ETV Bharat / city

ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 10, 2021, 9:28 PM IST

ଲଣ୍ଡନରେ ପ୍ରତିଷ୍ଠା ହୋଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୀ ଶ୍ରୀ ଜଗନ୍ନାଥ ମଣ୍ଡଳର ବିଶିଷ୍ଟ ପୁରୋହିତମାନଙ୍କ ମାର୍ଗଦର୍ଶନରେ ବିସ୍ତୃତ ରୀତିନୀତିରେ ଦେବତାମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି । ଅଧିକ ପଢନ୍ତୁ...

Lord Jagannath in London
Lord Jagannath in London

ଭୁବନେଶ୍ବର: ଲଣ୍ଡନରେ ପ୍ରତିଷ୍ଠା ହୋଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୀ ଶ୍ରୀ ଜଗନ୍ନାଥ ମଣ୍ଡଳର ବିଶିଷ୍ଟ ପୁରୋହିତମାନଙ୍କ ମାର୍ଗଦର୍ଶନରେ ବିସ୍ତୃତ ରୀତିନୀତିରେ ଦେବତାମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହା ସହ 2024 ସୁଦ୍ଧା 4 ମିଲିୟନ ଡଲାର ମୂଲ୍ୟରେ ଲଣ୍ଡନରେ ଏକ ବର୍ଣ୍ଣାଢ୍ୟ ମନ୍ଦିର ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।

ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା

ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତିଙ୍କ ପରାମର୍ଶ କ୍ରମେ ଧାର୍ମିକ ରୀତିନୀତିରେ ଏକ ପବିତ୍ର ନିମ ଗଛର ମୂଳରୁ ଦେବତାମାନଙ୍କର ମୂର୍ତ୍ତି ଗଢା ହୋଇଛି । ପରେ ଭାବ ଭକ୍ତିର ସହ ବ୍ରିଟେନର ମନ୍ଦିରକୁ ଏହା ପଠା ଯାଇଥିଲା । ଏକ ସପ୍ତାହ ବ୍ୟାପୀ ଉତ୍ସବ ଆୟୋଜନ କରାଯାଇ ବିଗ୍ରହ ସ୍ଥାପନା କରାଯାଇଛି । କାର୍ଯ୍ୟକ୍ରମରେ ବ୍ରିଟେନର ବିଶିଷ୍ଟ ବ୍ୟକ୍ତିତ୍ବ, ବିଭିନ୍ନ ଧାର୍ମିକ ସଂଗଠନର ପ୍ରମୂଖ, ମନ୍ଦିର ଏବଂ ଗୁରୁଦ୍ବାରର ପ୍ରତିନିଧୀମାନେ ଯୋଗ ଦେଇଥିଲେ । ପରେ ରୀତିନୀତି ଅନୁସାରେ ଦେବତାମାନଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ବ୍ରିଟେନରେ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ସାଉଥ ହଲ, ଶ୍ରୀ ରାମ ମନ୍ଦିର ସହଭାଗିତାରେ ଦେବତା ପ୍ରତିଷ୍ଠା ହୋଇଛନ୍ତି ।

Photo
ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା

ଏହା ସହ ଗ୍ରେଟର ଲଣ୍ଡନ ଅଞ୍ଚଳରେ ବ୍ରିଟେନର ପ୍ରଥମ ସ୍ବତନ୍ତ୍ର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଯୋଜନା ଘୋଷଣା ହୋଇଛି । ଓଡିଶାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଥାରେ ଏହି ମନ୍ଦିର ନିର୍ମାଣ ହେବ । 2024 ସୁଦ୍ଧା 4 ମିଲିୟନ ଡଲାରର ଆନୁମାନିକ ମୂଲ୍ୟରେ ଏହା ନିର୍ମାଣ ହେବ । ଟ୍ରଷ୍ଟ ସକ୍ରିୟ ଭାବେ ଲଣ୍ଡନର ଉତ୍ତର- ପଶ୍ଚିମରେ ଥିବା M25 କରିଡର ଅଞ୍ଚଳରେ ଏକ ବଡ ଜମି ଖୋଜୁଛି । ଏହା ସହ ପାଣ୍ଠି ସଂଗ୍ରହ କାର୍ଯ୍ୟ ଜାରି ରହିଛି ।

Photo
ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା

ଏ ନେଇ ଶ୍ରୀଜଗନ୍ନାଥ ସୋସାଇଟି ବ୍ରିଟେନର ଚେୟାରମ୍ୟାନ ଡକ୍ଟର ସହଦେବ ସ୍ବାଇଁ ସୂଚନା ଦେଇଛନ୍ତି । ଲଣ୍ଡନରେ ଏକ ସ୍ଵତନ୍ତ୍ର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ମହାରାଜାଙ୍କ ଆଶୀର୍ବାଦ ଗ୍ରହଣ କରିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବ୍ରିଟେନର ବ୍ୟବସାୟ ତଥା ଶିଳ୍ପପତିମାନଙ୍କର ଏଥିପାଇଁ ସମର୍ଥନ ପ୍ରଦାନ କରିଛନ୍ତି ।

ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସୋସାଇଟି ଲଣ୍ଡନରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଆଉ ଏକ ବାସସ୍ଥାନ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବାରୁ ସେ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ପ୍ରବାସୀ ଓଡିଆ ମାନେ ରାଜ୍ୟକୁ କୋଭିଡରେ ସହାୟତା ରାଶି ଓ ରିଲିଫ ସାମଗ୍ରୀ ପ୍ରଦାନ ପାଇଁ ଟ୍ରଷ୍ଟକୁ ପ୍ରଶଂସା କରିଛନ୍ତି ।

Photo
ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା

ମୋହନଜୀ ଫାଉଣ୍ଡେସନର ବ୍ରାହ୍ମରିଶି ମୋହନଜୀ ଏବଂ ଶିରଡି ସାଇ ଗ୍ଲୋବାଲ ଫାଉଣ୍ଡେସନର ମୁଖ୍ୟ ଗୁରୁଜୀ ଡକ୍ଟର ସିବି ଶତପଥୀ ସମ୍ବୋଧିତ କରିଛନ୍ତି । ଲଣ୍ଡନରେ ପ୍ରଭୁ ଜଗନ୍ନାଥ ପ୍ରତିଷ୍ଠା ପାଇଁ SJS ୟୁକେ ସଦସ୍ୟଙ୍କ ନିରନ୍ତର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି ।

Photo
ଲଣ୍ଡନରେ ପ୍ରତିଷ୍ଠା ହେଲା ଶ୍ରୀ ଜଗନ୍ନାଥଙ୍କ ପ୍ରତିମା

ଏହାସହ ଭାରତୀୟ ହାଇ କମିଶନ ପ୍ରତିମା ସ୍ଥାପନା ଦିନ ଉଭୟ ଟ୍ରଷ୍ଟକୁ ଉତ୍ସାହିତ କରିବା ପାଇଁ ପ୍ରତିନିଧି ପଠାଇଥିଲେ । ଶ୍ରୀରାମ ମନ୍ଦିର ସାଉଥ ହଲ ଅଧ୍ୟକ୍ଷ ଉମେଶ ଶର୍ମା ଓ ଅନେକ ଗୁରୁଦ୍ବାର, ମନ୍ଦିର ତଥା ସାମାଜିକ-ସାଂସ୍କୃତିକ ତଥା ଧାର୍ମିକ ସଂଗଠନର ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭକ୍ତ ମାନଙ୍କର ଏକ ଚିତ୍ତାକର୍ଷକ ଭଜନ ଅଧିବେଶନ ସହ ନଗର କୀର୍ତ୍ତନ କରିଥିଲେ । ଏହା ପରେ ଭକ୍ତମାନଙ୍କୁ ପ୍ରଭୁ ଜଗନ୍ନାଥଙ୍କ ପାରମ୍ପାରିକ ଛପନ ଭୋଗ ପ୍ରସାଦ ପରିବେଷଣ କରାଯାଇଥିଲା । ଯେଉଁଥିରେ 56ଟି ବିଶେଷ ସୁସ୍ବାଦୁ ଖାଦ୍ୟ ରହିଥିଲା । ବାହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଡ. ଅରୁଣ କୁମାର ପ୍ରହରାଜ, ବ୍ରିଟେନର ଜଗନ୍ନାଥ ସୋସାଇଟିର ଏହି ବ୍ୟବସ୍ଥା ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀଜଗନ୍ନାଥ ସୋସାଇଟି ବ୍ରିଟେନର ସମସ୍ତ ସଦସ୍ୟ ତଥା କାର୍ଯ୍ୟକାରୀ କମିଟିକୁ ଏହି ଶୁଭ ଉତ୍ସବ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.