ETV Bharat / city

ଫସଲ ବୀମା ନେଇ ସରକାରଙ୍କ ଘୋଷଣା, 31 ସୁଦ୍ଧା ପଞ୍ଜୀକରଣ

author img

By

Published : Jul 21, 2020, 6:23 PM IST

ଫସଲ ବୀମା ନେଇ ସରକାରଙ୍କ ଘୋଷଣା, 31 ସୁଦ୍ଧା ପଞ୍ଜୀକରଣ
ଫସଲ ବୀମା ନେଇ ସରକାରଙ୍କ ଘୋଷଣା, 31 ସୁଦ୍ଧା ପଞ୍ଜୀକରଣ

ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୁବନେଶ୍ବର: ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଫସଲବୀମା ପଞ୍ଜୀକରଣ ଚାଷୀଙ୍କର ଇଚ୍ଛାଧିନ ବିଷୟ ହୋଇଥିବାରୁ ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟରେ ଇନ୍ସୁରାନ୍ସ୍ କମ୍ପାନୀ, ବ୍ୟାଙ୍କ୍, କ୍ଷେତ୍ର ସ୍ତରୀୟ କୃଷି କର୍ମଚାରୀ, କୃଷକ କ୍ଲବ୍, ପ୍ରଡ୍ୟୁସର ଗ୍ରୁପ୍ ମାନଙ୍କୁ ସକ୍ରିୟ ଭାବେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଜୁଲାଇ ୩୧ ତାରିଖ ସୁଦ୍ଧା ବୀମାଭୁକ୍ତ ହେବା ପାଇଁ ଇଚ୍ଛୁକ କୃଷକମାନେ ପଞ୍ଜୀକରଣ କରିପାରିବେ ।

ଫସଲ ବୀମା ନେଇ ସରକାରଙ୍କ ଘୋଷଣା, 31 ସୁଦ୍ଧା ପଞ୍ଜୀକରଣ
ଫସଲ ବୀମା ନେଇ ସରକାରଙ୍କ ଘୋଷଣା, 31 ସୁଦ୍ଧା ପଞ୍ଜୀକରଣ

ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଫସଲ ବୀମା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଏହି ନିର୍ଦ୍ଦେଶ ନେଇଛନ୍ତି । ଫସଲ ବୀମା ସମ୍ବନ୍ଧିତ ବିଷୟ ଉପସ୍ଥାପନ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ ଯେ ଚଳିତ ଖରିପ୍ ଋତୁରେ ଧାନ, ମକା, କପା, ଚିନାବାଦାମ, ମାଣ୍ଡିଆ, ହରଡ, ଅଦା, ହଳଦୀ ଆଦି ୮ ଟି ଶସ୍ୟ ବୀମା ଅନ୍ତର୍ଭୁକ୍ତ କରାଯାଇଛି । ଇତିମଧ୍ୟରେ ଜମି ରେକର୍ଡକୁ ଜାତୀୟ ଶସ୍ୟ ବୀମା ପୋର୍ଟାଲ୍ ସହିତ ସଂଯୁକ୍ତ କରାସରିଛି । ଜୁଲାଇ ୩୧ ତାରିଖ ସୁଦ୍ଧା ବୀମାଭୁକ୍ତ ହେବା ପାଇଁ ଇଚ୍ଛୁକ କୃଷକମାନେ ପଞ୍ଜୀକରଣ କରିପାରିବେ ।

ବ୍ୟାଙ୍କ୍, ଇନ୍ସୁରାନ୍ସ୍ କମ୍ପାନୀ ପ୍ରତିନିଧି, ପ୍ରାଥମିକ କୃଷି ସମବାୟ ସମିତି କିମ୍ବା, ପଞ୍ଚାୟତ ଓ ବ୍ଳକ୍ ମାନଙ୍କରେ ଥିବା ଜନ ସେବା କେନ୍ଦ୍ର (କମନ୍ ସର୍ଭିସ୍ ସେଣ୍ଟର) ମାନଙ୍କରେ କୃଷକମାନେ ନିଜକୁ ପଞ୍ଜୀକୃତ କରିପାରିବେ ।

କୃଷି ନିର୍ଦ୍ଦେଶକ ମୁଥୁ କୁମାର ଜଣାଇଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ଲଗାତାର ଭାବେ ବୀମାଭୁକ୍ତ ଚାଷ ଜମିର ପରିମାଣ ବୃଦ୍ଧି ପାଇଛି । ୨୦୧୬ ମସିହା ଖରିଫ୍ ଋତୁରେ ୧୨.୫୭ ଲକ୍ଷ ହେକ୍ଟର, ୨୦୧୭ ମସିହାରେ ୧୩.୪୬ ଲକ୍ଷ ହେକ୍ଟର, ୨୦୧୮ ମସିହାରେ ୧୪.୨୬ ଲକ୍ଷ ହେକ୍ଟର ଏବଂ ୨୦୧୯ ମସିହାରେ ୧୮.୫୨ ଲକ୍ଷ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା । ୨୦୧୬ ମସିହାଠାରୁ ରିମୋର୍ଟ ସେନ୍ସିଂ ଆପ୍ଲିକେସନ୍ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଫସଲ କଟା ପରୀକ୍ଷଣ ସଫଳତାର ସହ କରାଯାଉଛି । ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ବୋଲି ମୁଥୁ କୁମାର କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି ଯୋଜନାରେ ଚାଷ ଜମିର ଆକାର ଏବଂ ଫସଲର ପ୍ରକାର ଅନୁସାରେ ବୀମା ରାଶି ନିର୍ଦ୍ଧାରଣ ହୁଏ । ନିର୍ଦ୍ଧାରିତ ରାଶିର ଶତକଡା ୨ ଭାଗ ଚାଷୀ ଦିଅନ୍ତି । ଅବଶିଷ୍ଟ ରାଶିର ଶତକଡା ୫୦ ଭାଗ ରାଜ୍ୟ ଓ ଶତକଡା ୫୦ ଭାଗ କେନ୍ଦ୍ର ସରକାର ଦିଅନ୍ତି । ଅର୍ଥକାରୀ ଫସଲ ଯଥା କପା, ଅଦା ଓ ହଳଦୀ ପାଇଁ ଚାଷୀଙ୍କୁ ବୀମା ରାଶିର ଶତକଡା ୫ ଭାଗ ଏବଂ ଅନ୍ୟାନ୍ୟ ଫସଲ ପାଇଁ ଶତକଡା ୨ ଭାଗ ଦେବାକୁ ହୁଏ । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଅଧିକରୁ ଅଧିକ ଚାଷୀଙ୍କୁ ଏହି ଶସ୍ୟ ନିରାପତ୍ତା ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.