ETV Bharat / business

Repo Rate: ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ

author img

By

Published : Aug 10, 2023, 11:07 AM IST

ବଦଳିଲାନି ସୁଧହାର । ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ

ରେପୋ ରେଟ୍ ଅପରିବର୍ତ୍ତିତ
ରେପୋ ରେଟ୍ ଅପରିବର୍ତ୍ତିତ

ମୁମ୍ବାଇ: ବଢିଲାନି ସୁଧହାର । ପୂର୍ବଭଳି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି କ୍ରମାଗତ ତୃତୀୟ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ମୁଦ୍ରାନୀତି ବୈଠକ ପରେ ଆଜି ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କ(RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ୍ ବଢିଲେ EMI ବୋଝ ବଢୁଥିବାରୁ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି । ତେବେ ଏବେ ବି ଦେଶର ମୁଦ୍ରାସ୍ଫୀତି ହାର ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟ ୪ ପ୍ରତିଶତ ଠାରୁ ଅଧିକ ରହିଛି । ମୁଦ୍ରାନୀତି କମିଟି ଲଗାତାର ମୁଦ୍ରାସ୍ଫୀତି ଉପରେ ନଜର ରଖିଛି ଏବଂ ଏହାକୁ ଟାର୍ଗେଟ ସ୍ତରକୁ ଆଣିବାକୁ ପ୍ରଚେଷ୍ଟା କରୁଛି ବୋଲି ଗଭର୍ଣ୍ଣର କହିଛନ୍ତି ।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ସବୁ ପ୍ରାସଙ୍ଗିକ ଦିଗ ଉପରେ ବିସ୍ତୃତ ବିଚାର ବିମର୍ଶ ପରେ ୬ ଜଣିଆ ମୁଦ୍ରାନୀତି କମିଟି ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି । ଅନୁରୂପ ଭାବେ, ସ୍ଥାୟୀ ଜମା ସୁବିଧା (SDF) ଓ ସୀମାନ୍ତ ଜମା ସୁବିଧା(MSF) ରେଟ୍ ଯଥାକ୍ରମେ ୬.୨୫ ପ୍ରତିଶତ ଏବଂ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । କହିରଖୁଛୁ କି, ଗତ ଫେବୃଆରୀରେ ରିଜର୍ଭ ବ୍ୟାଙ୍କ ଶେଷ ଥର ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା ଏବଂ ସୁଧହାର ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ଏହାମଧ୍ୟ ପଢନ୍ତୁ: ତଳମୁହାଁ ସେନସେକ୍ସ୍‌, କ୍ଷତି ସହିଲେ ନାମୀଦାମୀ କମ୍ପାନୀ

ରେପୋ ରେଟ୍ ବଢିଲେ ବ୍ୟାଙ୍କ ଲୋନ ମହଙ୍ଗା ହୋଇଥାଏ । ଅଟୋ ଲୋନ, ହୋମ ଲୋନ ନେଇଥିବା ଲୋକଙ୍କୁ ଅଧିକ EMI ଦେବାକୁ ପଡିଥାଏ । ତେବେ ଲଗାତାର ତୃତୀୟ ଥର ସୁଧହାର ଅପରିବର୍ତ୍ତିତ ରଖାଯାଇଥିବା ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଭାରତ ଠିକ ଟ୍ରାକରେ ଆଗକୁ ବଢୁଛି । ନିକଟ ଭବିଷ୍ୟତରେ ଏହା ବିଶ୍ବର ଅଭିବୃଦ୍ଧି ଇଞ୍ଜିନ ହେବ । ଭାରତ ଦୁନିଆର ପଞ୍ଚମ ସର୍ବବୃହତ ଅର୍ଥନୀତି ଅଟେ ଏବଂ ଆମର ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଛି । ସମ୍ପ୍ରତ୍ତି ଭାରତ ବୈଶ୍ବିକ ଅର୍ଥନୀତିରେ ହେଉଥିବା ପରିବର୍ତ୍ତନରୁ ଲାଭ ଉଠାଇବାରେ ଭଲ ସ୍ଥିତିରେ ଅଛି । ବୈଶ୍ବିକ ବିକାଶ କ୍ଷେତ୍ରରେ ଭାରତୀୟ ଅର୍ଥବ୍ୟବସ୍ଥାର ଯୋଗଦାନ ପ୍ରାୟ ୧୫ ପ୍ରତିଶତ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରେପୋ ରେଟ୍ ହେଉଛି, ଯେଉଁ ସୁଧହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କ ଗୁଡିକୁ ଋଣ ଦେଇଥାଏ । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେଲେ ବ୍ୟାଙ୍କ ଲୋନ ଓ EMI ପ୍ରଭାବିତ ହୋଇଥାଏ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.