ETV Bharat / bharat

ଉତ୍ତରାଖଣ୍ଡରେ ଲଭ ଜିହାଦ ଅଭିଯୋଗରେ ଉତ୍ତେଜନା, ପୁରୋଲାରେ ଧାରା 144 ଜାରି

author img

By

Published : Jun 14, 2023, 10:07 PM IST

ଉତ୍ତରାଖଣ୍ଡରେ ଲଭ ଜିହାଦକୁ ନେଇ ଉତ୍ତେଜନା, 144 ଜାରି, ପୋଲିସର ଫ୍ଲାଗ ମାର୍ଚ୍ଚ
ଉତ୍ତରାଖଣ୍ଡରେ ଲଭ ଜିହାଦକୁ ନେଇ ଉତ୍ତେଜନା, 144 ଜାରି, ପୋଲିସର ଫ୍ଲାଗ ମାର୍ଚ୍ଚ

ଉତ୍ତରକାଶୀ ପୁରୋଲାରେ ଲଭ ଜିହାଦ ଅଭିଯୋଗକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି । ହିନ୍ଦୁ ସଂଗଠନର ମହାପଞ୍ଚାୟତକୁ ଅନୁମତି ଦେଲାନି ପ୍ରଶାସନ । ସହରରେ 144 ଧାରା ଜାରି, ଫ୍ଲାଗମାର୍ଚ୍ଚ କଲା ପୋଲିସ । ଅଧିକ ପଢନ୍ତୁ

ଡେରାଡୁନ: ଉତ୍ତରଖଣ୍ଡର ଉତ୍ତରକାଶୀରେ ଲଭ୍‌ ଜିହାଦ ଅଭିଯୋଗକୁ ନେଇ ଉତ୍ତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଛି । ପୁରୋଲାରେ ଲଭ ଜିହାଦ ଅଭିଯୋଗ ମାମଲା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ଅଭିଯୋଗ ଆସିବା ପରେ କେତେକ ହିନ୍ଦୁ ସଂଗଠନ ଆସନ୍ତାକାଲି ମହାପଞ୍ଚାୟତ ଡାକରା ଦେବା ପରେ ଜିଲ୍ଲା ଓ ପୋଲିସ ପ୍ରଶାସନ ଆକ୍ସନ ମୋଡକୁ ଆସିଛି । ମହାପଞ୍ଚାୟତ ଆୟୋଜନକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ମନା କରିଦେଇଛି । ଏହା ସହ ପୁରୋଲାରେ ଧାରା 144 ଲାଗୁ ମଧ୍ୟ କରାଯାଇଛି । ଆଜି ଅପରାହ୍ନରେ ପୋଲିସ ସହରରେ ଫ୍ଲାଗମାର୍ଚ୍ଚ କରିଛି । ପୁରା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଡ୍ରୋନ୍‌ ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯାଇଛି ।

ସୂଚନା ଅନୁସାରେ, ଗତମାସ ମେ’ 26 ତାରିଖରେ ସ୍ଥାନୀୟ ଅଞ୍ଚଳରେ ଏକ ଲଭ୍‌ ଜିହାଦ ମାମଲା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଣେ ମୁସଲିମ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସାଙ୍ଗରେ ଧରି ଫେରାର ହେବା ପାଇଁ ଉଦ୍ୟମ କରିବା ବେଳେ ସ୍ଥାନୀୟ କିଛି ହିନ୍ଦୁ ଯୁବକ ଉଭୟଙ୍କୁ କାବୁ କରିଥିଲେ । ସମ୍ପୃକ୍ତ ମୁସଲିମ ଯୁବକଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର ମଧ୍ୟ କରାଯାଇଥିଲା । ପୋଲିସ ଏହାର ତଦନ୍ତ ଜାରି ରଖିଛି । ଏହା ପରେ ଏହି ଘଟଣାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ଏହାର ପ୍ରତିବାଦରେ ହିନ୍ଦୁ ସଂଗଠନ ଆସନ୍ତାକାଲି (15 ତାରିଖ) ଏକ ମହାପଞ୍ଚାୟତ ଆୟୋଜନ କରିବା ସହ ହିନ୍ଦୁଙ୍କୁ ଏକାଠି ହେବା ପାଇଁ ଆହ୍ବାନ ଦେଇଥିଲା । ଏପରି ଡାକରା ପରେ ସ୍ଥାନୀୟ ଜିଲ୍ଲା ଓ ପୋଲିସ ପ୍ରଶାସନ ଆକ୍ସନ ମୋଡକୁ ଆସିଛି ।

ହିନ୍ଦୁ ସଂଗଠନ ପକ୍ଷରୁ କରାଯାଇଥିବା ମହାପଞ୍ଚାୟତ ଆୟୋଜନ ଆବେଦନକୁ ପ୍ରଶାସନ ମନା କରିବା ସହ ସହରରେ ସୁରକ୍ଷା ବଢାଇଛି । ଏବେ ସମଗ୍ର ସହରରେ ଧାରା 144 ଧାରା ଜାରି ହେବା ସହ ପୋଲିସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛି । ସ୍ଥାନୀୟ ଏସପିଙ୍କ ନେତୃତ୍ବରେ ଏକାଧିକ ଅଧିକାରୀ ଓ ପ୍ରାୟ 3ଶହ ପୋଲିସ କର୍ମୀ ସହରରେ ଫ୍ଲାଗମାର୍ଚ୍ଚ କରିଛନ୍ତି । କୌଣସି ଅପ୍ରୀତିକର ସ୍ଥିତି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା ଅଧିକାରୀ କହିଛନ୍ତି । ପ୍ରଶାସନ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ମଧ୍ୟ କରିଛି । କୌଣସି ପରିସ୍ଥିତିରେ ସହରରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲାଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.