ETV Bharat / business

Oil Price: କମୁଛି ତେଲ ତାତି, ୧୦୦ ଡଲାର ତଳକୁ ଖସିଲା ଦର

author img

By

Published : Mar 16, 2022, 7:43 AM IST

Oil Price: ୧୦୦ ଡଲାର ତଳକୁ ଖସିଲା ଅଶୋଧିତ ତୈଳ ଦର
Oil Price: ୧୦୦ ଡଲାର ତଳକୁ ଖସିଲା ଅଶୋଧିତ ତୈଳ ଦର

୧୦୦ ଡଲାର ତଳକୁ ଖସିଲା ତୈଳ ଦର । ମଙ୍ଗଳବାର ତେଲ ଦାମ୍ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଗତ ତିନି ସପ୍ତାହ ମଧ୍ୟରେ ଏହା ସର୍ବନିମ୍ନ । ଅଧିକ ପଢନ୍ତୁ

ୱାସିଂଟନ: ୟୁକ୍ରେନ-ଋଷିଆ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଥିଲା । ଯାହାକୁ ନେଇ ଛାନିଆ ହୋଇଯାଇଥିଲେ ଲୋକେ । ହେଲେ ଏବେ ତୈଳ ବଜାରରୁ କ୍ରମଶଃ କମୁଛି ତାତି । ବର୍ତ୍ତମାନ ତେଲ ଦର ୧୦୦ ଡଲାର ତଳକୁ ଖସିଛି । ମଙ୍ଗଳବାର ତୈଳ ଦାମ୍ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇ ଗତ ତିନି ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ଲଗାଇଥିବା କଟକଣା ତୁରନ୍ତ ହଟାଉ ବୋଲି ଋଷ ଦାବି କରିଛି । ଏହାଦ୍ବାରା ଇରାନରେ ଉତ୍ପାଦିତ ହେଉଥିବା ତୈଳ ସୁବିଧାରେ ବଜାରରେ ପହଞ୍ଚିପାରିବ । ସେପଟେ ଚୀନରେ ହଠାତ୍ ସଂକ୍ରମଣ ବ୍ୟାପିବା ପରେ ଲକଡାଉନ କଟକଣା ଯୋଗୁଁ ତେଲ ଚାହିଦା ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ତେଣୁ ତୈଳ ଦର ୧୦୦ ଡଲାର ତଳକୁ ହ୍ରାସ ପାଇଛି । ଭାରତ ୮୨ ପ୍ରତିଶତ ତେଲ ଆମଦାନୀ କରୁଥିବା ଯୋଗୁଁ ଏହା ଏକ ଆଶ୍ବସ୍ତିକର ବିଷୟ ନିଶ୍ଚୟ ।

ଉଭୟ ବ୍ରେଣ୍ଟ କ୍ରୁଡ ଏବଂ ୟୁଏସ(U.S) କ୍ରୁଡ ଅଏଲ ବେଞ୍ଚମାର୍କ ୧୦୦ ଡଲାର ତଳେ ରହିଛି । ଗତ ଫେବୃୟାରୀ ମାସରେ ଏହା ପ୍ରଥମ । ମାର୍ଚ୍ଚ ୭ ତାରିଖରେ ବ୍ରେଣ୍ଟ କ୍ରୁଡ ଦାମ୍ ୧୪ ବର୍ଷରେ ସର୍ବୋଚ୍ଚ ସ୍ତର ୧୩୯ ଡଲାରରେ ପହଞ୍ଚିଥିଲା । ବ୍ରେଣ୍ଟ ମୂଲ୍ୟ ୪୦ ଡଲାର ବୃଦ୍ଧି ପାଇବ ସହ ୟୁଏସ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ(U.S. West Texas Intermediate) କ୍ରୁଡ ୩୦ ଡଲାରରୁ ଅଧିକ ବଢିଥିଲା । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁଁ ଗତ ୨ ସପ୍ତାହ ପରଠାରୁ କାରବାର ଅତ୍ୟନ୍ତ ଅସ୍ଥିର ରହିଥିଲା ।

ବ୍ରେଣ୍ଟ କ୍ରୁଡ ୬.୯୯ ଡଲାର ବା ୬.୫ ପ୍ରତିଶତ ହ୍ରାସ ସହ ବ୍ୟାରେଲ ପିଛା ୯୯.୯୧ ଡଲାର ହୋଇଛି । U.S. West Texas Intermediate କ୍ରୁଡ ମଧ୍ୟ ବ୍ୟାରେଲ ପିଛା ୬.୫୭ ଡଲାର ବା ୬.୪ ପ୍ରତିଶତ ଖସି ୯୬.୪୪ ଡଲାର ରହିଛି । ବର୍ତ୍ତମାନ ବ୍ରେଣ୍ଟ କ୍ରୁଡ ୯୭.୪୪ ଡଲାର ଏବଂ WTI ବ୍ୟାରେଲ ପ୍ରତି ୯୩.୫୩ ଡଲାରରେ ପହଞ୍ଚି ଯାଇଛି । ଏହା ଫେବୃୟାରୀ ୨୫ ପର ଠାରୁ ସର୍ବନିମ୍ନ । କହିରଖୁଛୁ କି, ଋଷିଆ ବିଶ୍ବର ସର୍ବବୃହତ୍ ତୈଳ ଏବଂ ଇନ୍ଧନ ରପ୍ତାନୀକାରୀ ଦେଶ । ୟୁକ୍ରେନ-ଋଷିଆ ଯୁଦ୍ଧ ପରେ ଅହେତୁକ ତୈଳ ଦର ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଭୟାବହତା ଏବେ ଦୂର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.