ETV Bharat / city

'ରାଜ୍ୟବାସୀଙ୍କ ହକ୍ ମାରୁଛନ୍ତି କେନ୍ଦ୍ର ସରକାର'

author img

By

Published : Mar 31, 2021, 5:57 PM IST

Updated : Mar 31, 2021, 8:04 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଲାଗିବା ଘଟଣା । ଲୋଗୋ ଲଗାଇବା ରାଜ୍ୟବାସୀଙ୍କ ହକ୍ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲା ବିଜେଡି । ଅଧିକ ପଢନ୍ତୁ...

'ରାଜ୍ୟ ସରକାରଙ୍କ ହକ ମାରୁଛନ୍ତି କେନ୍ଦ୍ର ସରକାର'
'ରାଜ୍ୟ ସରକାରଙ୍କ ହକ ମାରୁଛନ୍ତି କେନ୍ଦ୍ର ସରକାର'

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଲାଗିବା ଘଟଣା । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେପି, ତା'ର ସାଂସଦ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଅଂଶଧନ ଅଛି । ବିଜୁ ପକ୍କା ଘର ଯୋଜନାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା ସେହି ଅର୍ଥ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେଉଛି । ଗ୍ରାମୀଣ ଗୃହ ନିର୍ମାଣରେ ଓଡିଶା କେନ୍ଦ୍ର ସରକାରଙ୍କ ଠାରୁ ଆଉଟଷ୍ଟାଣ୍ଡିଙ୍ଗ ପରଫରମାନ୍ସ ଆୱାର୍ଡ ପାଇଥିଲା । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଗତ 5 ବର୍ଷରେ ରାଜ୍ୟରେ 15 ଲକ୍ଷ 73 ହଜାର ଗୃହ ନିର୍ମାଣ ହୋଇଛି । ଏହି ବାବଦରେ କେନ୍ଦ୍ର ସରକାରଙ୍କର ପ୍ରାୟ 12 ହଜାର 928 କୋଟି ଖର୍ଚ୍ଚ ହୋଇଥିଲାବେଳେ ରାଜ୍ୟର ପ୍ରାୟ 8 ହଜାର 5 ଶହ 18 କୋଟି ଖର୍ଚ୍ଚ ହୋଇଛି ।

'ରାଜ୍ୟ ସରକାରଙ୍କ ହକ୍ ମାରୁଛନ୍ତି କେନ୍ଦ୍ର ସରକାର'

ବିଜେପି ସାଂସଦମାନେ ଏହି ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର ଚଲାଇଛନ୍ତି । ପାଖାପାଖି ଏକ ବର୍ଷରୁ ଅଧିକ ସମୟ ଧରି ଏ ଯୋଜନାକୁ ବନ୍ଦ କରାଯାଇଛି । ଓଡିଶାର 30 ହଜାର ଗାଁ ଲୋକେ ଏ ଯୋଜନା ଦ୍ବାରା ଉପକୃତ ହେଉଛନ୍ତି । କିନ୍ତୁ କେବଳ 3 ଶହ ଗାଁର ଅନିୟମିତତା ଦର୍ଶାଇ ଓଡ଼ିଶାର ସାଢେ ଚାରିକୋଟି ଲୋକଙ୍କ ହକକୁ ସେମାନେ ବାଧା ଦେଇଛନ୍ତି । ଫନି, ଅମ୍ଫାନ ଭଳି ପ୍ରାକୃତିକ ଦୁର୍ବିପାକରେ ଅନେକ ଲୋକ ବାସହୀନ ହୋଇଗଲେ । ହେଲେ ସେମାନଙ୍କ ଉପରେ କେନ୍ଦ୍ରର ନଜର ଆଜି ପର୍ଯ୍ୟନ୍ତ ପଡିପାରିଲା ନାହିଁ । କିନ୍ତୁ ବିଜେପି ଶାସିତ ଗୁଜୁରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଭଳି ରାଜ୍ୟମାନଙ୍କୁ ଗୃହ ଯୋଗାଇ ଦେଇଛନ୍ତି । କିନ୍ତୁ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଥିବା ଓଡିଶା ଉପରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଓଡିଶାବାସୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ରଖୁଛନ୍ତି ।

ପୂର୍ବରୁ ଗ୍ରାମୀଣ ଗୃହ ନିର୍ମାଣରେ କେନ୍ଦ୍ର ସରକାରଙ୍କର ଏବଂ ରାଜ୍ୟ ସରକାରଙ୍କ ସେୟାର 90:10 ଥିଲା । ଏବେ ତାହା 60 : 40 ହୋଇଛି । ଇନସେନଟିଭ୍, ପ୍ରଶାସନିକ ସମର୍ଥନ ଏବଂ ସୁପରଭିଜନ କରିବା ପାଇଁ ସବୁ ଅର୍ଥ ଓଡ଼ିଶା ସରକାର ବହନ କରୁଛନ୍ତି । ମୋଟ ଓଡ଼ିଶାବାସୀ ବର୍ଷମାନ 50 % ସେୟାର ବହନ କରୁଛନ୍ତି । ଓଡ଼ିଶାବାସୀଙ୍କ ଟଙ୍କା ଖର୍ଚ୍ଚ ହେଉଛି ତେବେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ରହିଲା ବୋଲି ବିଜେଡି ପ୍ରଶ୍ନ କରିଛି । ଗୁଜୁରାଟ ଓ ମଧ୍ୟପ୍ରଦେଶରେ 2011, 12, 13, 14 ମସିହାରେ ତତ୍କାଳୀନ ରାଜ୍ୟ ସରକାର ଗ୍ରାମୀଣ ଆବାସ ଯୋଜନାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ନିଜସ୍ୱ ଲୋଗୋ ବ୍ୟବହାର କରୁଥିଲେ ।

19 ଫେବ୍ରୁଆରୀ 2020 ରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ବାରା ଆଗତ ଆଡଜନମେଣ୍ଟ ମୋସନରେ ବିସ୍ତୃତ ଆଲୋଚନା ହୋଇ ଉଭୟ ଯୋଜନାର ଲୋଗୋକୁ ହିତାଧିକାରୀଙ୍କ ଗୃହରେ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ । ରାଜ୍ୟ ସରକାର କେନ୍ଦ୍ରକୁ ଲିଖିତ ଆକାରରେ ଏ ବିଷୟରେ ଅବଗତ କରାଇଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି । ଓଡିଶାବାସୀଙ୍କ ପଇସା ଖର୍ଚ୍ଚ ହେଉଛି ତେବେ ହିତାଧିକାରୀଙ୍କ ଗୃହରେ ବିଜୁ ପକ୍କାଘର ଲୋଗୋ ଲଗାଯିବାରେ ମନା କରାଯାଉଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 31, 2021, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.