ETV Bharat / city

ଗଞ୍ଜାମ କଂଗ୍ରେସର ସଙ୍ଗୀନ ଅଭିଯୋଗ, ହାଇକୋର୍ଟ ନିର୍ଦ୍ଦେଶକୁ ବ୍ରହ୍ମପୁର ମହାନଗର ନିଗମର ଅବମାନନା

author img

By

Published : Jul 29, 2022, 11:59 AM IST

ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ବର୍ଦ୍ଧିତ ଘର ଟିକସ ଆଦାୟ ଓ ଖଲ୍ଲିକୋଟ କଲେଜର ଇତିହାସ ନଷ୍ଟକୁ ଗଞ୍ଜାମ କଂଗ୍ରେସର ବିରୋଧ । ଅଧିକ ପଢନ୍ତୁ

ଆସନ୍ତା ୩ ତାରିଖରେ ମହାନଗର ନିଗମ କାର୍ଯ୍ୟଳୟ ଘେରାଉ କରିବ ଜିଲ୍ଲା କଂଗ୍ରେସ
ଆସନ୍ତା ୩ ତାରିଖରେ ମହାନଗର ନିଗମ କାର୍ଯ୍ୟଳୟ ଘେରାଉ କରିବ ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର: ଖଲ୍ଲିକୋଟ କଲେଜର ଇତିହାସ ନଷ୍ଟ ନକରିବା ସହ ବର୍ଦ୍ଧିତ ଘର ଟିକସ ଆଦାୟକୁ ବିରୋଧ କରିଛି ଗଞ୍ଜାମ କଂଗ୍ରେସ । ଏନେଇ ସ୍ଥାନୀୟ ବାପୁଜୀ ଆଶ୍ରମ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଜିଲ୍ଲା କଂଗ୍ରେସ । ଦୀର୍ଘ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation-BeMC) ଆଦାୟ କରୁଥିବା ବର୍ଦ୍ଧିତ ଘର ଟିକସକୁ ନିନ୍ଦା କରିଛି ଦଳ । କଂଗ୍ରେସ ନେତା ପୀତବାସ ପଣ୍ଡା କହିଛନ୍ତି ଯେ, "ଦୀର୍ଘ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମ ଯେଉଁଭଳି ଭାବେ ବର୍ଦ୍ଧିତ ଘର ଟିକସ ଆଦାୟ କରୁଛି ତାହା ନିନ୍ଦନୀୟ ।"

ଆସନ୍ତା ୩ ତାରିଖରେ ମହାନଗର ନିଗମ କାର୍ଯ୍ୟଳୟ ଘେରାଉ କରିବ ଜିଲ୍ଲା କଂଗ୍ରେସ

କଂଗ୍ରେସ ନେତା ଆହୁରି ଅଭିଯୋଗ କରିଛନ୍ତି ଯେ, "ଏହି ଘଟଣା ଉଚ୍ଚ ନ୍ୟାୟାଳୟରେ( High Court ) ବିଚାରଧୀନ ରହିଛି ଓ ନ୍ୟାୟାଳୟ ପୁରୁଣା ଦରରେ ଟିକସ ଆଦାୟ କରିବା ସହ ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୁଣି ଥରେ ବର୍ଦ୍ଧିତ ଟିକସ ଆଦାୟ କରାଯାଉଛି । ଆଗାମୀ ୩ ତାରିଖରେ ଏ ନେଇ କଂଗ୍ରେସ ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବ ।"

ଏହାସହ ବ୍ରହ୍ମପୁର ସହରର ଖଲ୍ଲିକୋଟ କଲେଜ ୧୪୪ ବର୍ଷର ମହାବିଦ୍ୟାଳୟ ହୋଇଥିବାବେଳେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହାର ଇତିହାସ ନଷ୍ଟ କରିବାକୁ ବସିଥିବା ଅଭିଯୋଗ କରିଛି କଂଗ୍ରେସ । ଗତବର୍ଷଠାରୁ ଏହାର ଇତିହାସ ନଷ୍ଟ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଉଛି । କଂଗ୍ରେସ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ସେତେବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ଖୁବଶୀଘ୍ର ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସୂଚନା ଅନୁସାରେ, କିଛି ବର୍ଷ ତଳେ ଏହାକୁ ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟରୁ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟରେ ପରିଣତ କରାଯାଇଥିଲା । ଗତ ବର୍ଷ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରାଯାଇଥିଲା । ଏହି ମହାବିଦ୍ୟାଳୟ ୧୮୭୮ ମସିହାରୁ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି । ତେବେ ଏହାର ଇତିହାସର ମୁକସାକ୍ଷୀ ରହିଥିବା ମୁଖ୍ୟ ଫାଟକର ନାମ ସହିତ ଏହାର ଏଷ୍ଟାବ୍ଲିଷମେଣ୍ଟକୁ ଲିଭାଇ ଦିଆଯାଇଛି ।

ଯାହାଦ୍ଵାରା ବର୍ତ୍ତମାନ ସରକାର ଏହାର ଇତିହାସ ନଷ୍ଟ କରିବାକୁ ବସିଛନ୍ତି । ତୁରନ୍ତ ଏହାକୁ ପରିବର୍ତ୍ତନ କରିବା ସହ ପୂର୍ବ ପରି ରଖିବାକୁ କଂଗ୍ରେସ ଦାବି କରିଛି । ଏହା ସହ ଯଦି କିଛି ଦିନ ମଧ୍ୟରେ ଏହା ପୂରଣ ନହୁଏ, ତେବେ ଆସନ୍ତା ୪ ତାରିଖରୁ କଂଗ୍ରେସ ସତ୍ୟାଗ୍ରହ କରିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.