ETV Bharat / bharat

Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

author img

By

Published : Dec 26, 2022, 8:01 AM IST

Updated : Dec 26, 2022, 11:50 AM IST

ବିଦାୟ ନେବାକୁ ଯାଉଛି 'ବର୍ଷ ୨୦୨୨'। ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ । ବିଦାୟ ବର୍ଷ ୨୦୨୨ ଦେଶ ପାଇଁ ଅନେକ ଆହ୍ବାନପୂର୍ଣ୍ଣ ରହିଥିବା ବେଳେ ଅନେକ ସଫଳତା ମଧ୍ୟ ଆଣି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୨୨ରେ ଭାରତକୁ ମିଳିଛି ଅଦ୍ଭୁତପୂର୍ବ ସଫଳତା, ଯାହାକି ଆଗାମୀ ବର୍ଷ ପାଇଁ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ । ୨୦୨୨ରେ G-୨୦, SCO ଏବଂ UNSC ପରି ୩ଟି ବଡ଼ ବିଶ୍ବ ସଂଗଠନର ଦାୟିତ୍ବ ଏବେ ଭାରତ ହାତରେ । ପ୍ରତିରକ୍ଷା ବିଭାଗଠୁ ଆରମ୍ଭ କରି ବିଜ୍ଞାନ, ଅର୍ଥନୀତି ଆଦି ଅନେକ କ୍ଷେତ୍ରରେ ଭାରତ ହାତେଇଛି ସଫଳତା । ଆସନ୍ତୁ ସେହି ଐତିହାସିକ ସଫଳତା ଉପରେ ନଜର ପକାଇବା ଯାହାକି ୨୦୨୨ରେ ଦେଶକୁ ଏକ ନୂତନ ପରିଚୟ ଦେବାରେ ସଫଳ ହୋଇଛି…

Big achievements of India in 2022
Big achievements of India in 2022

ହାଇଦ୍ରାବାଦ: ଅନେକ ସ୍ମରଣୀୟ ଘଟଣାବଳୀ ସହ ବିଦାୟ ନେଉଛି 'ବର୍ଷ ୨୦୨୨' । ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହେବ ନୂଆବର୍ଷ ୨୦୨୩ । ଯଦି ଆମେ ବର୍ଷ ୨୦୨୨ର ପୃଷ୍ଠାକୁ ଓଲଟାଇବା ତେବେ ଏହି ବର୍ଷ ଆମ ଦେଶ ଭାରତ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । ଭାରତ ଚଳିତ ବର୍ଷ ଜି-୨୦ ସଭାପତିତ୍ବ ଗ୍ରହଣ କରିବା ସହ ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଘଟିଛି । ଫଳରେ ଭାରତ ଏବେ ବ୍ରିଟେନକୁ ପଛରେ ପକାଇ ବିଶ୍ବର ୫ମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି । ତେବେ ଆସନ୍ତୁ ଜାଣିବା ଦେଶର ସେହି ବଡ଼ ଉପଲବ୍ଧି ସମ୍ପର୍କରେ ଯାହାକି ଦେଶକୁ ଖାଲି ବିକଶିତ ରାଷ୍ଟ୍ର ଦୌଡ଼ରେ ସାମିଲ କରିନାହିଁ, ବରଂ ଦେଶକୁ ବିଶ୍ବସ୍ତରରେ ପରିଚିତ କରିଛି ।

ଏହା ବି ପଢ଼ନ୍ତୁ Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO

୧. ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି (75th Indepencence of India)

ଚଳିତ ବର୍ଷ ଭାରତ ସ୍ବାଧୀନତାର ୭୫ ବର୍ଷରେ ପାଦ ଥାପିଥିଲା । ଭାରତବାସୀଙ୍କ ପାଇଁ ଏହା ଥିଲା ସ୍ମରଣୀୟ ଦିନ । ଇଂରେଜ ସରକାରଙ୍କଠାରୁ ଦେଶକୁ ମୁକ୍ତ କରିବାରେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ବଳିଦାନ ଦେଇଥିଲେ । କେତେ ନିରୀହ ଜୀବନ ଯାଇଥିଲା । ଦେଶବାସୀଙ୍କ ଏହି ଅତୁଳନୀୟ ଅବଦାନ ରହିଥିଲା । ସ୍ବାଧୀନତାର ୭୫ ବର୍ଷ ଅବସରରେ ଏହି ସମସ୍ତ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ 'ଆଜାଦି କା ଅମୃତ ମହୋତ୍ସବ' ପାଳିଥିଲା ଦେଶ । ଏହି ଅବସରରେ ଚଳିତ ବର୍ଷ ସ୍ବାଧୀନତା ଦିବସ ପୂର୍ବରୁ ଦେଶର ଉତ୍ସବର ଆୟୋଜନ ହୋଇଥିଲା । ୨୦୨୧ ମାର୍ଚ୍ଚ ୧୨ ତାରିଖଠାରୁ ୨୦୨୨ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଦେଶବ୍ୟାପୀ ଧୁମଧାମରେ ପାଳିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବର ଉଦଘାଟନ କରିଥିଲେ ।

ବିକଶିତ ଭାରତରେ ଦେଶବ୍ୟାପୀ ପ୍ରମୁଖ ଗ୍ରହଣ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହି ଉତ୍ସବ ଭାରତବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ମଧ୍ୟରେ ଅନେକ ସ୍ବାବଲମ୍ବୀ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଉତ୍ସବକୁ ପାଳନ କରିବା ସହିତ ଗତ କିଛି ବର୍ଷ ମଧ୍ୟରେ ଭାରତର ବୈଜ୍ଞାନିକ ଏବଂ ବୈଷୟିକ ସଫଳତାକୁ ଆଲୋକିତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧୀନରେ ଏକ ଜାତୀୟ କମିଟି ଗଠନ କରାଯାଇଥିଲା । ଏହି ଉତ୍ସବକୁ ପାଳନ କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଅନେକ କାର୍ଯ୍ୟକଳାପ ହାତକୁ ନେଇଛନ୍ତି । ଏହି ସମସ୍ତ କାର୍ଯ୍ୟକଳାପ ଚଳିତ ବର୍ଷ ତଥା ୨୦୨୨ ପର୍ଯ୍ୟନ୍ତ ଚାଲିବ।

ଏହା ବି ପଢ଼ନ୍ତୁ 2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ

୨. ଦେଶରେ 5G ଯୁଗର ଆରମ୍ଭ (Grand Entry of 5G Internet Service)

ଚଳିତ ବର୍ଷ ଦୀର୍ଘ ଦିନର ଅନ୍ତ ଘଟାଇ ଭାରତରେ ପ୍ରବେଶ କରିଥିଲା ୫ଜି । ଯାହାଦ୍ବାରା ବୈଷୟିକ କ୍ଷେତ୍ରରେ ଭାରତ ବିଶ୍ବସ୍ତରରେ ନିଜକୁ ଦକ୍ଷ ପ୍ରମାଣିତ କରିଥିଲା । ଭାରତ ନିଜସ୍ବ ଉଦ୍ୟମରେ ୫ଜିରେ ପ୍ରବେଶ କରିବା ସହିତ ଦେଶବାସୀଙ୍କୁ ହାଇସ୍ପିଡ଼ ଇଣ୍ଟରନେଟ ସୁବିଧା ଯୋଗାଇଛି । ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ମୋଦି ୫ଜି ସେବାର ଶୁଭାରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଭାରତର ୧୩ଟି ପ୍ରମୁଖ ସହରରେ ଏହି ସେବା ଯୋଗାଇ ଦିଆଯାଇଥିବା ବେଳେ ଆସନ୍ତା ୨ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ସେବା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ସେବା ପାଇଥିବା ସହରଗୁ଼ଡିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ।

5G ସେବା ଦ୍ବାରା ଇଣ୍ଟରନେଟ ୟୁଜର୍ସ ବହୁ କ୍ଷେତ୍ରରେ ଲାଭବାନ ହେବେ । 5G ଇଣ୍ଟରନେଟ ବ୍ୟବହାର ଦ୍ବାରା ଟେଲିକମ ଗ୍ରାହକ 4G ଠାରୁ ୧୦ ଗୁଣା ଅଧିକ ସେବା ପାଇବେ । ଯେଉଁ ଫାଇଲକୁ ଡାଉନଲୋଡ଼ କରିବା ଲାଗି 2G ନେଟୱର୍କରେ ୫୬ ଘଣ୍ଟା, 3G ନେଟୱର୍କରେ ୨ ଘଣ୍ଟା, 4G ନେଟୱର୍କରେ ୪୦ ମିନିଟ ଲାଗୁଥିଲା ସେହି କ୍ଷେତ୍ରରେ 5G ବ୍ୟବହାର ଦ୍ବାରା ଉକ୍ତ ଫାଇଲଟି ମାତ୍ର ୩୫ ସେକେଣ୍ଡରେ ଡ଼ାଉନଲୋଡ଼ ହୋଇପାରିବ । ଇଣ୍ଟରନେଟ ବିଶେଷଜ୍ଞ ଏହି ସୂଚନା ଦେଇଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି 5G ସେବା ଶରୀର ଉପରେ କମ ପ୍ରଭାବ ପକାଇବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organisation)ର ସୂଚନା ଅନୁସାରେ ଆମେ ମୋବାଇଲ ବ୍ୟବହାର କରିବା ଦ୍ବାରା ଏଥିରୁ ବିକିରଣ ହେଉଥିବା ରଶ୍ମି (Radiation) ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ମାତ୍ର 5G ଇଣ୍ଟରନେଟ ବ୍ୟବହାର ଦ୍ବାରା ଏହା ୧୦ ଗୁଣ କମ ପ୍ରଭାବ ପକାଇବ । ଗତ ସେପ୍ଟେମ୍ବର ମସିହାରେ ଏ ନେଇ ରେଳମନ୍ତ୍ରୀ ସୂଚନା ଦେଇଥିଲେ ।

ଏହା ବି ପଢ଼ନ୍ତୁ Sports Year Ender 2022: କ୍ରିକେଟର କେଉଁ ଫର୍ମାଟକୁ କିଏ କହିଲେ ଅଲବିଦା

୩. ଜି-୨୦ ସଭାପତିତ୍ବ (G-20 Presidency of India)

ଚଳିତ ମାସ ଡିସେମ୍ବର ୧ ତାରିଖରେ ଭାରତ ଜି-୨୦ ସଭାପତିତ୍ବ ଗ୍ରହଣ କରିଥିଲା । ନଭେମ୍ବରରେ ଇଣ୍ଡୋନେସିଆ ବାଲିରେ ଆୟୋଜିତ ୧୭ତମ ଜି୨୦ ସମ୍ମିଳନୀ । ଏହାର ଉଦଯାପନୀ ସମାରୋହରେ ଆୟୋଜକ ଜି୨୦ ଅଧ୍ୟକ୍ଷତା ଭାର ଭାରତକୁ ହସ୍ତାନ୍ତର କରିଥିଲା । ପୂର୍ବରୁ ବିଶ୍ବର ବିକଶିତ ରାଷ୍ଟ୍ରଗୁଡ଼ିକ ଜି-୨୦ର ସଭାପତିତ୍ବ ଗ୍ରହଣ କରୁଥିଲେ । ମାତ୍ର ଭାରତକୁ ମଧ୍ୟ ସଭାପତିତ୍ବ ଦାୟିତ୍ବ ଦେବା ଲାଗି ଜି-୨୦ ସମିଟରେ ପ୍ରଧାନମନ୍ତ୍ରୀ ମୋଦି ଦାବି କରିବା ପରେ ଚଳିତ ବର୍ଷ ପ୍ରଥମ ଥର ଲାଗି ଭାରତ ଜି୨୦ରେ ସଭାପତିତ୍ବ ଗ୍ରହଣ କରିଛି । ଜି୨୦ ବା ଗ୍ରୁପ ଅଫ ଟ୍ବେଣ୍ଟି (Group of Twenty) ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୈତିକ ଏବଂ ଆର୍ଥିକ ଏଜେଣ୍ଡାର ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ କାର୍ଯ୍ୟ କରିଥାଏ । ଏହା ବିଶ୍ବର ପ୍ରମୁଖ ତଥା ଉଦୀୟମାନ ଅର୍ଥନୀତିକୁ ଏକତ୍ର କରେ । ବିଶ୍ବସ୍ତରରେ ବିକାଶ ଓ ଅଭିବୃଦ୍ଧି ସହିତ ଆର୍ଥିକ ସ୍ଥିରତା ବଜାୟ ରଖିବା ଦିଗରେ କାର୍ଯ୍ୟ କରେ ଜି୨୦ ।

ଭାରତ ଆସନ୍ତା ବର୍ଷ ତଥା ୨୦୨୩ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସଭାପତିତ୍ବ ଯୋଗ୍ୟତା ହାସଲ କରିଛି । ଜି-୨୦ ର ସଭାପତିତ୍ବ ମଧ୍ୟରେ ଭାରତ ଦେଶର ୩୨ଟି ସ୍ଥାନରେ ମୋଟ ୨୦୦ଟି ବୈଠକର ଆୟୋଜନ କରିବ । ଭାରତ ଆୟୋଜକ ଭାବେ ଆସନ୍ତା ବର୍ଷ ଜି-୨୦ ସମିଟର ଆୟୋଜନ କରିବ, ଯେଉଁଥିରେ ବିଭିନ୍ନ ରାଷ୍ଟ୍ରର ଅନେକ ହାଇ ପ୍ରୋଫାଇଲ ରାଷ୍ଟ୍ର ମୁଖ୍ୟ ଯୋଗଦେବେ । ଯାହାକି ଏକ ବୃହତ ଆନ୍ତର୍ଜାତିକ ସମାବେଶ ହେବ । ଭାରତ ସଭାପତିତ୍ବ ବେଳେ କିପରି ବିଶ୍ବ ଶାନ୍ତି, ପାଣିପାଗ ସମସ୍ୟା ଆଦି ଉପରେ ଗୁରୁତ୍ବାରୋପ କରିବ । ଗତ ନଭେମ୍ବର ୮ ତାରିଖରେ ଜି-୨୦ ସମ୍ମିଳନୀ ପାଇଁ ଲୋଗୋ ଓ ଥିମ ଉନ୍ମୋଚିତ କରିଥିଲେ । ୨୦୨୩ ଲାଗି ଥିମ ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ (One earth, one family, one Future) । ବିଶ୍ବ ଅର୍ଥନୀତି ଦୃଷ୍ଟିକୋଣରୁ ଏହି ଜି-୨୦ ସମ୍ମିଳନୀ ଏକ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ଲାଟଫର୍ମ ହେବାକୁ ଯାଉଛି ।

200 doses Vaccination in India
ଦେଶରେ ୨୦୦କୋଟି ଡୋଜ ଟୀକାକରଣ ପାର୍‌

୪. ଦେଶରେ ୨୦୦କୋଟି ଡୋଜ ଟୀକାକରଣ ପାର୍‌ (200 doses Vaccination in India)

ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣନୀତି, ଭିଜନ ଓ ପ୍ରୟାସ ବଳରେ ୨୦୨୨ ଜୁଲାଇ ୧୭ ତାରିଖରେ ଭାରତ ୨୦୦ କୋଟି ଡୋଜ ଟୀକାକରଣକୁ ପାର୍‌ କରିଥିଲା । ଏହାସହିତ ଭାରତ ସରକାର କୋରୋନା ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରିବା ଲାଗି ସୁରକ୍ଷା କବଚ ପିନ୍ଧାଇଥିଲେ । ଭାରତ ନା ଯେ କେବଳ ନିଜ ଦେଶବାସୀଙ୍କୁ ରକ୍ଷା କରିଛି, ବରଂ ବିଶ୍ବର ୯୮ଟି ଦେଶକୁ ୨୦୦ ନିୟୁତ ଡୋଜ ଯୋଗାଇ ଦେଇଛି । ଏଥିପାଇଁ ଭାରତକୁ ସାରା ବିଶ୍ବରୁ ଅଭିନନ୍ଦନ ଆସିଥିଲା । ମହାମାରୀ ପ୍ରାରମ୍ଭରୁ ଏହି ବିଶାଳ ଟୀକାକରଣ ଲକ୍ଷ୍ୟ କଷ୍ଟସାଧ୍ୟ ଥିବା ବେଳେ ଦେଶ ୨୦୨୨ରେ ଏହାକୁ ବାସ୍ତବ ରୂପ ଦେଇଥିଲା ।

Success of Operation Ganga
ଅପରେସନ ଗଙ୍ଗାକୁ ସଫଳତା

୫. ଅପରେସନ ଗଙ୍ଗାକୁ ସଫଳତା (Success of Operation Ganga)

ଭାରତ ନିଜ ଦେଶ ତଥା ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଏ ଯାହାକି ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପ୍ରମାଣିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତୀୟଙ୍କ ସୁରକ୍ଷା ଲାଗି କଥାବାର୍ତ୍ତା କରିଥିଲେ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଯୁଦ୍ଧସ୍ଥଳରୁ ଉଦ୍ଧାର କରିବା ଲାଗି ଆରମ୍ଭ ହୋଇଥିଲା 'ଅପରେସନ ଗଙ୍ଗା' (Operation Ganga) । ଏହା ସହିତ ଉଭୟ ଦେଶ ଭାରତୀୟଙ୍କୁ ନିରାପଦ ସ୍ଥାନରେ ସ୍ଥାନାନ୍ତର କରିବାକୁ ନିଶ୍ଚିତ କରିଥିଲେ, ଫଳସ୍ବରୂପ 'ଅପରେସନ ଗଙ୍ଗା' ସଫଳ ହୋଇଥିଲା । ବିଶ୍ବସ୍ତରରେ ଭାରତର ବଢୁଥିବା ପ୍ରଭାବରେ ପ୍ରଧାନମନ୍ତ୍ରୀ ମୋଦି, ୪ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ ।

India's SCO Presidency
ସାଙ୍ଘାଇ ସହଯୋଗ ସଂଗଠନ (SCO)ରେ ଭାରତର ଅଧ୍ୟକ୍ଷତା

୬. ସାଙ୍ଘାଇ ସହଯୋଗ ସଂଗଠନ (SCO)ରେ ଭାରତର ଅଧ୍ୟକ୍ଷତା(India's SCO Presidency)

ଜି୨୦ ଅଧ୍ୟକ୍ଷତା ପୂର୍ବରୁ ଭାରତ ସେପ୍ଟେମ୍ବର ୧୬ ତାରିଖରେ ସାଙ୍ଘାଇ ସହଯୋଗ ସଂଗଠନର ଅଧ୍ୟକ୍ଷତା ମଧ୍ୟ ଗ୍ରହଣ କରିଥିଲା । ୨୦୨୨ ମସିହାରେ, ଉଜବେକିସ୍ତାନ ସମରକନ୍ଦରେ ଭାରତକୁ SCOର କମାଣ୍ଡ ହସ୍ତାନ୍ତର କରାଯାଇଥିବା ବେଳେ ଆସନ୍ତା ବର୍ଷ ୨୦୨୩ ପର୍ଯ୍ୟନ୍ତ ଭାରତ ଏହାର ଅଧ୍ୟକ୍ଷ ରହିବ। ଏହି ସଂଗଠନରେ ୮ଟି ଦେଶ ଭାରତ, ଚୀନ, ଋଷ, କାଜାକିସ୍ତାନ, କାର୍ଗିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ପାକିସ୍ତାନ ସାମିଲ ଥିଲେ । ଏହା ବ୍ୟତୀତ ଇରାନ, ଆଫଗାନିସ୍ତାନ, ବେଲାଋଷ ଏବଂ ମଙ୍ଗୋଲିଆ ହେଉଛି ୪ଟି ପର୍ଯ୍ୟବେକ୍ଷକ ଦେଶ (Observer Countries) ଥିଲା । ତେବେ ପ୍ରତିବର୍ଷ SCO ଶିଖର ସମ୍ମିଳନୀ ଅନୁଷ୍ଠିତ ହୁଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଞ୍ଚଳିକ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସୀମା ସମସ୍ୟାର ସମାଧାନ, ଆତଙ୍କବାଦକୁ ମୁକାବିଲା କରିବା ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ।

India's UNSC Presidency
ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC)ର ଅଧ୍ୟକ୍ଷତା

୭. ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC)ର ଅଧ୍ୟକ୍ଷତା (India's UNSC Presidency)

ଡିସେମ୍ବର ୨୦୨୨ରେ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତ ଦ୍ବିତୀୟ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହୋଇଥିଲା । ଭାରତ ୧ ଡିସେମ୍ବର ୨୦୨୨ରୁ ଏକ ମାସ ପାଇଁ UNSCର ସଭାପତିତ୍ବ ଗ୍ରହଣ କରିଛି । ସବୁଠୁ ବଡ଼ କଥା ହେଉଛି ଭାରତ ଏହାର ଅସ୍ଥାୟୀ ସଦସ୍ୟ ହୋଇ ମଧ୍ୟ ସଭାପତିତ୍ବ ଗ୍ରହଣ କରିଛି । UNSCର ସଭାପତି ପ୍ରତ୍ୟେକ ମାସରେ ପରିବର୍ତ୍ତନ ହୋଇଥାନ୍ତି । ଜାନୁଆରୀ ୨୦୨୧ରେ ଭାରତ UNSCର ଏକ ଅସ୍ଥାୟୀ ସଦସ୍ୟ ଭାବରେ ଦୁଇ ବର୍ଷର କାର୍ଯ୍ୟକାଳ ଆରମ୍ଭ କରିଥିଲା । ଚଳିତ ବର୍ଷ UNSCରେ ଭାରତର ଅଷ୍ଟମ କାର୍ଯ୍ୟକାଳ ରହିଥିଲା ।

UNSC-CTC Meeting in Mumbai
ଭାରତରେ UNSCର ଆତଙ୍କବାଦୀ ବିରୋଧୀ ସମିତି ବୈଠକ

୮. ଭାରତରେ UNSCର ଆତଙ୍କବାଦୀ ବିରୋଧୀ ସମିତି ବୈଠକ (UNSC-CTC Meeting in Mumbai)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତର ଆଭିମୁଖ୍ୟ ବର୍ତ୍ତମାନ ପ୍ରତ୍ୟେକ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି। UNSCର ୨ଦିନିଆ ଆତଙ୍କବାଦ ବିରୋଧୀ ସମିତି ବୈଠକ ଆୟୋଜନ କରିବାର ଗୌରବ ଭାରତକୁ ମିଳିଥିଲା । ୨୦୧୫ ମସିହାରୁ ଗତ ୭ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ନ୍ୟୁୟର୍କର ମୁଖ୍ୟାଳୟ ବାହାରେ ଭାରତରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଯଥାକ୍ରମେ ୨୮ ଅକ୍ଟୋବର ଏବଂ ୨୯ ଅକ୍ଟୋବରରେ ମୁମ୍ବାଇ ଓ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା । ଆତଙ୍କବାଦ ବିରୋଧରେ ରଣନୀତି ପାଇଁ ଭାରତର ଚୟନ ଅନ୍ତର୍ଜାତୀୟ କୂଟନୈତିକ ଦୃଷ୍ଟିକୋଣରୁ ଦେଶ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ହୋଟେଲ ତାଜମହଲ ପ୍ୟାଲେସରେ ମୁମ୍ବାଇରେ ଏହି ବୈଠକ ଆୟୋଜିତ ହୋଇଥିଲା । ଯାହାକି ୨୬/୧୧ ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦର ସବୁଠାରୁ ବଡ ସାକ୍ଷୀ ରହିଥିଲା ।

Cheetahs come back to India
୭୦ବର୍ଷ ପରେ ଭାରତରେ ବିଲୁପ୍ତ ଚିତା

୯. ୭୦ବର୍ଷ ପରେ ଭାରତରେ ବିଲୁପ୍ତ ଚିତା (Cheetahs come back to India)

୨୦୨୨ରେ ଭାରତରେ ବିଲୁପ୍ତ ପ୍ରାୟ ଚିତା ଦୀର୍ଘ ୭୦ବର୍ଷ ପରେ ଦେଶକୁ ଫେରିଥିଲା । ଆଫ୍ରିକାର ନାମିବ୍ୟାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ସେପ୍ଟେମ୍ବର ୧୭ ତାରିଖରେ ଭାରତରେ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନ ଅବସରରେ ଏହାକୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ । ମୋଟ ୮ଟି ଚିତା ବାଘ ଆସିଥିବା ବେଳେ ସେଥିମଧ୍ୟରୁ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ରହିଥିଲେ । ଚିତାଙ୍କୁ ଭାରତକୁ ଆଣିବା ଲାଗି ଦୀର୍ଘ ଦିନରୁ ପ୍ରୟାସ ଆରମ୍ଭ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିବା ବେଳେ ୨୦୨୦ ଜାନୁଆରୀ ୨୮ ତାରିଖରେ ସୁପ୍ରିମକୋର୍ଟ ଏଥିଲାଗି ଅନୁମତି ଦେଇଥିଲେ ।

ତେବେ ଚିତାଙ୍କ ଲାଗି ଉପଯୁକ୍ତ ସ୍ଥାନ ବାଛିବା ଲାଗି କୋର୍ଟ ଭାରତ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହାପରେ କୁନୋ ଜାତୀୟ ଉଦ୍ୟାନକୁ ଚୟନ କରାଯାଇଥିଲା । ଆଫ୍ରିକାରୁ ଭାରତକୁ ଚିତାଙ୍କୁ ଆଣିବା ଲାଗି ୨୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଚିତାଙ୍କ ଦେଖାରଖା ଲାଗି ୫ବର୍ଷରେ ୭୫କୋଟି ଟଙ୍କା ଖର୍ଚ୍ଚ ହେବ । ଭାରତରରେ ୧୯୪୭ ମସିହାରେ ଛତିଶଗଡ଼ରେ ଶେଷ ଚିତାର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ବିଶ୍ବରେ ପ୍ରାୟ ୭ହଜାର ଚିତା ରହିଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ନାମିବ୍ୟାରେ ଅଛନ୍ତି । ୭୦ବର୍ଷ ପରେ ଭାରତରେ ଚିତାବାଘ ଦେଖିବାକୁ ମିଳିଥିବାରୁ ଏ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଚିତା ବାଘମାନେ ଭାରତର ପାଣିପାଗ ସହିତ ଖାପଖୁଆଇବା ପରେ ସେମାନଙ୍କୁ ପର୍ଯ୍ୟଟକମାନେ ଦେଖିପାରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

5th largest economy in the world
ବିଶ୍ବର ୫ମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ଭାରତ

୧୦. ବିଶ୍ବର ୫ମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ଭାରତ (5th largest economy in the world)

ଚଳିତ ବର୍ଷ ଭାରତର ଅର୍ଥନୀତି ସମ୍ପର୍କରେ ଆଲୋଚନା କଲେ ଏହା ବିକଶିତ ରାଷ୍ଟ୍ର ବ୍ରିଟେନକୁ ପଛରେ ପକାଇ ବିଶ୍ବର ୫ମ ବୃହତ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହୋଇପାରିଛି । ମାର୍ଚ୍ଚ ମାସରେ ଭାରତୀୟ ଅର୍ଥନୀତି ୮୫୪.୭ ବିଲିୟନ ଡଲାରରେ ବିଶ୍ବର ୫ମ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଏଥି ସହିତ ବ୍ରିଟେନର ଅର୍ଥନୀତି 8୧୬ ବିଲିୟନ ଡ଼ଲାରରେ ଷଷ୍ଠ ସ୍ଥାନରେ ପହଞ୍ଚିଛି । ଭାରତର ଏହି ସଫଳତା ପଛରେ ମୋଦୀ ସରକାରଙ୍କ ଆର୍ଥିକ ନୀତିର ଏକ ବଡ଼ ଅବଦାନ ରହିଥିଲା । ଅର୍ଥନୀତି ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ୨୦୨୭ ସୁଦ୍ଧା ଭାରତ ଜର୍ମାନୀକୁ ମଧ୍ୟ ପଛରେ ପକାଇ ବିଶ୍ବର ୪ର୍ଥ ବୃହତ୍ତମ ଅର୍ଥନୀତି ସମ୍ପନ୍ନ ରାଷ୍ଟ୍ର ହେବ। ଅର୍ଥନୀତି ଦୃଷ୍ଟିରୁ ବର୍ତ୍ତମାନ ଆମେରିକା, ଚୀନ, ଜାପାନ, ଜର୍ମାନୀ ଏବଂ ଭାରତ ବିଶ୍ବର ଶ୍ରେଷ୍ଠ-୫ ଅର୍ଥନୀତି ସମ୍ପନ୍ନ ଦେଶରେ ଅନ୍ତର୍ଭୁକ୍ତ ।

Cheapest manufacturing cost globally
ଶସ୍ତା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବରେ ନମ୍ବର ୱାନ୍‌

୧୧. ଶସ୍ତା ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ବରେ ନମ୍ବର ୱାନ୍‌ (Cheapest manufacturing cost globally)

୨୦୨୨ ମସିହାରେ ସର୍ବନିମ୍ନ ଉତ୍ପାଦନ ମୂଲ୍ୟ (Lowest manufacturing cost) ଥିବା ଦେଶ ତାଲିକାରେ ଭାରତ ଏକ ନମ୍ବର ସ୍ଥାନରେ ରହିଥିଲା । ଭାରତ ପଛରେ ଚୀନ ଦ୍ବିତୀୟ ଏବଂ ବଂ ଭିଏତନାମ ତୃତୀୟ ସ୍ଥାନରେ ରହିଛି। ଭାରତର ପଡୋଶୀ ବାଂଲାଦେଶ ୬ଷ୍ଠ ସ୍ଥାନରେ ରହିଛି। ଖାସ କଥା ହେଉଛି ବିଶ୍ବର ସବୁଠାରୁ ଶସ୍ତା ଏବଂ ସର୍ବନିମ୍ନ ମୂଲ୍ୟର ଉତ୍ପାଦନକାରୀ ଦେଶ ମଧ୍ୟରେ ଭାରତକୁ ୧୦୦ରୁ ୧୦୦ ମାର୍କ ମିଳିଥିଲା । ଏହାସହିତ ଯେଉଁଠାରେ ଭାରତର ଉତ୍ପାଦନ କ୍ଷେତ୍ର ବୃଦ୍ଧି ପାଇବ, ବିଦେଶୀ କମ୍ପାନୀଗୁଡିକ ମଧ୍ୟ ଭାରତକୁ ଆସିପାରିବେ । ଆମେରିକାର ନ୍ୟୁଜ୍ ଆଣ୍ଡ ୱାର୍ଲ୍ଡର ଏକ ସର୍ଭେ ରିପୋର୍ଟ ଅନୁସାରେ ଯେଉଁଥିରେ ୮୫ଟି ଦେଶ ମଧ୍ୟରୁ ଭାରତ ଶ୍ରେଷ୍ଠ ଦେଶ ମାନ୍ୟତାରେ ୩୧ତମ ସ୍ଥାନରେ ରହିଛି । ଏଥିସହ ଏହି ତାଲିକାରେ 'ଓପନ୍ ଫର୍ ବିଜିନେସ୍' ବର୍ଗରେ ଭାରତ ୩୭ତମ ସ୍ଥାନରେ ରହିଛି।

Atal Tunnel
ଲମ୍ବା ରାଜପଥ ଟନେଲ 'ଅଟଳ ଟନେଲ'ର ବିଶ୍ବ ରେକର୍ଡ

୧୨. ଲମ୍ବା ରାଜପଥ ଟନେଲ 'ଅଟଳ ଟନେଲ'ର ବିଶ୍ବ ରେକର୍ଡ (Atal Tunnel)

ଅକ୍ଟୋବର ୩ ତାରିଖରେ ବହୁ ପ୍ରତିକ୍ଷୀତ ଅଟଳ ଟନେଲ ଉଦଘାଟିତ ହୋଇଥିଲା । ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିବା ଏହି ଟନେଲକୁ ହିମାଚଳପ୍ରଦେଶର ରୋହତାଙ୍ଗରେ ଲୋକାର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ୩ ହଜାର ମିଟର ଉଚ୍ଚ ପାହାଡରେ ନିର୍ମିତ ଏହି ଟନେଲ ୯କିମି ବିଶିଷ୍ଟ ବିଶ୍ବର ସୁଦୀର୍ଘ ଓ ସର୍ବୋଚ୍ଚ ହାଇୱେ ଟନେଲ । ଏହି ଟନେଲ ଯୋଗୁଁ ମନାଲି ଓ ଲେହର ଦୂରତା ୪୬କିମି ଦୂରତା ହ୍ରାସ ପାଇଛି । ଯାତାୟାତ ସମୟ ପୂର୍ବାପେକ୍ଷା ପ୍ରାୟ ୪ରୁ ୫ଘଣ୍ଟା ହ୍ରାସ ପାଇଛି । ସାମିରକ ଦୃଷ୍ଟି କୋଣରୁ ମଧ୍ୟ ଏହି ଟନେଲ ଅନେକ ଗୁରୁତ୍ବପୂର୍ଣ୍ଣ । ଅଟଳ ଟନେଲ ଦୁନିଆର ସବୁଠାରୁ ଲମ୍ବା ରାଜପଥ ଟନେଲ ଭାବେ ବିଶ୍ବରେକର୍ଡ ସୃଷ୍ଟି କରିଛି । ବର୍ତ୍ତମାନ ଏହା ବର୍ଷ ତମାମ ଖୋଲା ରହିବ । ପୂର୍ବରୁ ପ୍ରବଳ ତୁଷାରପାତ ହେତୁ ପ୍ରତିବର୍ଷ ପ୍ରାୟ ୬ମାସ ପର୍ଯ୍ୟନ୍ତ ଉପତ୍ୟକା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିଲା ।

Vikram-S Rocket
ଦେଶର ପ୍ରଥମ ପ୍ରାଇଭେଟ ରକେଟ୍‌ ବିକ୍ରମ-ଏସ ଲଞ୍ଚ୍‌

୧୩. ଦେଶର ପ୍ରଥମ ପ୍ରାଇଭେଟ ରକେଟ୍‌ ବିକ୍ରମ-ଏସ ଲଞ୍ଚ୍‌ (Vikram-S Rocket)

୨୦୨୨ରେ ଭାରତକୁ ମହାକାଶ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । ନଭେମ୍ବର ୧୮ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦେଶର ପ୍ରଥମ ପ୍ରାଇଭେଟ ରକେଟ୍‌ ବିକ୍ରମ-ଏସ (Vikram-S)କୁ ଲଞ୍ଚ କରିଥିଲା । ହାଇଦ୍ରାବାଦର ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଦ୍ବାରା ନିର୍ମିତ ଘରୋଇ ରକେଟ୍ ISROର ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଲଞ୍ଚ୍‌ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏହି ଉତକ୍ଷେପଣ ପରେ ଭାରତ ଆମେରିକା, ଋଷ, ଜାପାନ, ଚୀନ ଏବଂ ଫ୍ରାନ୍ସ ଭଳି ଦେଶର କ୍ଲବରେ ସାମିଲ ହୋଇଥିଲା, ଯାହା ମହାକାଶକୁ ଘରୋଇ କମ୍ପାନୀର ରକେଟ୍ ପଠାଇଥାଏ । ଏହି ରକେଟ୍ ୩ଟି ଉପଗ୍ରହକୁ ସେମାନଙ୍କ କକ୍ଷପଥରେ ସ୍ଥାପନ କରିଥିଲା । ବିକ୍ରମ-ଏସ ରକେଟର ନାମ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ତଥା ISROର ପ୍ରତିଷ୍ଠାତା ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ହୋଇଛି।

USNS Charles Drew (T-AKE-10)
ଭାରତରେ ଆମେରିକା ନୌସେନାର ଯୁଦ୍ଧ ଜାହାଜର ମରାମତି

୧୪. ଭାରତରେ ଆମେରିକା ନୌସେନାର ଯୁଦ୍ଧ ଜାହାଜର ମରାମତି (USNS Charles Drew (T-AKE-10)

ସମଗ୍ର ବିଶ୍ବରେ ଭାରତର ଆଭିମୁଖ୍ୟ ବୃଦ୍ଧି ପାଇଛି । ଆମେରିକା ପରି ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟ ଭାରତର ବୈଷୟିକ ସଫଳତା ଉପରେ ବିଶ୍ବାସ କରିବା ଆରମ୍ଭ କରିଛନ୍ତି । ଆମେରିକା ଚଳିତ ବର୍ଷ ନିଜ ନୌସେନାର ଯୁଦ୍ଧ ଜାହାଜକୁ ମରାମତି କରିବା ଲାଗି ଭାରତ ପଠାଇଥିଲା । ଆମେରିକା ଭଳି ବିକଶିତ ରାଷ୍ଟ୍ର ମରାମତି ଲାଗି ଭାରତକୁ ଆସିବା ନିଶ୍ଚିତ ଭାବେ ଦେଶ ପାଇଁ ଏକ ବଡ଼ ଉପଲବ୍ଧି । ଆମେରିକାର ଯୁଦ୍ଧ ବିମାନ (USNS Charles Drew T-AKE-10) ମରାମତି ପାଇଁ ଅଗଷ୍ଟ ୬ରେ ଚେନ୍ନାଇର କଟୁପଲ୍ଲୀ ସ୍ଥିତ କମ୍ପାନୀ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ସିପିୟାର୍ଡରେ ପହଞ୍ଚିଥିଲା । ମରାମତି ପାଇଁ ପ୍ରଥମ ଥର ପାଇଁ ଏକ ଆମେରିକୀୟ ଜାହାଜ ଭାରତରେ ପହଞ୍ଚିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ 'ମେକ୍ ଇନ୍ ଇଣ୍ଡିଆ' ପାଇଁ ଉତ୍ସାହଜନକ ବୋଲି କହିଛି। ଏହାଦ୍ବାରା ବିଶ୍ବ ଜାହାଜ ମରାମତି ବଜାରରେ ଭାରତୀୟ ଜାହାଜ କାରଖାନାର ସାମର୍ଥ୍ୟ ପ୍ରତିଫଳିତ ହୋଇଥିଲା ।

INS Vikrant
ଦେଶକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର

୧୫. ଦେଶକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର (INS Vikrant )

ଚଳିତ ବର୍ଷ ଶକ୍ତିଶାଳୀ ହୋଇଥିଲା ଭାରତର ନୌସେନା । ଭାରତ ସ୍ବଦେଶୀ ବିମାନ ବାହକ ବିକ୍ରାନ୍ତ ନିର୍ମାଣ କରିଥିଲା । ଦେଶକୁ ରକ୍ଷା କରିବା ପାଇଁ ନୌସେନାରେ ସାମିଲ ହୋଇଥିଲା INS Vikrant । ସେପ୍ଟେମ୍ବର ୨ ତାରିଖରେ କେରଳ କୋଚି ସିପୟାର୍ଡରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଆଇଏନଏସ ବିକ୍ରାନ୍ତକୁ ସମର୍ପିତ କରିଥିଲେ । ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାରକ୍ରାଫ୍ଟ କ୍ୟାରିଅରକୁ ଭାରତୀୟ ନୌସୈନାକୁ ଭେଟି ଦେଇଥିଲେ ମୋଦି । ଏହି ଜାହାଜର ଓଜନ ୪୫ ହଜାର ଟନ ହୋଇଥିବା ବେଳେ ଏହାକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ଘଣ୍ଟାପ୍ରତି ବେଗ ୫୨ କିମି । ୨ଟି ଫୁଟବଲ ପଡ଼ିଆ ଯେତିକି ବଡ଼, ଏହି ଯୁଦ୍ଧ ଜାହାଜ ସେତିକି ବଡ଼ । ଏହାର ଉଚ୍ଚତା ମଧ୍ୟ ୧୮ଟି ଫ୍ଲୋର ସହ ସମାନ। ଏଥିରେ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରିବହନ କରିବାର କ୍ଷମତା ରଖିଛି । ଏଥିରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିବ । ୧୯୭୧ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତର ପ୍ରଥମ ବିମାନ ପରିବହନକାରୀ ଭାରତୀୟ ନୌସେନା ସିପ୍ (INS) ବିକ୍ରାନ୍ତ ନାମରେ ଏହାକୁ ନାମିତ କରାଯାଇଛି।

Last Updated : Dec 26, 2022, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.