ETV Bharat / city

ଆଉନାହାନ୍ତି ବିଷ୍ଣୁ, ରାଜନୈତିକ ଓ ସାରସ୍ୱତ ଜଗତର ଅପୂରଣୀୟ କ୍ଷତି

author img

By

Published : Sep 19, 2022, 7:29 PM IST

many leaders and minister mourns for demise of BJP MLA Bishnu Sethi
ଆଉ ନାହାନ୍ତି ବିଷ୍ଣୁ, ରାଜନୈତିକ ଓ ସାରସ୍ବତ ଜଗତର ଅପୂରଣୀୟ କ୍ଷତି

୬୧ ବର୍ଷ ବୟସରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ହୋଇଛି । ବିଷ୍ଣୁ ସେଠୀଙ୍କ ଦେହାନ୍ତ ରାଜ୍ୟ ରାଜାନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହି ଦିବଙ୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନେତାଏ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୧୯୬୧ ମସିହା ଜୁନ୍‌ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ବିଷ୍ଣୁ ସେଠୀ । ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଧାମନଗର ବିଧାୟକ । ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଷ୍ଣୁ ସେଠୀଙ୍କ ପରଲୋକ ପରେ ରାଜ୍ୟ ନେତାମନ୍ତ୍ରୀ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇଛନ୍ତି (mourns for demise of BJP MLA Bishnu Sethi)।

ଆଉ ନାହାନ୍ତି ବିଷ୍ଣୁ, ରାଜନୈତିକ ଓ ସାରସ୍ବତ ଜଗତର ଅପୂରଣୀୟ କ୍ଷତି

ବିଧାନସଭାରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର ଏମ୍ସରୁ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ସିଧାସଳଖ ତାଙ୍କ କର୍ମକ୍ଷେତ୍ର ବିଧାନସଭା ଅଣା ଯାଇଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଷ୍ଣୁଙ୍କୁ ଶେଷ ଦର୍ଶନ କରିବା ପାଇଁ ବିଧାନସଭାରେ ବରିଷ୍ଠ ବିଧାୟକ ଓ ମନ୍ତ୍ରୀଙ୍କ ଭିଡ଼ ଜମିଥିଲା । ବିଧାନସଭାରେ ଶାଣିତ ସ୍ବରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ତାଙ୍କର ଶୈଳି ଥିଲା ନିଆରା । ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ ।

ଦକ୍ଷ ସଂଗଠକ ବିଷ୍ଣୁ ସେଠୀ

ଦକ୍ଷ ସଂଗଠକ ଭାବରେ ବିଜେପି ସଂଗଠନକୁ ମଜଭୁତ କରିବାରେ ବିଷ୍ଣୁ ସେଠୀଙ୍କ ଭୂମିକା ଅତୁଳନୀୟ । ତାଙ୍କ ବିୟୋଗ କେବଳ ବିଜେପି ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି । ବିଷ୍ଣୁ ଶାଣିତ ସ୍ବରରେ ସରକାରଙ୍କୁ ସମାଲୋଚନା କରୁଥିଲେ ।

ଜନ ଚିନ୍ତକ ବିଷ୍ଣୁ

ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ବିଧାନସଭା ପରିସରରେ ତାଙ୍କର ଶେଷ ଦର୍ଶନ କରି ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ନେତାଏ । ତୃଣମୂଳ ସ୍ତରରୁ ଛାତ୍ର ସମୟରୁ ସେ ରାଜନୀତିରେ ସକ୍ରିୟ ରହିଥିଲେ । ଜଣେ ନିଡର ନେତା ସହ କବି, ଲେଖକ, ସାମ୍ବାଦିକ ଭାବରେ ସେ ସୁନାମ ଅର୍ଜନ କରିଛନ୍ତି ।

ବିଷ୍ଣୁ ସେଠିଙ୍କ ବିୟୋଗକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ କିଶୋର ଦାସ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ନବ କିଶୋର ଦାସ । ସେହିପରି ବିଷ୍ଣୁଙ୍କ ଦେହାନ୍ତ ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।"

ବିଷ୍ଣୁଙ୍କ ବ୍ୟକ୍ତିତ୍ବ

ବିଷ୍ଣୁ ଜଣେ ବହୁତ ଭଲ ମଣିଷ ଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କୁ ଭଲ ପାଉଥିଲେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ରଙ୍କ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଓଡ଼ିଶା ଜଣେ ସକ୍ରିୟ ଏବଂ ଲୋକପ୍ରିୟ ରାଜନେତାଙ୍କୁ ହରାଇଲା ।

ସାରସ୍ବତ ସାଧକ ବିଷ୍ଣୁ

ଦିବଙ୍ଗତ ନେତା ବିଷ୍ଣୁ ସେଠୀ ଜଣେ ଓଡ଼ିଆ ସାହିତ୍ୟିକ, ସଫଳ ତଥା ଲୋକପ୍ରିୟ ରାଜନେତା ଭାବରେ ସର୍ବଦା ମନେ ରହିବେ । ଓଏଏସ୍‌ ପାଇଥିଲେ ବି ଚାକିରି ନକରି ସେ ରାଜନୀତିରେ ମନ ବଳାଇଥିଲେ । ତାଙ୍କର ବିୟୋଗ ଓଡିଶା ରାଜନୈତିକ ଏବଂ ସାରସ୍ବତ ଜଗତର ଅପୂରଣୀୟ କ୍ଷତି ।

ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, "ଜଣେ ସ୍ପଷ୍ଟବାଦୀ, ନିର୍ଭୀକ ଜନନାୟକ ଭାବେ ପରିଚିତ ବିଧାୟକ ବିଷ୍ଣୁ ଚରଣ ସେଠୀ ଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ଦୁଃଖୀତ ଓ ମର୍ମାହତ । ବରିଷ୍ଠ ରାଜନେତା, ବିରୋଧୀ ଦଳର ଉପନେତା ତଥା ଓଡିଶା ପ୍ରଦେଶର ଜଣେ ଟାଣୁଆ ନେତା ଭାବରେ ସେ ପରିଚିତ ଥିଲେ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ।"

ସ୍ପଷ୍ଟବାଦୀ ଥିଲେ ବିଷ୍ଣୁ

ବିଷ୍ଣୁ ସେଠୀ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତିତ୍ବ ଥିଲେ । ନିଜ ରଚିତ ଗୀତ ଓ କବିତା ମାଧ୍ୟମରେ ଲୋକଙ୍କ ସମସ୍ୟାକୁ ବିଧାନସଭା ଗୃହରେ ଉପସ୍ଥାପନ କରୁଥିଲେ । ନିଜର ବେପରୁଆ କଥା ଯୋଗୁଁ ସେ ଅନେକ ସମୟରେ ବିବାଦିତ ରହିଥିଲେ ବି ଲୋକ ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ଆଜି ତାଙ୍କର ସେହି କଥାଗୁଡ଼ିକୁ ସଭିଏଁ ଝୁରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.