ETV Bharat / city

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଇତିହାସକୁ ବିକୃତ କରାଯାଉଥିବା ଅଭିଯୋଗ ଆଣିଲେ ପୁରାତନ ଛାତ୍ର

author img

By

Published : Sep 13, 2021, 8:13 PM IST

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଇତିହାସକୁ ବିକୃତ କରାଯାଉଥିବା ଅଭିଯୋଗ ଆଣିଲେ ପୁରାତନ ଛାତ୍ର । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ସହ ଦେଲେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଇତିହାସକୁ ବିକୃତ କରାଯାଉଥିବା ଅଭିଯୋଗ ଆଣିଲେ ପୂରାତନ ଛାତ୍ର
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଇତିହାସକୁ ବିକୃତ କରାଯାଉଥିବା ଅଭିଯୋଗ ଆଣିଲେ ପୂରାତନ ଛାତ୍ର

ବ୍ରହ୍ମପୁର: ନୂତନ ଭାବେ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିବା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ସ୍ଥାପନା ମସିହା ପରିବର୍ତ୍ତନକୁ ନେଇ ଦେଖାଦେଇଛି ବିବାଦ । ଖଲ୍ଲିକୋଟ କଲେଜର ଦୀର୍ଘ 143 ବର୍ଷର ଇତିହାସକୁ ବିକୃତ କରାଯାଉଥିବା ଅଭିଯୋଗ କରିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ପୁରାତନ ଛାତ୍ର । ପୂର୍ବତନ ଛାତ୍ର ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ଏବଂ ଅନ୍ୟ ସହଯୋଗୀଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଇତିହାସକୁ ବିକୃତ କରାଯାଉଥିବା ଅଭିଯୋଗ ଆଣିଲେ ପୂରାତନ ଛାତ୍ର

ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପ୍ରମୁଖ ସ୍ଥାନ ନେଇଥିବା ଏକ ପୁରାତନ ଶିକ୍ଷାନୁଷ୍ଠାନର ଇତିହାସକୁ ନଷ୍ଟ ଓ କଦର୍ଯ୍ୟ କରିବାକୁ ଏକ ହୀନଚକ୍ରାନ୍ତ ଆରମ୍ଭ ହୋଇଛି । ଏପରିକି ଏହା ଜାଣି ମଧ୍ୟ ସରକାର ଓ କଲେଜ କର୍ତ୍ତୃପକ୍ଷ ଅଜଣା ରହିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି କିଛି ପୁରାତନ ଛାତ୍ର ।

ବର୍ତ୍ତମାନର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ତଥା ପୁରୁଣା ଖଲ୍ଲିକୋଟ କଲେଜର ପ୍ରବେଶ ଦ୍ଵାରରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ 1878 ସ୍ଥାପିତ ବୋଲି ଉଲ୍ଲେଖ ଥିଲା । ହେଲେ ସେହି ନାମ ତୋରଣ ଉଠାଇ ନୂତନ ଭାବରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ 2021 ଲେଖାଯାଇଛି । ଯାହା କଲେଜର 143 ବର୍ଷର ଐତିହାସିକ ପରିଚୟକୁ ହଜାଇବାକୁ ଚେଷ୍ଟା ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ଛାତ୍ର ।

ଏଥିସହ ଖଲ୍ଲିକୋଟ କଲେଜ ପରିସରରେ "ଧରାକୋଟ ବିଜ୍ଞାନାଗାର "ନାମରେ ଏକ ପୁରାତନ କୋଠା ଥିଲା । ନବନିର୍ମାଣ ନାମରେ ସେହି କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେବା ସହ ଏଥି ସଂଲଗ୍ନ 1909 ମସିହାର ଫଳକକୁ ମଧ୍ୟ ଭାଙ୍ଗି ନଷ୍ଟ କରାଯାଇଛି ବୋଲି ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ରାଜା ହରିହର ମର୍ଦ୍ଧରାଜଙ୍କ ଵିୟୋଗ ପରେ ତାଙ୍କ ଭିଣୋଇ ତଥା ଧରାକୋଟ ରାଜା ମଦନ ମୋହନ ସିଂହଦେଓ କଲେଜ ପରିଚାଳନା ଦାୟିତ୍ବ ନେଲେ । ସେ 1909 ମସିହା ଫେବୃଆରୀ 4 ତାରିଖରେ ଏହି କୋଠା ନିର୍ମାଣ କରିଥିଲେ ଏବଂ ତତ୍କାଳୀନ ମାନ୍ଦ୍ରାଜ ଗଭର୍ଣ୍ଣର ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏଥିପାଇଁ ଧରାକୋଟ ରାଜା ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରିଥିଲେ ବୋଲି ମଧ୍ୟ ମତ ପ୍ରକାଶ ପାଏ ।

ଏହି କଥା ସରକାର ଓ କଲେଜ କର୍ତ୍ତୃପକ୍ଷ ଅବଗତ ଥାଇ ମଧ୍ୟ ଐତିହାସିକ ଫଳକଟିକୁ ସୁରକ୍ଷା ଦେଲେ ନାହିଁ । ଏହି ବିଜ୍ଞାନାଗର କୋଠାରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ପାଠପଢି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ସେଥିମଧ୍ୟରୁ ବିଶ୍ବପ୍ରସିଦ୍ଧ ଅନ୍ତରୀକ୍ଷ ବିଜ୍ଞାନୀ କୋଟା ହରିନାରାୟଣା ଅନ୍ୟତମ ଥିଲେ । ଏଣୁ ବିଶ୍ବବିଦ୍ୟାଳୟ ପରିସରରେ ପୁରୁଣା ବିଜ୍ଞାନାଗର ସଂଲଗ୍ନ 1909 ମସିହାର ଫଳକଟି ପୁନର୍ବାର ସ୍ଥାପନ କରିବା ସହ, ମୁଖ୍ୟ ଫାଟକରେ ସ୍ଥାପନା ବର୍ଷ 1878 ବୋଲି ଉଲ୍ଲେଖ କରିବାକୁ ଦାବି ହୋଇଛି । ଆସନ୍ତା 15 ଦିନ ମଧ୍ୟରେ ଏହି ୨ଟି ଦାବି ପୂରଣ ନ ହେଲେ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସହ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ପୁରାତନ ଛାତ୍ର ଚେତାବନୀ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.