ETV Bharat / business

ନୂଆବର୍ଷ ପୂର୍ବରୁ ଖୁସି ଖବର; ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

author img

By ETV Bharat Odisha Team

Published : Dec 22, 2023, 10:15 AM IST

ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

LPG Price Cut: ଏଲପିଜି ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତି । ପାଖାପାଖି ୪୦ ଟଙ୍କା ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର । ଜାଣନ୍ତୁ କେଉଁ ସହରରେ କେତେ ଅଛି ଦର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଏଲପିଜି ଉପଭୋକ୍ତାଙ୍କୁ ଆଶ୍ବସ୍ତି । ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ଆଜି ୩୯ ଟଙ୍କା ୫୦ ପଇସା ହ୍ରାସ ପାଇଛି । ତୈଳ ବିପରଣ କମ୍ପାନୀ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର କମାଇଛନ୍ତି । ଏହି ସଂଶୋଧିତ ଦର ଆଜିଠୁ ଦେଶରେ ଲାଗୁ ହୋଇଛି । ତେବେ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୭୫୭ ଟଙ୍କା ୫୦ ପଇସା ହୋଇଯାଇଛି । ତେବେ ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିଛି । ଏଥିରେ କୌଣସି ସଂଶୋଧନ ହୋଇନାହିଁ ।

କମର୍ସିଆଲ ଗ୍ୟାସ୍ ଶସ୍ତା ହେବା ପରେ କୋଲକାତାରେ ଏହାର ମୂଲ୍ୟ ୧,୯୦୮ ଟଙ୍କାରୁ ୧,୮୬୮ ଟଙ୍କାକୁ ଖସି ଆସିଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇରେ ଏହି ଗ୍ୟାସ ଦାମ ୧,୭୧୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୧,୯୨୯ ଟଙ୍କାରେ ବିକ୍ରି ହେଉଛି । ଏହାପୂର୍ବରୁ ଡିସେମ୍ବର ୧ରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ସଂଶୋଧନ ହୋଇଥିଲା । ୨୧ ଟଙ୍କା ବୃଦ୍ଧି ପାଇଥିଲା ଏହି ଗ୍ୟାସ୍ ଦର । ସେଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିଲା ।

ଏହା ମଧ୍ୟ ପଢନ୍ତୁ : 2024ରେ 14 ଦିନ ବନ୍ଦ ରହିବ ସେୟାର ବଜାର, ଜାଣନ୍ତୁ କେଉଁ କେଉଁ ଦିନ ରହିବ ବନ୍ଦ

ଏହା ମଧ୍ୟ ପଢନ୍ତୁ : ଆରବିଆଇର ଚେତାବନୀ , ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଜରୁରୀ

ନଭେମ୍ବର ପହିଲାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମହଙ୍ଗା ହୋଇଥିଲା । ଏକା ଥରେ ୧୦୩ ଟଙ୍କା ବଢ଼ିଥିଲା ଦର । ଏହା ପୂର୍ବରୁ ମେ' ଓ ଜୁନ୍‌ ମାସରେ ଦର ଯଥାକ୍ରମେ ୧୭୨ ଟଙ୍କା ଓ ୮୩ ଟଙ୍କା କମିଥିଲା । ମୁଖ୍ୟତଃ ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟ ଗୁଡିକ କମର୍ସଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍ ଦାମ ବଢିଲେ ସେମାନେ ବି ନିଜ ଖାଦ୍ୟ ପଦାର୍ଥ ମୂଲ୍ୟ ବଢାଇଥାନ୍ତି । ତେଣୁ ନୂଆ ବର୍ଷ ପୂର୍ବରୁ କମର୍ସିଆଲ ଗ୍ୟାସ୍ ଦର ପାଖାପାଖି ୪୦ ଟଙ୍କା କମିବା ସାଧାରଣ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.