ETV Bharat / city

ଅଘୋଷିତ ବିଜୁଳିକାଟ ଓ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ

author img

By

Published : Jul 15, 2021, 8:23 AM IST

ଅଘୋଷିତ ବିଜୁଳିକାଟ, ଲୋଭୋଲ୍ଟେଜ ଓ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ କରାଯାଇଛି। ଏଥିରେ ବରିଷ୍ଠ ବିଜେପି ନେତା ଭୂଗୁବକ୍ସି ପାତ୍ର , ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ଜିଲ୍ଲାର ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତିଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଅଧିକ ପଢନ୍ତୁ...

ଅଘୋଷିତ ବିଜୁଳିକାଟ ଓ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ
ଅଘୋଷିତ ବିଜୁଳିକାଟ ଓ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର: ଅଘୋଷିତ ବିଜୁଳିକାଟ, ଲୋଭୋଲ୍ଟେଜ ଓ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ କରାଯାଇଛି। ଓଡିଶା ସରକାର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀମାନଙ୍କୁ ଦାୟିତ୍ବ ଦେଇ ଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଏହି ଦାୟିତ୍ବ ଦିଆଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ବିଦ୍ୟୁତ କ୍ଷେତ୍ରରେ ସବୁ ପ୍ରକାର କ୍ଷତି ଓ ଅହେତୁକ ଲାଭକୁ ଭରଣା କରିବା ପାଇଁ ସରକାର ବିଦ୍ୟୁତ ଶୁଳ୍କର ବୃଦ୍ଧି ଘଟାଇ ଉପଭୋକ୍ତାମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଛନ୍ତି । ଯାହା ବର୍ତ୍ତମାନର କୋରୋନା ସମୟରେ ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ଅଘୋଷିତ ବିଜୁଳିକାଟ ଓ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ

ବିଗତ ଦୁଇ ବର୍ଷ ମଧ୍ୟରେ ବିଦ୍ୟୁତ ଦେୟ ସ୍ଲାବରେ ପରିବର୍ତ୍ତନ କରିବା ସହ କୋରୋନା ସମୟରେ ଦୁଇ ଦୁଇ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ହାରାହାରି ଉପଭୋକ୍ତା ପିଛା ୨୫୦ରୁ ୭୫୦ ଟଙ୍କା ବିଦ୍ୟୁତ ଶୁଳ୍କ ବଢ଼ାଇଛନ୍ତି । ଓଡିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟିର ବିଧାୟକମାନଙ୍କ ଦ୍ବାରା ଆଗତ କରାଯାଇଥିବା ମୁଲତବି ପ୍ରସ୍ତାବ ଆଧାରରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗକୁ ରିଭ୍ୟୁ ପିଟିସନ ଦେବେ ବୋଲି ଭତ୍ତର ରଖିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିନାହାନ୍ତି । ଏଥିରୁ ପ୍ରମାଣିତ ହେଉଛି ସରକାର ରାଜ୍ୟବାସୀଙ୍କ ସ୍ବାର୍ଥ ଅପେକ୍ଷା କମ୍ପାନୀର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛନ୍ତି ।

ଅନ୍ୟପକ୍ଷରେ ଦେଶର ସମସ୍ତ ରାଜ୍ୟ ସରକାର ତାଙ୍କ ରାଜ୍ୟରେ ବିଦ୍ୟୁତ ଦେୟ କ୍ଷେତ୍ରରେ ସବସିଡି ପ୍ରଦାନ କରୁଛନ୍ତି । ବିଶେଷ କରି ଓଡିଶାର ପାର୍ଶ୍ଵରେ ରହିଥିବା ସମସ୍ତ ରାଜ୍ୟ ସବସିଡି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର ସବସିଡି ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରିଛି ବିଜେପି । ତେଣୁ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ଆଧାରରେ ବିଦ୍ୟୁତ ଶୁଳ୍କ କମାଇବା ସହିତ ବିଭିନ୍ନ ଦାବି ପୂରଣ କରିବା ପାଇଁ ଶୋଭାଯାତ୍ରା କରି ଗତକାଲି(ବୁଧବାର) ଟାଟାପାୱାର ମୁଖ୍ୟ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଯାଇଥିଲା।

ଏପଟେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲୋଭୋଲ୍ଟେଜ ଆସୁଥିବାରୁ ପିଲାମାନେ ପାଠ ପଢାପଢି କରି ପାରୁନାହାନ୍ତି । ଏଣୁ ବିଦ୍ୟୁତ ସରବରାହରେ ସଠିକ ଭୋଲ୍ଟେଜ ଯୋଗାଇବାର ବ୍ୟବସ୍ଥା କରିବା, ଅଘୋଷିତ ବିଜୁଳି କାଟ ବନ୍ଦ କରି ସଂପୂର୍ଣ ରାଜ୍ୟକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦିଆଯିବା , କୃଷିକ୍ଷେତ୍ର ଓ ଶୀତଳଭଣ୍ଡାର ପାଇଁ ବିଦ୍ୟୁତ ଦେୟରେ ସବସିଡି ଦେବା,ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ବ୍ରହ୍ମପୁର ସହରରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରିବା, ବିପଦ ସଂଙ୍କୁଳ ଭାବେ ଥିବା ଟ୍ରାନ୍ସଫର୍ମର ଗୁଡିକରେ ବାଉଣ୍ଡ୍ରି ୱାଲ୍ କରିବା ଆଦି ଅନେକ ଦାବି କରାଯାଇଥିଲା । ଏଥିରେ ବରିଷ୍ଠ ବିଜେପି ନେତା ଭୂଗୁବକ୍ସି ପାତ୍ର , ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ଜିଲ୍ଲାର ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତିଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.