ETV Bharat / bharat

Uttar Pradesh: କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

author img

By ETV Bharat Odisha Team

Published : Sep 1, 2023, 11:34 AM IST

କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା
କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା । କେନ୍ଦ୍ରମନ୍ତ୍ରୀଙ୍କ ପୁଅର ପିସ୍ତଲରୁ ଫୁଟିଛି ଗୁଳି । ଅଧିକ ପଢନ୍ତୁ

ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଜି(ଶୁକ୍ରବାର) ସକାଳେ କେନ୍ଦ୍ରମନ୍ତ୍ରୀଙ୍କ ଲକ୍ଷ୍ନୌ ଠାକୁରଗଞ୍ଜ ସ୍ଥିତ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ୨୮ ବର୍ଷୀୟ ବିନୟ ଶ୍ରୀବାସ୍ତବ ଏବଂ ସେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସାଙ୍ଗ ବୋଲି ପୋଲିସ ଜଣାଇଛି । ତେବେ ମନ୍ତ୍ରୀଙ୍କ ପୁଅର ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟିବା ଯୋଗୁଁ ହିଁ ବିନୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଏବେ ଚାରିଆଡେ ହଇଚର ସୃଷ୍ଟି କରିଛି ।

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ପିସ୍ତଲରୁ ଫୁଟିଛି ଗୁଳି: ଠାକୁରଗଞ୍ଜ ଥାନା ଅନ୍ତର୍ଗତ ବେଗରିୟା ଗାଁରେ ଥିବା କେନ୍ଦ୍ରମନ୍ତ୍ରୀ କିଶୋରଙ୍କ ଘରେ ଘଟଣା ଘଟିଛି । ଆଜି ସକାଳେ କେନ୍ଦ୍ରମନ୍ତ୍ରୀଙ୍କ କୌଶଲ କିଶୋରଙ୍କ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ପୋଲିସ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନାଁରେ ଥିବା ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଜବତ କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ପୋଲିସ ଓ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପ୍ରମାଣ ସଂଗ୍ରହ କରୁଛି ।

ଏହାମଧ୍ୟ ପଢନ୍ତୁ: ବଜାରରୁ ଫେରିବା ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଦୁଷ୍କର୍ମ କରି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମୃତ ବିନୟ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ସାଙ୍ଗ ଥିଲେ । ତାଙ୍କ ଘର ମାଧବପୁର ୱାର୍ଡ ଫରିଦିପୁରରେ । ସେ ବିକାଶ ସାଙ୍ଗରେ ତାଙ୍କ ଘରକୁ ଆସିଥିଲେ । ଅଜୟ ରାୱତ, ଅଙ୍କିତ ବର୍ମା, ଶମିମ ଓ ବାବା ନାମକ ଆଉ କିଛି ଯୁବକଙ୍କ ସହିତ ମିଶି ବିକାଶ ଓ ବିନୟ ଠାକୁରଗଞ୍ଜ ଘରେ ଗତକାଲି ସନ୍ଧ୍ୟାରେ ସମୟ ବିତାଇଥିଲେ । ସମସ୍ତେ ରାତିରେ ଖାଇବା ପିଇବା କରିଥିଲେ । ହେଲେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି ।

ଆଜି ସକାଳ ୪ଟା ବେଳେ ଗୁଳିମାଡରେ ବିନୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଡିସିପି ରାହୁଲ ରାଜ କହିଛନ୍ତି, ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଗୁଳି ବାଜିବା ଯୋଗୁଁ ହୋଇଛି । ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ରାତିରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ କିଛି ଲୋକ ଆସିଥିଲେ । ସମସ୍ତେ ଖାଇବା ପିଇବା କରିବା ପରେ ଗୁଳିକାଣ୍ଡ ଘଟିଥିଲା । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ମିଳିଛି । ଏହା ବିକାଶ କିଶୋରଙ୍କର ହୋଇଥିବା କୁହାଯାଉଛି । ଏନେଇ ପୋଲିସ ତନାଘନା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.