ETV Bharat / bharat

Murder: ପରକୀୟା ପ୍ରୀତି ସନ୍ଦେହରେ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କଲା ପ୍ରେମିକ

author img

By ETV Bharat Odisha Team

Published : Aug 27, 2023, 10:33 PM IST

murder in Bengaluru
murder in Bengaluru

ପରକୀୟା ପ୍ରୀତି ସନ୍ଦେହରେ ପ୍ରେମିକାକୁ ଲହୁଲୁହାଣ କଲା ପ୍ରେମିକ । ପ୍ରେସର କୁକରରେ ମୁଣ୍ଡକୁ ଆଘାତ କରି କଲା ହତ୍ୟା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପରକୀୟୀ ପ୍ରୀତି ସନ୍ଦେହରେ ମହିଳା ବାନ୍ଧବୀକୁ ହତ୍ୟା କଲା ପ୍ରେମିକ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଶନିବାର ଏଭଳି ଏକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ପ୍ରେମିକ ପ୍ରେମିକାର ମୁଣ୍ଡକୁ ପ୍ରେସର କୁକରରେ ଆଘାତ ଦେବା ଫଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଥିବା ସହ ଅଭିଯୁକ୍ତ ପ୍ରେମିକକୁ ଚିହ୍ନଟ କରି ପଚରାଉଚରା କରୁଛି ।

ଶନିବାର ସନ୍ଧ୍ୟା ସମୟରେ ବେଙ୍ଗାଲୁରୁ ବେଗୁର ପୋଲିସ ଷ୍ଟେସନ ନିକଟ ନ୍ୟୁ ମାଇକୋ ଲେଆଉଟଠାରେ ଘଟିଛି ଏହି ବର୍ବରକାଣ୍ଡ । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ପ୍ରେମିକ ବୈଷ୍ଣବ ଓ ମୃତ୍ୟୁବରଣ କରିଥିବା ଯୁବତୀ ଦେବା (24) କଲେଜ ସମୟରୁ ବନ୍ଧୁ ଥିଲେ । ଉଭୟଙ୍କ ଘର କେରଳ ହୋଇଥିବା ବେଳେ ଚାକିରି ଅନୁସନ୍ଧାନରେ ସେମାନେ ବେଙ୍ଗାଲୁରୁ ଆସିଥିଲେ । ପ୍ରାଥମିକ ସୂଚନା ଅନୁସାରେ ବୈଷ୍ଣବ ଓ ଦେବା ଲିଭ-ଇନ ରିଲେସନସିପରେ ରହୁଥିଲେ ।

ଏହା ବି ପଢନ୍ତୁ- Horrific Incident: ବିବାହ ପାଇଁ କହିବାରୁ ପ୍ରେମିକାକୁ ଟ୍ୟାଙ୍କର ଆଗକୁ ଠେଲିଲା ପ୍ରେମିକ

ଉଭୟ ଗୋଟିଏ କଲେଜରେ ପାଠ ପଢୁଥିଲେ । ଗ୍ରାଜୁଏସନ ଶେଷ କରିବା ପରେ ଚାକିରି ଲାଗି ଉଭୟ ବେଙ୍ଗାଲୁରୁ ଆସିବାକୁ ସ୍ଥିର କରିଥିଲେ । ହେଲେ ପରିବାର ସେମାନଙ୍କ ସମ୍ପର୍କ ସମ୍ବନ୍ଧରେ ଜାଣିନଥିଲେ । ଏହାପରେ ଯୁବକ ଯୁବତୀ କେରଳରୁ ବେଙ୍ଗାଲୁରୁ ଆସିଥିଲେ । ଏଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରିବା ସହ ଏକାଠି ରହୁଥିଲେ । କିଛି ଦିନ ତଳେ ଦେବା ଅନ୍ୟ ଜଣେ ଯୁବକ ସହିତ ସମ୍ପର୍କରେ ଥିବା ବୈଷ୍ଣବ ଜାଣିବାକୁ ପାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିଲା ।

ସବୁଦିନ ପରି ଶନିବାର ସନ୍ଧ୍ୟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ବୈଷ୍ଣବ ଏକ ପ୍ରେସର କୁକରରେ ଦେବାଙ୍କ ମୁଣ୍ଡକୁ ଆଘାତ ଦେଇଥିଲା । ଏହାପରେ ଦେବା ଅଚେତ ହୋଇ ଚଟାଣରେ ପଡ଼ିଯାଇଥିବା ବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଦକ୍ଷିଣ ପୂର୍ବ ଡିଭିଜନର ଡିସିପି ସିକେ ବାବା କହିଛନ୍ତି, " ଗତକାଲି 4.30ରୁ 5.30 ମଧ୍ୟରେ ଏହି ଘଟଣା ଘଟିଛି । ବେଗୁର ପୋଲିସ ଷ୍ଟେସନରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ପଚରାଉଚରା କରୁଛି । ଏହାସହ ଯୁବତୀଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ହସ୍ପିଟାଲକୁ ପଠାଯାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.