ETV Bharat / city

୨୮ବର୍ଷ ବୟସରେ ୨ଟି କିଡନୀ ନଷ୍ଟ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

author img

By

Published : Sep 15, 2022, 9:16 PM IST

ଜୀବନ ଜିଇଁବା ବୟସରେ ଜୀବନ ପାଇଁ କରୁଛନ୍ତି ସଂଘର୍ଷ । ରାଜମିସ୍ତ୍ରୀ କାମ କରି ପରିବାର ପୋଷିବା କଷ୍ଟକର ଥିବା ବେଳେ ଏପଟେ ନଷ୍ଟ ହୋଇଯାଇଛି ୨ଟି କିଡ଼ନୀ । ଏମିତି ଦୁଃଖ ଓ ଯନ୍ତ୍ରଣା ଭିତରେ ଜୀବନ ବିତାଉଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ନୂଆଗାଁ ବଣିଆସାହିର କମଳାକାନ୍ତ ସାହୁ । ଅଧିକ ପଢନ୍ତୁ

୨୮ବର୍ଷ ବୟସରେ ୨ଟି କିଡନୀ ନଷ୍ଟ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ
୨୮ବର୍ଷ ବୟସରେ ୨ଟି କିଡନୀ ନଷ୍ଟ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ବାଲେଶ୍ବର: ପ୍ରତିଦିନ ଜୀବନ ସହ ସେ କରୁଛନ୍ତି ସଂଗ୍ରାମ । ଗୋଟେପଟେ ପରିବାରର ଦାୟିତ୍ବ ଅନ୍ୟପଟେ ପୁଣି ନୂଆ ଜୀବନ ପାଇବାର ଆଶା । ପରିବାର ମୁହଁରେ ଦାନା ଦେବାପାଇଁ ସେ ରାଜମିସ୍ତ୍ରୀ ଭାବେ କାମ କରନ୍ତି। ମାତ୍ର ଏବେ ତାଙ୍କ ଉପରେ ଛିଣ୍ଡି ପଡିଛି ଆକାଶ ଆଉ ପାଦ ତଳୁ ଖସି ଯାଇଛି ମାଟି। କାହିଁକି ନା ଦୁଇଟି ଯାକ କିଡ଼ନୀ ଖରାପ ଯୋଗୁଁ ନା ସେ କାମ କରିପାରୁଛନ୍ତି ନା ନିଜେ ଭଲ ହେବାପାଇଁ ଅର୍ଥ ଯୋଗାଡ଼ କରିପାରୁଛନ୍ତି। ବରଂ ପ୍ରତିଦିନ ନିଜ ଭାଗ୍ୟକୁ ନିନ୍ଦିବା ଛଡା ତାଙ୍କ ପାଖରେ କୌଣସି ଉପାୟ ନାହିଁ। ଏମିତି ଦୁଃଖ ଓ ଯନ୍ତ୍ରଣା ଭିତରେ ଜୀବନ ବିତାଉଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ନୂଆଗାଁ ବଣିଆସାହିର କମଳାକାନ୍ତ ସାହୁ।

୨୮ବର୍ଷ ବୟସରେ ୨ଟି କିଡନୀ ନଷ୍ଟ, ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

କମାଳାକାନ୍ତଙ୍କ ଦୃଷ୍ଟିଶକ୍ତି କମିଯିବାରୁ ସେ ଡାକ୍ତରଙ୍କ ପରାମର୍ଶ କରାଇଥିଲେ। ଦୃଷ୍ଟି ଶକ୍ତି ହଠାତ କେମିତି କମିଗଲା ସେନେଇ ବିଭିନ୍ନ ଡାକ୍ତରୀ ପରୀକ୍ଷା ପରେ ତାଙ୍କର ୨ଟି ଯାକ କିଡ଼ନୀ ଓ ଲିଭର ନଷ୍ଟ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ। ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ଓ ପରେ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ କିଡନୀ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଥିଲେ ।

ଆଉ ଏଥିପାଇଁ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଵୋଲି ଜାଣିବାକୁ ପାଇଥିଲେ କମଳାକାନ୍ତ । ମାତ୍ର ୨୮ ବର୍ଷ ବୟସରେ କମଳାକାନ୍ତଙ୍କ ଏମିତି ଅବସ୍ଥା ପାଇଁ ପରିବାର ଲୋକେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଜମିବାଡ଼ି ବିକ୍ରି କରି ଚିକିତ୍ସା କରାଇବା ପରେ ଏବେ ପ୍ରତିରୋପଣ ପାଇଁ ଆବଶ୍ୟକୀୟ ଅର୍ଥ ପାଇଁ ଚିନ୍ତାରେ ପଡିଛି ପରିବାର । ରାଜମିସ୍ତ୍ରୀ ଭାବେ କାମ କରି ୬ ଜଣ ପରିବାର ସଦସ୍ୟଙ୍କ ମୁହଁରେ ଦାନା ଦେଉଥିବା କମଳାକାନ୍ତ ଏବେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଯାଇଛନ୍ତି ।

ଏହା ବି ପଢନ୍ତୁ- କାଲି ଜଲୱା ଦେଖାଇବ ସୂର୍ଯ୍ୟକିରଣ, ଏୟାର ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ଘରେ ବୃଦ୍ଧ ବାପା ମା' ସାଙ୍ଗକୁ ସ୍ତ୍ରୀ ଓ ଦୁଇପୁଅ ଝିଅ ଥିବା ବେଳେ ପରିବାର ଚଳିବା ଏବେ କଷ୍ଟ ହେଉଛି। ଏମିତି ପରିସ୍ଥିତି ଭିତରେ କମଳାକାନ୍ତଙ୍କ ପରିବାର ବହୁ ଯନ୍ତ୍ରଣା ଭୋଗୁଛନ୍ତି । ଅନ୍ୟପଟେ ଗୋଟିଏ ଝୁମ୍ପୁଡି ଘରେ ପୁରା ପରିବାର ମୁଣ୍ଡ ଗୁଞ୍ଜୁଥିବା ବେଳେ କେମିତି କମଳାକାନ୍ତ ଭଲ ହେବେ ସେନେଇ ପରିବାରକୁ ଘାରିଛି ଚିନ୍ତା । ଏମିତି ପରିସ୍ଥିତି ଭିତରେ ସରକାରୀ କିମ୍ବା ବେସରକାରୀ ସ୍ତରରେ କମାଳାକାନ୍ତଙ୍କୁ ସହଯୋଗ କରିବା ପାଇଁ ଦାବି ହୋଇଛି ।

ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା କମଳାକାନ୍ତଙ୍କୁ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତାର ହାତ ବଢ଼ାଇବା ପାଇଁ ଚାହୁଁଥାନ୍ତି ତେବେ ତାଙ୍କ ମୋବାଇଲ ନମ୍ବର 9348865991ରେ କଲ କରି ସହଯୋଗ କରି ପାରିବେ । ସହଯୋଗର ହାତ ବଢିଲେ ହୁଏତ କମଳାକାନ୍ତ ଏକ ନୂଆ ଜୀବନ ପାଇ ପାରନ୍ତେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.