ETV Bharat / city

ଆଉ କେତେ ଜୀବନ ନେବ ସରକାର? ଜବାବ ମାଗୁଛନ୍ତି ଜନତା

author img

By

Published : Sep 20, 2021, 10:50 PM IST

Updated : Sep 20, 2021, 10:56 PM IST

ରାଜଧାନୀର ଏପରି ଅବ୍ୟବସ୍ଥା ପାଇଁ ଦାୟୀ କେବଳ ସରକାର । ଭୁବନେଶ୍ବରରେ ଜାଗା ପ୍ଲଟିଂ କରି ମନ ଇଚ୍ଛା ବିକ୍ରି କଲେ ବିଲ୍ଡର । ଘର କରିବାକୁ ଆବେଦନ କଲେ କୌଣସି ନୀରକ୍ଷଣ ନକରି ମଞ୍ଜୁର ଦେଲା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ଅଧିକ ପଢନ୍ତୁ...

Bhubaneswar Drain
Bhubaneswar Drain

ଭୁବନେଶ୍ବର: ଘରର ଥିଲେ ସେ ବଡ ପୁଅ । ଭବିଷ୍ୟତକୁ ନେଇ ସ୍ବପ୍ନ ଥିଲା ଅନେକ । ସେଥି ପାଇଁତ ଛୋଟ ବେଳୁ କରୁଥିଲେ କଠିନ ପରିଶ୍ରମ । ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ଥିଲେ ଦଶମ ଶ୍ରେଣୀର ଛାତ୍ର। ନାଁ ଥିଲା ଜ୍ୟୋତି ପ୍ରକାଶ । କିନ୍ତୁ ଏହି ନିଷ୍ପାପ କୋମଳମତି ନାବାଳକକୁ ମାରିଦେଲା ସରକାରୀ ବ୍ୟବସ୍ଥାର ପୁଳା ପୁଳା ଅବ୍ୟବସ୍ଥା।

ଯାହାକୁ ନେଇ ଏବେ ସାଧରଣରେ ଉଠୁଛି ପ୍ରଶ୍ନ ପରେ ପ୍ରଶ୍ନ... ଦେଶର ପ୍ରଥମ ଓ ନମ୍ବର ୱାନ ସ୍ମାର୍ଟ ସିଟି ଭୁବନେଶ୍ବର । ଏଠି ସବୁ କିଛି ସ୍ମାର୍ଟ । ଏଠି ବ୍ୟବସ୍ଥା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ସୁବିଧା ସୁଯୋଗ ସବୁ ସ୍ମାର୍ଟ । ଏଠି ସହରରେ କାର୍ଯ୍ୟକାରୀ ହୁଏ ବିଶ୍ବସ୍ତରୀୟ ଯୋଜନା । ଏଠୁ ପରିଚାଳିତ ହୁଏ ରାଜ୍ୟର ଶାସନ । ଏଠି ବାସ କରନ୍ତି କ୍ଷମତା କେନ୍ଦ୍ରରର ସର୍ବୋଚ୍ଚ ଅଧିକାରୀ । ହେଲେ ସେହି ସ୍ମାର୍ଟ ସହର ଚାଲିଯାଏ ନିଷ୍ପାପ ଶିଶୁର ଜୀବନ । କେହି ଦାୟୀ ରୁହନ୍ତି ନାହିଁ ।

ଦିନ ଥିଲା ଗତକାଲି (ରବିବାର) । ସମୟ ଥିଲା ଦ୍ବି-ପ୍ରହର । ସବୁଦିନ ପରି ରବିବାର ମଧ୍ୟ ଟ୍ୟୁସନ ପାଇଁ ବାହାରି ଗଲେ ଜ୍ୟୋତି ପ୍ରକାଶ । ହେଲେ ବାଟରେ ଛକି ବସିଥିଲା ସରକାରୀ ଅବ୍ୟବସ୍ଥାର ମୃତ୍ୟ ଫାଶ । ଶତାଦ୍ଦୀ ନଗର ଲେନ ୭ । ଏହି ବିପଦ ପୂର୍ଣ୍ଣ ରାସ୍ତାରେ ଯାଉଥିବା ବେଳେ ମୁକୁଳା ଡ୍ରେନରେ ପଡି ଖସି ଚାଲିଯାଇଥିଲା ଜ୍ୟୋତିର ଜୀବନଜ୍ୟୋତି । ୧୮ ଘଣ୍ଟାର ଖୋଜା ଖୋଜି ପରେ ସୋମବାର ସକାଳୁ ମିଳିଥିଲା ଜ୍ୟୋତିଙ୍କ ମୃତ ଦେହ ।

ଏହା ପରେ ରାଜଧାନୀ ପୁରା କ୍ଷୁବ୍ଧ । ବ୍ୟବସ୍ଥାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ । ସରକାରୀ ଅଧିକାରୀଙ୍କ ଉପରେ ମନ ଇଚ୍ଛା ବର୍ଷୁଛନ୍ତି ସ୍ମାର୍ଟିସିଟି ବାସିନ୍ଦା । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ଆଉ କେତେ ଜୀବନ ନେବ ସରକାର? କେବେ ସୁଧୁରିବ ଡ୍ରେନ ଅବ୍ୟବସ୍ଥା? ଜ୍ୟୋତିଙ୍କ ଜୀବନଜ୍ୟୋତି ଲିଭିଯିବା ପାଇଁ କିଏ ଦାୟୀ? କାହିଁକି ମନ୍ତ୍ରୀ ସଚିବ ଦାୟୀ ରହିବେ ନାହିଁ ? ମାଳ ମାଳ ପ୍ରଶ୍ନ କରି ରାଜନୈତିକ ଦଳ ମଧ୍ୟ ସରକାରଙ୍କୁ କରୁଛନ୍ତି ଷଣ୍ଢୁଆସି ଆକ୍ରମଣ ।

କାହିଁକି ରାଜଧାନୀରେ ଡ୍ରେନ ସମସ୍ୟା?

ଭୁବନେଶ୍ବର ହେଉଛି ସ୍ବାଧିନ ଭାରତର ଆଧୁନିକ ଯୋଜାନବଦ୍ଧ ସହର । ୧୯୪୯ ମସିହାରେ ଏହି ସହରକୁ ଜର୍ମାନୀ ଇଂଞ୍ଜିନିୟରଙ୍କ ଦ୍ବାରା ପରିକଳ୍ପନା କରାଯାଇଥିଲା । ପ୍ରଥମେ ୪୦ ହଜାର ଲୋକଙ୍କ ଆବଶ୍ୟକତାକୁ ନେଇ ସହର ଗଠନର ପରିକଳ୍ପନା ହୋଇଥିଲା । କିନ୍ତୁ ସମୟ ସହ ଆଧୁନିକତାର ତାଳ ଦେଇ ଏବେ ରାଜଧାନୀର ଲୋକ ସଂଖ୍ୟା ପାଖାପାଖି ୨ ମିଲିୟନ । ସ୍ଥାନର ଆବଶ୍ୟକତା ପାଇଁ ସବୁଜମୟ ରାଜଧାନୀକୁ ସଫା କରି କରି ଗଢିଚାଲିଛି ଆଧୁନିକ କଂକ୍ରିଟ ସହର । କାଳକ୍ରମେ ପ୍ରାକୃତିକ ଡ୍ରେନ ପୋତି ହେବା ସହ ଲୋକଙ୍କ ଅକ୍ତିଆରକୁ ଚାଲିଗଲାଣି ପ୍ରାକୃତିକ ନାଳ ନର୍ଦମା । ଫଳରେ ବର୍ଷା ଦିନେ କୃତ୍ରିମ ବନ୍ୟା ସହ ଉଛୁଳା ଡ୍ରେନ ବଢାଇବାରେ ଲାଗିଛି ବିପଦ ।

ଡ୍ରେନକୁ ପୋତିଲା କିଏ?

ରାଜଧାନୀର ଏପରି ଅବ୍ୟବସ୍ଥା ପାଇଁ ଦାୟୀ କେବଳ ସରକାର । ଭୁବନେଶ୍ବରରେ ଜାଗାକୁ ପ୍ଲଟିଂ କରି ମନ ଇଚ୍ଛା ବିକ୍ରି କଲେ ବିଲ୍ଡର । ଘର କରିବାକୁ ଆବେଦନ କଲେ କୌଣସି ନୀରକ୍ଷଣ ନକରି ମଞ୍ଜୁର ଦେଲା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ଲୋକେ ସୁଯୋଗ ପାଇ ଅଳ୍ପ ଅଳ୍ପ କରି ପ୍ରାକୃତିକ ନାଳ ନର୍ଦମାକୁ ପୋତି ନିର୍ମାଣ କରି ଚାଲିଲେ ଘର । ଆଉ ଡ୍ରେନ ନିର୍ମାଣନେଇ ଭୁବନେଶ୍ବର ମହାନଗର ନିଗମ, ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଲା ଠେଲାପେଲା । ବର୍ଷା ଦିନେ ଉଛୁଳା ସ୍ଥିତି ପାଇଁ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ମୃତ୍ୟୁ ।

କେବେ ଚେତିବ ବିଏମସି ?

ମୁକୁଳା ଡ୍ରେନରେ ପଡି ଖାଲି ଜ୍ୟୋତି ପ୍ରକାଶର ଯାଇ ନାହିଁ ଜୀବନ । ବର୍ଷ ୨୦୧୫ ରେ ମମତାଜ ଅଲ୍ଲୀ ହାଇସ୍କୁଲ ନିକଟସ୍ଥ ମୁକୁଳା ଡ୍ରେନରେ ପଡି ଭାଷି ଯାଇଥିଲା ଜଣେ ନାବାଳକ । ଟ୍ୟୁସନରୁ ଫେରୁଥିବା ବେଳେ ଡ୍ରେନରେ ଗୋଡ ଖସି ଯାଇ ମା ସମ୍ମୁଖରେ ଚାଲି ଯାଇଥିଲା ଜୀବନ । ୨୦୧୬ ରେ ଶୈଳଶ୍ରୀ ବିହାରରେ ଡ୍ରେନରେ ଭାଷି ଯାଇ ଗୁରୁତ୍ବର ଆହତ ହେଲେ ଯୁବକ । ୨୦୧୭ ମସିହାରେ ନୂଆପଲ୍ଲୀ ବେହେରା ସାହିରେ ଭାଷିଗଲେ ଜଣେ ବୃଦ୍ଧା । ୨୦୧୮ ରେ ୟୁନିଟ ୬ ବସ୍ତି ସଂଲଗ୍ନ ଡ୍ରେନରେ ପଡି ଜଣେ ବୃଦ୍ଧଙ୍କ ଯାଇଥିଲା ଜୀବନ । ଏହାବାଦ ୨୦୧୯ ରେ ଏକାମ୍ର ଭିଲ୍ଲା ଅଞ୍ଚଳରେ ମଧ୍ୟ ସେହି ଡ୍ରେନରେ ପଡି ଭାଷି ଯାଇ ଯାଇଛି ଆଉ ଜଣେ ବୃଦ୍ଧାଙ୍କ ଜୀବନ । ଆଉ ଗୋଟିଏ ବର୍ଷ ଅନ୍ତରରେ ପୁଣି ସେହି ସମାନ ଘଟଣା ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସମସ୍ତ ଘଟଣାରେ ସରକାରୀ ଓ ଲୋକ ପ୍ରତିନିଧିଙ୍କ ମନ୍ତବ୍ୟ । ଯେତେବେଳେ ଏହି ଘଟଣା ମାନ ଘଟିଛି ତୁରନ୍ତ ରାଜଧାନୀ ନେତା ମାନେ ଘଟଣା ସ୍ଥଳକୁ ପହଞ୍ଚି ଦେଇଛନ୍ତି ସ୍ବର୍ଗରୁ ତୋଳି ଆଣି ପ୍ରତିଶୃତି । ଆଉ ଏଭଳି ଘଟଣା ଘଟିବ ନାହିଁ । ତୁରନ୍ତ ଡ୍ରେନ ସମସ୍ୟା ସୁଧୁରିବ । ନାଳ ନର୍ଦମା ସଫେଇ ହେବ । ମୁକୁଳା ଡ୍ରେନରେ ଢାଙ୍କୁଣୀ ପଡିବ । କିନ୍ତୁ ମୁଦ୍ଦା ଥଣ୍ଡା ପଡିଲେ ପ୍ରତିଶୃତି ସେହି ଡ୍ରେନ ପାଣିରେ ଯାଏ ଭାଷି । ୨୦୧୫ ମସିହାରୁ ସରକାରୀ ଦଳର ବିଧାୟକ ମନ୍ତ୍ରୀ ମାନେ ଏହି ପ୍ରତିଶୃତି ଦେଇ ଚାଲିଛନ୍ତି । ଆଉ ଆଜି ଜ୍ୟୋତିଙ୍କ ପ୍ରସଙ୍ଗରେ ମଧ୍ୟ ଅତି ବେପାରୁଆ ଭାବେ ସରକାରଙ୍କ ପ୍ରତିନିଧି ଘୋଷଣା କଲେ ୪ ଲକ୍ଷର ଅନୁକମ୍ପା ରାଶି ।

ଆଉ ବିଡମ୍ବନା ବିଏମସିର ବଜେଟ ବଢି ବଢି ଆସି ୫ ଶହ କୋଟି ରେ ପହଞ୍ଚିଲାଣି । ଏହାସହ ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ସରକାର ଦେଉଛନ୍ତି ପ୍ରଚୁର ଅର୍ଥ । ଅଥଚ ଭୁବନେଶ୍ବର ମହାନଗର ନିଗମ ଓ ନଗର ଉନ୍ନୟନ ବିଭାଗ ଲୋକଙ୍କୁ ଦେଇ ଚାଲିଛନ୍ତି ଧକ୍କା ପରେ ମହାଧକ୍କା । କାରଣ ବିଏମସି ହେଉ ବା ସ୍ମାର୍ଟ ସିଟିର ପ୍ରକଳ୍ପ । ସବୁ ଅଧା ପନ୍ତରିଆ । ସ୍ବରେଜ, ଡ୍ରେନେଜ, ପରିମଳ, ମୋ ଶୌଚାଳୟ, ମୋ ସାଇକେଲ, ମୋ ବସ, ମାଗଣା ୱାଇଫାଇ, ସୁରକ୍ଷା, ସବୁଥିରେ ଦେଇଛି ଧକ୍କା । ଗୋଟିଏ ମଧ୍ୟ ପ୍ରକଳ୍ପ ହୋଇପାରି ନାହିଁ ସମ୍ପୂର୍ଣ୍ଣ । ବିଏମସିର ନୂଆ କାର୍ଯ୍ୟାଳୟ ହେଉଛି । ବିଏମସି ଅଧିକାରୀଙ୍କ ପାଇଁ ଗାଡି କିଣା ଯାଉଛି । ବାର୍ଷିକ ବଜେଟ ବଢୁଛି । ବେଆଇନ ହୋର୍ଡିଂ, ପାର୍କିଂରୁ ଅର୍ଥ ଆଦାୟ ହେଉଛି । ଆଉ ଲୋକଙ୍କୁ ମରିବା ପାଇଁ ଛାଡି ଦିଆଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ?

ନିଜ ସରକାରର ଅବହେଳା ପାଇଁ ରାଜଧାନୀର ଛାତି ଉପରେ ଜଣେ ୧୫ ବର୍ଷର ନାବାଳକ ଜୀବନ ଯାଉଛି । ଏହା ପ୍ରଥମ ଥର ନୁହେଁ । ଲଗାତାର ଭାବେ ଜାରି ରହିଛି । । ଅଥଚ ମୁଖ୍ୟମନ୍ତ୍ରୀ କୌଣସି ମନ୍ତବ୍ୟ ନଦେବା ବଡ ସନ୍ଦେହ ସୃଷ୍ଟି କରିଛି । କାହିଁକି ମୁଖ୍ୟମନ୍ତ୍ରୀ ଚୁପ । ଭୁବନେଶ୍ବର ପାଇଁ ଘୋଷଣା କରିଥିବା ବିଶ୍ବସ୍ତରୀୟ ଘୋଷଣା, କେତେ ସଫଳ କେବେ ସମୀକ୍ଷା କରିଛନ୍ତି କି? ରାଜ୍ୟବାସୀଙ୍କୁ ନିଜ ପରିବାର କହୁଥିବା ମୁଖ୍ୟମନ୍ତ୍ରୀ, ନିଜ ପରିବାରରୁ ଜଣେ ଛାତ୍ରର ଅକାଳ ମୃତ୍ୟୁ ହେଲା କଣ ଜବାବ ଦେବେ ? ନିଜ ପରିବାରର ଜଣେ ସଦସ୍ୟ ଚାଲିଗଲେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ? ଜ୍ୟୋତି ପ୍ରକାଶଙ୍କ ପରିବାରକୁ କଣ ଜବାବ ଦେବେ ମୁଖ୍ୟମନ୍ତ୍ରୀ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 20, 2021, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.