ETV Bharat / bharat

ଗର୍ଭସ୍ଥ ଶିଶୁର ମଧ୍ୟ ଅଧିକାର ଅଛି: ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Oct 12, 2023, 8:17 PM IST

ଜନ୍ମ ପୂର୍ବରୁ ମଧ୍ୟ ଗର୍ଭସ୍ଥ ଶିଶୁର ଅଧିକାର ଅଛି: ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି କୋର୍ଟ
ଜନ୍ମ ପୂର୍ବରୁ ମଧ୍ୟ ଗର୍ଭସ୍ଥ ଶିଶୁର ଅଧିକାର ଅଛି: ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି କୋର୍ଟ

26 ସପ୍ତାହରେ ଗର୍ଭପାତ ଅନୁମତି ମାମଲା । ପ୍ରଧାନ ବିଚାରପତି କହିଲେ ଗର୍ଭସ୍ଥ ଶିଶୁର ମଧ୍ୟ ରହିଛି ଅଧିକାର । ଅନୁମତି ଦେବାର ଅର୍ଥ ଶିଶୁକୁ ହତ୍ୟା କରିବା । ଆବେଦନକାରୀ ମହିଳା ଆଉ ଥରେ ଚିନ୍ତା କରନ୍ତୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜନ୍ମ ପୂର୍ବରୁ ଗର୍ଭସ୍ଥ ଶିଶୁର ମଧ୍ୟ ଅଧିକାର ରହିଛି । ତେଣୁ ଗର୍ଭପାତ ଅନୁମତି ଦେବା ବେଳେ ସେକଥା ମଧ୍ୟ ବିଚାରକୁ ନେବାକୁ ହେବ । ଆମେ ଗର୍ଭସ୍ଥ ଶିଶୁକୁ ମଧ୍ୟ ହତ୍ୟା କରିବାକୁ ଅନୁମତି ଦେଇପାରିବା ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । 26 ସପ୍ତାହରେ ଗର୍ଭପାତ ଅନୁମତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆବେଦନକାରୀ ମହିଳାଙ୍କୁ ନିଜର ଗର୍ଭପାତ ସମ୍ପର୍କିତ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ କହିଛନ୍ତି । ଏହାସହ ଶିଶୁ ଯେପରି କୌଣସି ପ୍ରକାର ଶାରୀରିକ କିମ୍ବା ମାନସିକ ବିକୃତିର ସହ ଜନ୍ମଗ୍ରହଣ ନକରେ, ସେଥିପାଇଁ ଗର୍ଭ ଅବଧି ପୂରଣ କରିବା ଉପରେ ଆଉ ଥରେ ଚିନ୍ତା କରିବା ପାଇଁ କହିଛନ୍ତି ।

ଗତକାଲି ଏହି ମାମଲାରେ ଦୁଇ ମହିଳା ବିଚାରପତି ଶୁଣାଣି କରିଥିଲେ । ଦୁଇ ବିଚାରପତିଙ୍କ ମଧ୍ୟରେ ଭିନ୍ନମତ କାରଣରୁ ଏହି ମାମଲାଟି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତରିତ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ, ଜେ.ବି ପର୍ଦ୍ଦିଓ୍ବାଲା ଓ ମନୋଜ ମିଶ୍ରାଙ୍କ 3 ଜଣିଆ ଖଣ୍ଡପୀଠରେ ହୋଇଛି । ଶୁଣାଣିରେ ଉଭୟ ପକ୍ଷର ଯୁକ୍ତି ଶୁଣି ସାରିବା ପ୍ରଧାନ ବିଚାରପତି କହିଥିଲେ, ସମ୍ବିଧାନ ଧାରା-21 ଅନୁସାରେ ଏପରି ସ୍ଥିତିରେ ମହିଳାଙ୍କ ସ୍ବତନ୍ତ୍ରତା ରହିଛି । ମାତ୍ର ଗର୍ଭପାତ ଅନୁମତି ଦେବା ସମୟରେ ଏକଥା ମଧ୍ୟ ସଂଜ୍ଞାନରେ ରହିବା ଜରୁରୀ ଯେ,ଗର୍ଭସ୍ଥ ଶିଶୁର ଅଧିକାର ଯେପରି କ୍ଷୂର୍ଣ୍ଣ ନହୁଏ ।

ପ୍ରଧାନ ବିଚାରପତି ଟିପ୍ପଣୀରେ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ‘‘ଆପଣ ଗର୍ଭପାତ ଅନୁମତି ପାଇଁ ମା’କୁ ପ୍ରତିନିଧିତ୍ବ କରୁଛନ୍ତି । କିନ୍ତୁ ଏହି ମାମଲାରେ ଗର୍ଭସ୍ଥ ଶିଶୁ ପକ୍ଷରୁ କି’ଏ ପ୍ରତିନିଧିତ୍ବ କରୁଛି । ଗର୍ଭସ୍ଥ ଶିଶୁ ଏକ ଜୀବିତ ଭ୍ରୁଣ ଓ ଏହାର ଜୀବନ ସମ୍ଭାବନା ମଧ୍ୟ ନିଶ୍ଚିତ । ଆପଣ ଏହି ଆବେଦନ ସହ ଶିଶୁର ଅଧିକାର ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରିପାରିବେ । କ’ଣ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ପାଇଁ ନ୍ୟାୟପାଳିକା ଅନୁମତି ଦେଉ, ଏହା ହିଁ ଏହି ମାମଲାର ଏକମାତ୍ର ବିକଳ୍ପ କି ? ’’

ପ୍ରଧାନ ବିଚାରପତି ଏହା ମଧ୍ୟ କହିଥିଲେ,‘‘ଯଦି ଗର୍ଭସ୍ଥ ଶିଶୁ ମାନସିକ ଓ ଶାରୀରିକ ବିକୃତି ସହ ଜନ୍ମଗ୍ରହଣ କରେ, ତେବେ ସେ ଏହା ଦ୍ବାରା ସାରା ଜୀବନ ଯନ୍ତ୍ରଣାର ଶିକାର ହେବ । ଆବଶ୍ୟକ ସ୍ଥଳେ କେହି ତାକୁ ପୋଷ୍ୟ ସନ୍ତାନ ଭାବେ ମଧ୍ୟ ଗ୍ରହଣ କରିବେ ନାହିଁ । ତେଣୁ ଗର୍ଭପାତ ପରିବର୍ତ୍ତେ ସୁରକ୍ଷିତ ପ୍ରସବ ପାଇଁ ଆବେଦନକାରୀ ଆଉ କିଛି ସପ୍ତାହ ଅପେକ୍ଷା କରିବା ଉଚିତ୍‌ । ଆବେଦନକାରୀଙ୍କ ଓକିଲ ନିଜ ମହକିଲଙ୍କ ସହ ଏ ଦିଗରେ ପରାମର୍ଶ କରନ୍ତୁ ।’’

ମାତ୍ର ପୂର୍ବରୁ ଦୁଇ ସନ୍ତାନ ଥିବା ଓ ଆବେଦନକାରୀ ମହିଳା ଅସୁସ୍ଥ ଅନ୍ୟ କାରଣ ପାଇଁ ଲାଳନପାଳନ ସକ୍ଷମତାରେ ନଥିବା ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ପୂର୍ବରୁ ମହିଳାଙ୍କର ଦୁଇ ସନ୍ତାନ ରହିଛନ୍ତି । ସେମାନେ ସେମାନଙ୍କ ଜେଜେମା’ ଦ୍ବାରା ପାଳିତ ହେଉଛନ୍ତି । ଏବେ ତୃତୀୟ ସନ୍ତାନ ଜନ୍ମ ନେବା ପରେ ସମସ୍ତଙ୍କ ଜୀବନ ପ୍ରଭାବିତ ହେବା ନେଇ ମଧ୍ୟ ମହିଳାଙ୍କ ଓକିଲ କହିଥିଲେ । ତଥାପି କୋର୍ଟ ଅନୁମତି ଦେବାକୁ ମନା କରିବା ସହ ଶିଶୁର ଜୀବନ ସମ୍ଭାବନା ଓ ସ୍ବାଭାବିକ ଜୀବନ ଦିଗରେ ଚିନ୍ତା କରିବା ପାଇଁ ଆବେଦନକାରୀ ପକ୍ଷ ଓ କେନ୍ଦ୍ର ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଅତିରିକ୍ତ ସଲିସେଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟିଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସ୍ବାସ୍ଥ୍ୟାବସ୍ଥା କାରଣରୁ 3 ମାସ ବଢିଲା ନଓ୍ବାବ ମଲ୍ଲିକଙ୍କ ଅନ୍ତରୀଣ ବେଲ ଅବଧି

9 ତାରିଖରେ ଏହି ମାମଲାରେ ଆବେଦନକାରୀ ମହିଳାଙ୍କୁ ସର୍ବୋଚ୍ଚ କୋର୍ଟ ଗର୍ଭପାତ କରିବା ପାଇଁ ଅନୁମତି ଦେଇଥିଲେ । ମାତ୍ର କେନ୍ଦ୍ର ସରକାର ପ୍ରଦତ୍ତ ରାୟର ପୁନର୍ବିଚାର କରିବା ପାଇଁ ପୁଣି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଗତକାଲି ଏହି ମାମଲାରେ କୌଣସି ରାୟ ପ୍ରକାଶ ପାଇନଥିଲା । ଆଜି ମଧ୍ୟ ପ୍ରଧାନ ବିଚାରପତି ଏହି ପ୍ରସ୍ତାବ ସହ ଆସନ୍ତାକାଲି ପାଇଁ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.