ETV Bharat / bharat

Zojila tunnel: ନିର୍ମାଣ କାର୍ଯ୍ୟ ତଦାରଖ କଲେ ନୀତିନ ଗଡକରୀ ଓ ମନୋଜ ସିହ୍ନା

author img

By

Published : Apr 10, 2023, 5:15 PM IST

Zojila tunnel: ନିର୍ମାଣ କାର୍ଯ୍ୟ ତଦାରଖ କଲେ ନୀତିନ ଗଡକରୀ ଓ ମନୋଜ ସିହ୍ନା
Zojila tunnel: ନିର୍ମାଣ କାର୍ଯ୍ୟ ତଦାରଖ କଲେ ନୀତିନ ଗଡକରୀ ଓ ମନୋଜ ସିହ୍ନା

ଜୋଜିଲା ଟନେଲ୍ ପ୍ରୋଜେକ୍ଟ ଅନୁଧ୍ୟାନ କଲେ ହାଇଓ୍ବେ ମ୍ୟାନ ନୀତିନ ଗଡକରୀ । ସାଙ୍ଗରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଥିଲେ ସାମିଲ । 2026 ସୁଦ୍ଧା ଶେଷ ହେବା ନିର୍ମାଣ । ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀରରେ ନିର୍ମାଣାଧୀନ ଦୀର୍ଘତମ ଜୋଜିଲା ଟନେଲ୍ ପ୍ରୋଜେକ୍ଟ ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଓ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଆଜି (ସୋମବାର) ପୂର୍ବାହ୍ନରେ ଉଭୟ ନିର୍ମାଣସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ।କାର୍ଯ୍ୟରତ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉଭୟଙ୍କୁ ନିର୍ମାଣ କାର୍ଯ୍ୟର ଗତିଶିଳତା ସମ୍ପର୍କରେ ଅବଗତ କରିଥିଲେ । ଏହାକୁ 2026 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ଗଡକରୀ କହିଛନ୍ତି, "ଏହି ଐତିହାସିକ ଟନେଲ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ପରେ ସମଗ୍ର ଦେଶ ସହ କାଶ୍ମୀର ସଡକ ପଥରେ ଯୋଡିହେବ । ଦେଶର ପର୍ଯ୍ୟଟନରେ ବିଶେଷ ଭୂମିକା ରଖୁଥିବା କାଶ୍ମୀରରେ ପର୍ଯ୍ୟଟନର ମାତ୍ରା ଆହୁରି 2ରୁ 3 ଗୁଣା ବଢିବ । ଲୋକେ କାଶ୍ମୀରରେ ସୁଇଜରଲ୍ୟାଣ୍ଡ ପରି ଅନୁଭବ ପାଇବେ । ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ରୋଜଗାର ମଧ୍ୟ ବଢିବ । ଏହାକୁ ସର୍ବ-ଋତୁକାଳୀନ ବ୍ୟବହାରଯୋଗ୍ୟ ଭାବେ ନିର୍ମାଣ କରାଯାଉଛି ।"

କ’ଣ ଏହି ଟନେଲର ସ୍ବତନ୍ତ୍ରତା: ଏହି ଟନେଲ ଶ୍ରୀନଗର-କାର୍ଗିଲ-ଲେହ ଜାତୀୟ ରାଜପଥ ଅନ୍ତର୍ଗତ ଆସୁଛି । ଏହା କାର୍ଯ୍ୟକ୍ଷମ ହେବା ପରେ ଦେଶ ସହ ସଡ଼କ ପଥରେ କାଶ୍ମୀର ଯୋଡ଼ି ହେବ । କୌଣସି ପ୍ରତିକୂଳ ପାଣିପାଗରେ ମଧ୍ୟ ଯାତାୟତ ସମ୍ଭବ ହୋଇପାରିବ । ଏହି ମୁଖ୍ୟ ସୁଡ଼ଙ୍ଗର ଲମ୍ବ 13 କି.ମି ହୋଇଥିବା ବେଳେ ଆପ୍ରୋଚ ରୋଡକୁ ମିଶାଇ ଏହାର ମୋଟ ଲମ୍ବ 18 କି.ମି ରହିଛି । ବିଯୁକ୍ତ ତାପମାତ୍ରାପୂର୍ଣ୍ଣ ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏବେ ସୁଦ୍ଧା ଏହି ପ୍ରକଳ୍ପର ପ୍ରାୟ 40 ପ୍ରତିଶତରୁ ଅଧିକ କାମ ଶେଷ ହୋଇସାରିଥିବା ନିର୍ମାଣ ଟେଣ୍ଡର ପାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।

ପ୍ରବଳ ତୁଷାରପାତରେ ମଧ୍ୟ ଚାଲିବ ଗାଡି: ପ୍ରବଳ ତୁଷାରପାତ ସତ୍ତ୍ବେ ମଧ୍ୟ ଏଥିରେ ଯୋଗାଯୋଗ ଓ ଯାନବାହନ ଚଳାଚଳ ପ୍ରଭାବିତ ହେବ ନାହିଁ । ପ୍ରତିବର୍ଷ ତୁଷାରପାତରେ ବନ୍ଦ ପଡୁଥିବା ସନମାର୍ଗରେ ଲୋକେ ଯାତାୟତ କରିପାରିବେ ବୋଲି ଗଡକରୀ କହିଛନ୍ତି । ସେହିପରି 2026ରେ ଏହି ଐତିହାସିକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବା ପରେ ଏହାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା କରାଯିବା ନେଇ ଯୋଜନା ରଖାଯାଇଛି । ହେଲେ ଏବେ ସୁଦ୍ଧା ଶେଷ ହୋଇଥିବା ଅଂଶକୁ ସାଧାରଣ ଯାତାୟତ ପାଇଁ ମୁକ୍ତ କରାଯିବା ନେଇ ଗଡକରୀ ସୂଚନା ଦେଇଛନ୍ତି ।

2026 ସୁଦ୍ଧା ହେବ ଲୋକାର୍ପଣ: ଏହି ଦୀର୍ଘ 18 କି.ମି ଲମ୍ବ ସୁଡ଼ଙ୍ଗ ବା ଟନେଲର ନିର୍ମାଣ କାର୍ଯ୍ୟ 2026 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଥିଲେ । କାର୍ଯ୍ୟରତ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉଭୟଙ୍କୁ ନିର୍ମାଣ କାର୍ଯ୍ୟର ଗତିଶିଳତା ସମ୍ପର୍କରେ ଅବଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.