୁଡିକ ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ସମସ୍ତଙ୍କୁ ସ୍ବାଗତ କରି ନୂତନ ସେବା ସଂପର୍କରେ ଏକ ଉପସ୍ଥାପନା ରଖିଛନ୍ତି । ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । ଅନେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଖାଦ୍ୟ ଯୋଗାଣ ବିଭାଗର କ୍ଷେତ୍ର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 22, 2020, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.