ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ଚିଠି, ବାଲେଶ୍ବରରେ ପ୍ରତିଷ୍ଠା ହେଉ ରାଜସ୍ବ ଡିଭିଜନ

author img

By

Published : Sep 29, 2021, 9:39 PM IST

ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ଚିଠି, ବାଲେଶ୍ବରରେ ପ୍ରତିଷ୍ଠା ହେଉ ରାଜସ୍ବ ଡିଭିଜନ
ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ଚିଠି, ବାଲେଶ୍ବରରେ ପ୍ରତିଷ୍ଠା ହେଉ ରାଜସ୍ବ ଡିଭିଜନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଆଖପାଖ ଜିଲ୍ଲାକୁ ମିଶାଇ ବାଲେଶ୍ବରକୁ ରାଜସ୍ବ ଡିଭିଜନର ମାନ୍ୟତା ପାଇଁ କଲେ ଦାବି । ବିଭିନ୍ନ କାରଣ ଦର୍ଶାଇ ଉତ୍ତର ଓଡିଶାବାସୀଙ୍କ ଦାବି ବୋଲି ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବାଲେଶ୍ବରରେ ରାଜସ୍ବ ଡିଭିଜନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ। ଜିଲ୍ଲାର ଭୌଗୋଳିକ ସ୍ଥିତି ଓ ଦୂରତାକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ନିକଟରେ ପ୍ରଶାସନିକ ସୁବିଧା ଯୋଗାଇ ଦେବାପାଇଁ ବାଲେଶ୍ବରକୁ ଏକ ରାଜସ୍ବ ଡିଭିଜନରେ ପରିଣତ କରିବାକୁ ଚିଠିରେ ଦାବି କରିଛନ୍ତି ନବଜ୍ୟୋତି । ଏଥିସହିତ ସେ ଉକ୍ତ ପତ୍ରର ଏକ ନକଲ ସେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି ।

ପତ୍ରରେ ନବଜ୍ୟୋତି ଲେଖିଛନ୍ତି, ରାଜ୍ୟ ସରକାର ସାଧାରଣ ଓ ରାଜ୍ୟ ପ୍ରଶାସନିକ କାର୍ଯ୍ୟ ସଫଳତାର ସହିତ ପରିଚାଳନା କରିବାକୁ 3ଟି ରାଜସ୍ବ ଡିଭିଜନ ଗଠନ କରିଛନ୍ତି । ତେବେ ପଶ୍ଚିମ ଓଡ଼ିଶାରେ ଥିବା ଜିଲ୍ଲାଗୁଡିକୁ ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅଧୀନରେ ରଖାଯାଇଥିବାବେଳେ ଦକ୍ଷିଣ ଓଡ଼ିଶାରେ ଥିବା ଜିଲା ଗୁଡିକୁ ବ୍ରହ୍ମପୁରସ୍ଥିତ ଦକ୍ଷିଣ ରାଜସ୍ବ ଡିଭିଜନ ଅଧୀନରେ ରଖାଯାଇଛି । ସେହିପରି ରାଜ୍ୟର ଅବଶିଷ୍ଟ ଜିଲାଗୁଡିକୁ ନେଇ ଗଠିତ ଏକ ବିଶାଳ ଅଞ୍ଚଳକୁ କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ ଅଧୀନରେ ରଖାଯାଇଛି । ଯାହା ମଧ୍ୟରେ ଉତ୍ତର ଓଡିଶାର ଜିଲ୍ଲା ସମୂହ ମଧ୍ୟ ରହିଛି। ତେଣୁ ଦୂରତା ଦୃଷ୍ଟିରୁ ଏହା ପ୍ରଶାସନିକ ସମସ୍ୟା ସୃଷ୍ଟି କରୁଛି।

ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ବାଲେଶ୍ବର ଓ ଏହାର ଆଖପାଖ ଜିଲ୍ଲାକୁ ନେଇ ଏକ ରାଜସ୍ବ ସବଡିଭିଜନ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ସଫଳ ଆଞ୍ଚଳିକ ପ୍ରତିନିଧିତ୍ବ ବ୍ୟବସ୍ଥା ପାଇଁ ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଏବଂ ଯାଜପୁର ଆଦି ଜିଲ୍ଲାଗୁଡିକୁ ସାମିଲ କରି ବାଲେଶ୍ବରରେ ଏକ ରାଜସ୍ବ ଡିଭିଜନ ସ୍ଥାପନ ପାଇଁ ନବଜ୍ୟୋତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ବାଲେଶ୍ବର ଉତ୍ତର ଓଡ଼ିଶାର ସର୍ବବୃହତ ସହର ଏବଂ ଏଠାରେ ଓଡ଼ିଶା ସରକାର ତଥା ଭାରତ ସରକାରଙ୍କର ବହୁ ବିଭାଗର ଡିଭିଜନାଲ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି । ତେଣୁ ଏହା ଅନ୍ୟ ପଡୋଶୀ ଜିଲ୍ଲାକୁ ମଧ୍ୟ ଉତ୍ତମ ଭାବେ ସଂଯୁକ୍ତ। ଏଠାରେ ରାଜସ୍ବ ଅଦାଲତଗୁଡିକ ନିକଟରେ ରହିଥିବାରୁ ଭୁସଂସ୍କାର ଏବଂ ଜମି ମାଲିକାନା ସମ୍ପର୍କିତ ଆଇନଗତ ବିବାଦ ଗୁଡିକର ମଧ୍ୟ ସହଜରେ ସମାଧାନ କରାଯାଇପାରିବ । ଏହା ଦ୍ବାରା ପେନସନ ମଞ୍ଜୁରୀ, ଗ୍ରାଚ୍ୟୁଇଟି, ମୃତ୍ୟୁଳାଳୀନ ତଥା ଅବସରକାଳୀନ ସୁବିଧା ସୁଯୋଗ ଏବଂ ଡିଭିଜନାଲ କାର୍ଯ୍ୟାଳୟର ହସ୍ତକ୍ଷେପ ଆବଶ୍ୟକ ହେଉଥିବା ଉତ୍ତର ଓଡିଶାର ଅଧିବାସୀ କଟକ ଯିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଉତ୍ତର ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ହୋଇରହିଛି, ତେଣୁ ଏକ ରାଜସ୍ବ ଡିଭିଜନ ମାନ୍ୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଚିଠିରେ ଲେଖିଛନ୍ତି ନବଜ୍ୟୋତି। ତେଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ ଉତ୍ତର ଓଡିଶାବାସୀ ଉପକୃତ ହୋଇପାରନ୍ତେ ବୋଲି ଲେଖିଛନ୍ତି ନବଜ୍ୟୋତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.