ETV Bharat / bharat

ଭାରତ ସର୍ବସ୍ପର୍ଶୀ ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Sep 13, 2023, 7:16 AM IST

ଏକ ବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତି ପ୍ରସ୍ତୁତ କରିବା ଦିଗରେ ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ତତ୍ତ୍ବ । ଡେରାଡୁନରେ ୟୁପିଇଏସ ବିଶ୍ବବିଦ୍ୟାଳୟର ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ ସର୍ବସ୍ପର୍ଶୀ ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତ ସର୍ବସ୍ପର୍ଶୀ ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେରାଡୁନ: ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତରାଖଣ୍ଡ ଗସ୍ତ ଅବସରରେ ଡେରାଡୁନରେ ୟୁପିଇଏସ ବିଶ୍ବବିଦ୍ୟାଳୟର "ବିକଶିତ ଭାରତ 2047" ଶୀର୍ଷକ ଅମୃତ କାଳ ବିମର୍ଷ ଆଲୋଚନାରେ ଯୋଗ ଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡେରାଡୁନ ଠାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଲୋକାର୍ପଣ କରିବା ସହ ପିଏମଶ୍ରୀ ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଏହାସହ ମେଧାବୀ ଛାତ୍ର ବୃତ୍ତି ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟା ଆଧାରିତ ଆଧୁନିକ ଡାଟା ଡ୍ରିଭେନ ମଡେଲ ଓ ବିଦ୍ୟା ସମୀକ୍ଷା କେନ୍ଦ୍ର, ଉତ୍ତରାଖଣ୍ଡର ଥିବା 23 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ । ଏହି କେନ୍ଦ୍ର ମାଧ୍ୟମରେ ରାଜ୍ୟରେ ଥିବା 22 ହଜାରରୁ ଊର୍ଦ୍ଧ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 23.5 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ 1 ଲକ୍ଷ 22 ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଟିଏ ପ୍ଲାଟଫର୍ମରେ ଯୋଡି ହେବା ସହ ସମସ୍ତଙ୍କ ତଥ୍ୟ ମଧ୍ୟ ଉପଲବ୍ଧ ରହିବ । ରାଜ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଜଣାପଡିବ । ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ ।

ଅଧିକ ପଢନ୍ତୁ- ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ପାଇଁ ଭାରତବର୍ଷ ଏକ ବୈଶ୍ବିକ ମଡେଲ ହେବାକୁ ଯାଉଛି: ଧର୍ମେନ୍ଦ୍ର

ଏକ ବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତି ପ୍ରସ୍ତୁତ କରିବା ଦିଗରେ ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ତତ୍ତ୍ବ । ଜାତୀୟ ଶିକ୍ଷାନୀତି ଆଧାରରେ 141ଟି ପିଏମଶ୍ରୀ ବିଦ୍ୟାଳୟର ଶିଳାନ୍ୟାସ ଓ ମେଧାବୀ ଛାତ୍ର ବୃତ୍ତି ଏବଂ ରାଜ୍ୟରେ ଗବେଷଣାକୁ ପ୍ରାତ୍ସାହିତ କରିବା ଦିଗରେ ରାଜ୍ୟ ଗବେଷଣା ବୃତ୍ତି ପାଇଁ ଆର୍ଥିକ ପ୍ରବନ୍ଧନ କରାଯିବା ଉତ୍ତରାଖଣ୍ଡ ସରକାରର ଶିକ୍ଷାର ବିକାଶ ପ୍ରତି ପ୍ରାଥମିକତାକୁ ଦର୍ଶାଉଛି । ଜାତୀୟ ଶିକ୍ଷାନୀତିକୁ କ୍ରିୟାନ୍ବୟନ କରିବା ଦିଗରେ ଉତ୍ତରାଖଣ୍ଡ ଦେଶର ଅନେକ ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି । ଦେବଭୂମି ଉତ୍ତରାଖଣ୍ଡର ବିକାଶ ତଥା ଏଠାର ଲୋକଙ୍କ ଉନ୍ନତି ପାଇଁ ମୋଦି ସରକାର ଉତ୍ତରାଖଣ୍ଡର ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଡେରାଡୁନ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପିଢିର ଆଶା, ଆକାଂକ୍ଷାକୁ ବୁଝିବାକୁ ହେବ । ଭାରତକୁ ସ୍ବାଧୀନତାର 76 ବର୍ଷ ପୂରଣ ହୋଇଛି । ବିଶ୍ବରେ ଶାନ୍ତି, ଅହିଂସା, ସ୍ବାଧୀନତା, ଗଣତନ୍ତ୍ର ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ବ ଦିଆଯାଉଛି । ଏହାର ଜନନାୟକ ହେଉଛନ୍ତି ମହାତ୍ମା ଗାନ୍ଧୀ । ନିକଟରେ ଅନୁଷ୍ଠିତ ହୋଇଥିବା ଜି 20 ବୈଠକରେ ଯୋଗ ଦେଇଥିବା ବିଶ୍ବର ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥଳରେ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ବ ଯୋଗୁଁ ହିଁ ସମ୍ଭବ ହୋଇଛି । ପ୍ରଥମଥର ପାଇଁ ଜି 20 ବୈଠକରେ ଆଫ୍ରିକୀୟ ଦେଶ ସମୂହକୁ ସ୍ଥାୟୀ ସଦସ୍ୟରୂପେ ଗ୍ରହଣ କରାଯାଇଥିଲା । ପାଶ୍ଚାତ୍ୟ ଦେଶରେ ପ୍ରତ୍ୟେକ ବିଷୟ ବ୍ୟକ୍ତି କେନ୍ଦ୍ରିତ ଥିଲାବେଳେ ଭାରତରେ ପ୍ରତ୍ୟେକ କାର୍ଯ୍ୟ ସର୍ବସ୍ପର୍ଶୀ ହୋଇଥାଏ ଓ ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.