ETV Bharat / business

ବିଦେଶୀ ମୁଦ୍ରା ପ୍ରବାହ ପାଇଁ RBI ପଦକ୍ଷେପ: ବିଦେଶୀ ଜମା ଉପରେ ମିଳିବ ଅଧିକ ସୁଧ

author img

By

Published : Aug 7, 2022, 1:20 PM IST

ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ
ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ

ଭାରତରେ ବିଦେଶୀ ମୁଦ୍ରା ପ୍ରବାହ ପାଇଁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । ବିଦେଶୀ ଜମା ଉପରେ ଅଧିକ ସୁଧ ଦେବେ ବାଣିଜ୍ୟିକ ବ୍ୟାଙ୍କ । ଟଙ୍କାର ଅବମୂଲ୍ୟାୟନ ରୋକିବା ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଆରବିଆଇ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବର ସବୁ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ଶକ୍ତିଶାଳୀ ରହିଛି । ଲଗାତାର କିଛି ଦିନ ହେବ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟୁଛି । ନିକଟରେ ଟଙ୍କା ତୁଳନାରେ ଆମେରିକୀୟ ଡଲାର ମୂଲ୍ୟ ୮୦ ଟଙ୍କା ଅତିକ୍ରମ କରିବା ସହ ଟଙ୍କା ସର୍ବନିମ୍ନ ରେକର୍ଡ ସ୍ତରରେ ପହଞ୍ଚିଥିଲା । ତେଣୁ ଟଙ୍କାର ସୁରକ୍ଷା ଲାଗି ଏବେ ପଦକ୍ଷେପ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank) । ଟଙ୍କାକୁ ବଳ ଦେବା ପାଇଁ ଆରବିଆଇ(RBI) ଭାରତରେ ବିଦେଶୀ ମୁଦ୍ରା ପ୍ରବାହ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବିଦେଶୀ ମୁଦ୍ରା ଜମାକାରୀଙ୍କ ପାଇଁ କିଛି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି । ଦେଶର ପ୍ରମୁଖ ବାଣିଜ୍ୟକ ବ୍ୟାଙ୍କଗୁଡିକ ବିଦେଶୀ ମୁଦ୍ରା ଡିପୋଜିଟ ଉପରେ ସୁଧହାର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଭାରତର ସୁବୁଠୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ SBI ସମେତ କିଛି ବ୍ୟାଙ୍କ ବୈଦେଶିକ ମୁଦ୍ରା ଅଣ-ବାସିନ୍ଦା(FCNR) ଡିପୋଜିଟ ଉପରେ ଅଧିକ ସୁଧ ଦେବେ । ବିଦେଶରେ ଅର୍ଜିତ ଅର୍ଥରାଶିକୁ ଭାରତର ବାଣିଜ୍ୟିକ ବ୍ୟାଙ୍କରେ ଯେଉଁମାନେ ବିଦେଶୀ ମୁଦ୍ରାରେ ଜମା(deposite) ରଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଏଫସିଏନଆର(FCNR) ଆକାଉଣ୍ଟ ଖୋଲାଯିବ । ଏହାଦ୍ବାରା ଲୋକେ ସିଧାସଳଖ ବିଦେଶୀ ମୁଦ୍ରା ଜମା କରିପାରିବେ । ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବିଦେଶୀ ଜମା ଉପରେ ସୁଧହାର ବୃଦ୍ଧି ନିଷ୍ପତ୍ତିଙ୍କୁ ଅନୁମତି ଦେଇଛି ।

କେଉଁ ବ୍ୟାଙ୍କ ତେବେ କେତେ ସୁଧହାର ଦେବେ:

  • ଷ୍ଟେଟ ବ୍ୟାଙ୍କ ବିଭିନ୍ନ ଅବଧି ପାଇଁ FCNR ଆକାଉଣ୍ଟରେ ଆମେରିକୀୟ ଡଲାର ଉପରେ ସୁଧହାର ବୃଦ୍ଧି କରିଛି । ପୂର୍ବରୁ ସୁଧହାର ୨.୮୫ ପ୍ରତିଶତ ଥିବାବେଳେ SBI ଏହାକୁ ୩.୨୫ ପ୍ରତିଶତକୁ ବଢାଇଛି । ଏହା ଗତ ଜୁଲାଇ ୧୦ ତାରିଖରୁ କାର୍ଯ୍ୟକାରୀ ହୋଇଛି । ସେହିପରି ବାର୍ଷିକ ଡିପୋଜିଟକୁ ୧.୮୦ ପ୍ରତିଶତରୁ ୨.୮୫ ପ୍ରତିଶତ ଏବଂ ତିନିରୁ ଚାରି ବର୍ଷର ଡିପୋଜିଟ ଉପରେ ସୁଧହାର ୩.୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୫ ବର୍ଷର ବିଦେଶୀ ଜମା ଉପରେ ୩.୨୫ ସୁଧ ଘୋଷଣା କରିଛି ଷ୍ଟେଟ ବ୍ୟାଙ୍କ।
  • FCNR ଆକାଉଣ୍ଟରେ ଡଲାର ଡିପୋଜିଟ ଉପରେ ୩.୩୫ ପ୍ରତିଶତ ସୁଧହାର ବୃଦ୍ଧି କରିଛି ଏଚଡିଏଫସି(HDFC) । ବର୍ଷରୁ ଦୁଇ ବର୍ଷ ଡିପୋଜିଟ ଉପରେ ଏହି ସୁଧହାର ମିଳିବ । ଜୁଲାଇ ୯ ତାରିଖରୁ ଏହା କାର୍ଯ୍ୟକାରୀ ହୋଇଛି । ସମୟ ସମୟରେ FCNR ଡିପୋଜିଟ ଉପରେ ସୁଧ ବଢିବ ବୋଲି HDFC ସୂଚନା ଦେଇଛି ।
  • ଆଇସିଆଇସିଆଇ(ICICI ) ବ୍ୟାଙ୍କ ୩,୫୦,୦୦୦ ଡଲାରରୁ ଅଧିକ ଜମା ଉପରେ ସୁଧହାରକୁ ୦.୧୫ ପ୍ରତିଶତ ବୃଦ୍ଧି କରିଛି । ଜୁଲାଇ ୧୩ରୁ ନୂତନ ସୁଧହାର ୩.୫୦ ପ୍ରତିଶତ କରାଯାଇଛି । ଆଗାମୀ ୧୨ରୁ ୨୪ ମାସ ଯାଏଁ ଏହା ପ୍ରଯୁଜ୍ୟ ରହିବ ।
  • Equitas Small Finance Bank ଫିକ୍ସ ଡିପୋଜିଟ ଓ NRE ଆକାଉଣ୍ଟରେ ରିକରିଂ ଡିପୋଜିଟ(RD) ଲାଗି ସୁଧହାରରେ ସଂଶୋଧନ କରିଛି । ୮୮୮ ଦିନ ପାଇଁ ଫିକ୍ସ ଡିପୋଜିଟ ଉପରେ ପ୍ରାୟ ୭.୪୦ ପ୍ରତିଶତ ସୁଧ ମିଳିବ । ୩୬ ମାସର RD ଉପରେ ୭.୩୦ ପ୍ରତିଶତ ସୁଧ ଦେବ ବ୍ୟାଙ୍କ ।
  • IDFC ଫାଷ୍ଟ ବ୍ୟାଙ୍କ ଏକ ମିଲିୟନ ଡଲାରରୁ ଅଧିକ FCNR ଡିପୋଜିଟ ଉପରେ ୩.୫୦ ପ୍ରତିଶତ ସୁଧ ଧାର୍ଯ୍ୟ କରିଛି । ଏକ ବର୍ଷରୁ ୫ ବର୍ଷର ପିରିୟଡ ଯାଏଁ ଏହା ଲାଗୁ ହେବ । ଏହାବାଦ୍ ୫ ବର୍ଷର ଡିପୋଜିଟ ଉପରେ ୨.୫୦ ପ୍ରତିଶତ ସୁଧ ମିଳିବ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.