ETV Bharat / bharat

Most Wanted Amritpal: ପୋଲିସ କବ୍‌ଜାରେ ଅମ୍ରିତପାଲ, ଜାଣନ୍ତୁ କାହିଁକି ଥିଲା ମୋଷ୍ଟ ୱାଣ୍ଟେଡ

author img

By

Published : Apr 23, 2023, 3:55 PM IST

ପୋଲିସ କବ୍‌ଜାରେ ଅମ୍ରିତପାଲ
ପୋଲିସ କବ୍‌ଜାରେ ଅମ୍ରିତପାଲ

ଆଜି ପୋଲିସ ହାତରେ ଧରାପଡିଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ତେବେ କିଏ ଏହି ଅମ୍ରିତପାଲ ? କାହିଁକି ଥିଲା ସେ ମୋଷ୍ଟ ୱାଣ୍ଟେଡ, ଜାଣନ୍ତୁ

ନୂଆଦିଲ୍ଲୀ: କିଛି ମାସ ପୂର୍ବରୁ ଅନେକ ଲୋକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଜାଣି ନଥିଲେ । ଯିଏକି ପଞ୍ଜାବର ମୋଷ୍ଟ ୱାଣ୍ଟେଡ ଅପରାଧି ଥିଲା । ତାହାର ସମର୍ଥକମାନେ କେବଳ ଭାରତ ନୁହଁନ୍ତି, ବରଂ ବିଦେଶରେ ମଧ୍ୟ ଭାରତୀୟ ଦୂତାବାସ ସାମ୍ନାରେ ହଙ୍ଗାମା କରିଥିଲେ । ଅମ୍ରିତପାଲକୁ ଧରିବା ପାଇଁ ପଞ୍ଜାବ ପୋଲିସ ଆଖିରୁ ନିଦ ହଜି ଯାଇଥିଲା । ତା'ର ସନ୍ଧାନରେ ଗାଁ ଗଣ୍ଡା, ଗଳିକନ୍ଦି ଛାପା ମାରିଥିଲା ପୋଲିସ । ତେବେ ମାସରୁ ଅଧିକ ହେଲାଣି ଫେରାର ଥିବା ଏହି ମୋଷ୍ଟ ୱାଣ୍ଟେଡ ଆଜି ପୋଲିସ ହାତରେ ଧରାପଡିଛି । ତେବେ ଜାଣନ୍ତୁ କିଏ ଏହି ଅମ୍ରିତପାଲ ଏବଂ କାହିଁକି ସେ ଥିଲା ମୋଷ୍ଟ ୱାଣ୍ଟେଡ ।

୩୦ ବର୍ଷୀୟ ଅମ୍ରିତପାଲ ସିଂହ ଅମୃତସର ଜିଲ୍ଲାର ଜଲ୍ଲୁପୁର ଖେଡା ନିବାସୀ ଅଟେ । ତା'ର ପରିବାର ଦୁବାଇରେ ପରିବହନ ବ୍ୟବସାୟ ଚଳାନ୍ତି । ୨୦୧୨ ପର୍ଯ୍ୟନ୍ତ ସେ ମଧ୍ୟ ଦୁବାଇରେ ରହୁଥିଲା । ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ସମୟରେ ଦୁବାଇରୁ ଭାରତ ଆସିଥିଲା ଅମ୍ରିତପାଲ । ଭାରତ ଫେରିବା ପରେ ଅମ୍ରିତପାଲ ସିଂହ 'ୱାରିସ୍ ପଞ୍ଜାବ ଦେ' ସଂଗଠନର ସଦସ୍ୟ ହୋଇଥିଲା । ଯାହାର ସ୍ଥାପନ କରିଥିଲେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ୨୦୨୧ ଜାନୁଆରୀ ୨୬ରେ ଦୀପ ସିଦ୍ଧୁ ଲାଲକିଲ୍ଲାରେ ଖଲିସ୍ତାନୀ ପତାକା ଲଗାଇବାକୁ ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗିରଫଦାରୀ ପରେ ହିଁ ସେ 'ପଞ୍ଜାବ ଦେ' ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୨୨ରେ ଏକ ସଡକ ଦୁର୍ଘଟଣାରେ ଆଖି ବୁଜିଥିଲେ ଦୀପ ସିଦ୍ଧୁ । ତାଙ୍କର ମୃତ୍ୟୁ ପରେ ସଂଗଠନର ମୁଖିଆ ପାଲଟି ଯାଇଥିଲା ଅମ୍ରିତପାଲ ।

ଅମ୍ରିତପାଲ ବିରୋଧରେ ପ୍ରଥମ ଅଭିଯୋଗ: ମୃତ ଦୀପସିଦ୍ଧୁର ଭାଇ ମନଦୀପ ଅଭିଯୋଗ କରିଥିଲେ ଯେ, ଅମ୍ରିତପାଲ ତାଙ୍କ ଭାଇର ନାମକୁ ଦୁରୁପଯୋଗ କରୁଛି । ଦୀପ ସିଦ୍ଧୁ ସବୁବେଳେ କହୁଥିଲେ ଆଲୋଚନା ହିଁ ଏକମାତ୍ର ରାସ୍ତା । ହେଲେ ଅମ୍ରିତପାଲ ଯୁବବର୍ଗଙ୍କୁ ଉସକାଇ ହତିଆର ଉଠାଇବାକୁ କହୁଥିଲା । ତେଣୁ ଅମ୍ରିତପାଲର ୱାରିସ ପଞ୍ଜାବ ଦେ ଏହାର ନାମ ଠାରୁ ପୁରା ଅଲଗା ଥିଲା ବୋଲି ମନଦୀପ କହିଥିଲେ ।

କାହିଁକି କୁହାଗଲା ଭିନ୍ଦ୍ରନୱାଲେ 2.0: ସ୍ବର୍ଣ୍ଣ ମନ୍ଦିରରେ ସେନା ଅପରେସନରେ ଶିଖ୍ ଆତଙ୍କବାଦୀ ଜର୍ନେଲ ସିଂ ଭିନ୍ଦ୍ରନୱାଲେ ନିହତ ହେବା ପରେ ଅମ୍ରିତପାଲ ସିଂହର ଜନ୍ମ ହୋଇଥିଲା । ଷ୍ଟାଇଲଠାରୁ ଆରମ୍ଭ କରି ଆଚାର ବ୍ୟବହାର ଯାଏଁ ଅମ୍ରିତପାଲ ନିଜକୁ ଭିନ୍ଦ୍ରନୱାଲେର ଅନୁଗାମୀ ଭାବେ ଦର୍ଶାଉଥିଲା । ସେ ନିଜ ପାଖରେ ଗୋଟିଏ ତୀର ରଖିବା ସହ ସଶସ୍ତ୍ର ଅଙ୍ଗରକ୍ଷୀଙ୍କ ସହ ଚାଲୁଥିଲା । ଭିନ୍ଦ୍ରନୱାଲେ ଜଣେ କଟ୍ଟର ଧାର୍ମିକ ନେତା, ଋଢିବାଦୀ ଶିଖ୍ ସଂଗଠନର ନେତା ଥିଲା । କିନ୍ତୁ ୱାରିସ ପଞ୍ଜାବ ଦେ ସଦସ୍ୟ ହେବା ପୂର୍ବରୁ ଅମ୍ରିତପାଲ ରୁଢିବାଦୀ ଧାର୍ମିକ ପୃଷ୍ଠଭୂମି ନଥିଲା ।

ଗତ ଫେବୃଆରୀରେ ଅମ୍ରିତପାଲ ନିଜ ସମର୍ଥକଙ୍କ ସହ ମିଶି ପଞ୍ଜାବର ଏକ ଥାନାରେ ହଙ୍ଗାମା କରିଥିଲା । ନିଜର ଘନିଷ୍ଠ ବନ୍ଧୁ ଲଭପ୍ରୀତ ତୁଫାନକୁ ମୁକ୍ତ କରିବା ପାଇଁ ସେ ସମର୍ଥକଙ୍କ ସହ ହାତରେ ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ଧରି ଥାନା ଉପରେ ଆକ୍ରମଣ କରିଥିଲା । ସେମାନଙ୍କ ଢେଲା ପଥରମାଡରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ । ଏହାପରେ ପୋଲିସ ଚାପରେ ଆସି ଲଭପ୍ରୀତକୁ ମୁକ୍ତ କରିଥିଲା । ଯାହାକି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣା ପରେ ଅମ୍ରିତପାଲ 'ଖଲିସ୍ତାନ' ସମର୍ଥକ ନେତା ଭାବେ ଚାରିଆଡେ ଜଣାଶୁଣା ହୋଇଥିଲା । ଏପରିକି ସେ ସରକାରଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହର ମଧ୍ୟ ଆହ୍ବାନ କରିଥିଲା ।

ଅମ୍ରିତପାଲ ସିଂହ ସହଯୋଗୀଙ୍କ ନିକଟରୁ ବିପୁଳ ପରିମାଣର ହତିଆର ଜବତ ହେବା ପରେ ତା' ବିରୋଧରେ ଆର୍ମସ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ଏହାମଧ୍ୟ କୁହାଯାଏ ଯେ, ଅମ୍ରିତପାଲର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ବିଦେଶରେ ଥିବା କିଛି ଆତଙ୍କୀ ସଂଗଠନ ସହ ଘନିଷ୍ଠ ସମ୍ପର୍କ ରହିଛି । ଏପରିକି ସେ ବ୍ରିଟନରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଅବତାର ସିଂହ ଖନ୍ଦାର ଅତି ନିକଟତମ ଭାବେ ଜଣାଯାଏ । ତା' ବିରୋଧରେ ଅନେକ ଡ୍ରଗ୍ସ ତସ୍କରୀ ମାମଲା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.