ETV Bharat / bharat

ଜର୍ଜ ସୋରସଙ୍କ ବିବାଦୀୟ ବୟାନ, ଅନୁରାଗ କହିଲେ ବିଦେଶୀ ଶକ୍ତି ସାହାଯ୍ୟରେ ହେଉଛି ଷଡଯନ୍ତ୍ର

author img

By

Published : Feb 19, 2023, 9:44 PM IST

ପ୍ରଧାନମନ୍ତ୍ରୀଙ୍କୁ ନେଇ ଜର୍ଜ ସୋରସଙ୍କ ବିବାଦୀୟ ବୟାନ, ବର୍ଷିଲେ ଅନୁରାଗ
ପ୍ରଧାନମନ୍ତ୍ରୀଙ୍କୁ ନେଇ ଜର୍ଜ ସୋରସଙ୍କ ବିବାଦୀୟ ବୟାନ, ବର୍ଷିଲେ ଅନୁରାଗ

ଜର୍ଜ ସୋରସଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅନୁରାଗ । କହିଲେ ବିଦେଶୀ ଶକ୍ତି ସାହାଯ୍ୟରେ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ହେଉଛି ପ୍ରୟାସ । ନିର୍ବାଚନୀ ବର୍ଷ ଥିବାରୁ କ୍ରମାଗତ ଘଟିଲାଣି ଦୁଇଟି ଘଟଣା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଅର୍ଥବଳକୁ ସାହାରା କରି ଭାରତର ଗଣତନ୍ତ୍ରରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳତା ସାମ୍ନାରେ ବିରୋଧୀ ନିଜର ଅସ୍ଥିତ୍ବ ହରାଇବା ପରି ସ୍ଥିତିକୁ ଆସିଲେଣି । ବିଦେଶୀ ଶକ୍ତିଙ୍କ ସାହାଯ୍ୟ ନେଇ ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଆମେରିକୀୟ ଆରବପତି ଜର୍ଜ ସୋରୋସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କୁ ଓ ବିରୋଧୀଙ୍କୁ ଏପରି ଭାଷାରେ ସମାଲୋଚନା କରିଛନ୍ତି ଅନୁରାଗ ।

ଆମେରିକୀୟ ଆରବପତି ଜର୍ଜ ସୋରୋସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କଡା ସମାଲୋଚନାମୂଳକ ମନ୍ତବ୍ୟ ଦେଇଥିଲେ । ଆଦାନୀ ସମୂହ ସମ୍ପର୍କରେ ହିଣ୍ଡନବର୍ଗରେ ପ୍ରକାଶିତ ରିପୋର୍ଟ ସମ୍ପର୍କରେ ମୋଦି କାହିଁକି ନିରବତା ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜର୍ଜ । ସେହିପରି ମୋଦିଙ୍କୁ ଗ୍ଲୋବାଲ ନିବେଶକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ବୋଲି ମଧ୍ୟ ଜର୍ଜ କହିଥିଲେ । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ହିମାଚଳ ଗସ୍ତ ସମୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, କିଛି ଲୋକ ଏବଂ ସଂଗଠନ ଟଙ୍କା ଆଧାରରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧୀ ଷଡଯନ୍ତ୍ର କରୁଛନ୍ତି । ନିର୍ବାଚନ ବର୍ଷ ପାଖେଇ ଆସୁଛି,ଏଭଳି ପରିସ୍ଥିତିରେ ଗୋଟିଏ ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ଘଟଣା କ୍ରମାଗତ ଦେଖିବାକୁ ମିଳିଲାଣି । ମିଥ୍ୟା ଏବଂ ଗୁଜବ ପ୍ରଚାର କରିବାକୁ ଉଦ୍ୟମ କରାଯାଉଛି, କିନ୍ତୁ ଏପରି ଲୋକଙ୍କ ଚେହେରା ଆଜି ପଦାରେ ପଡିଛି । ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଛିଡା ହୋଇପାରୁନଥିବା ବିରୋଧୀ ଏବେ ବାହ୍ୟ ଶକ୍ତି ସାହାଯ୍ୟରେ ଦେଶର ଗଣତନ୍ତ୍ରକୁ ବିପନ୍ନ କରିବାର ପ୍ରୟାସରେ ଲାଗିଛନ୍ତି ।

ସେହିପରି ସେ ଜିଏସଟି ଅଧୀନରେ ପେଟ୍ରୋଲ, ଡିଜେଲ ମୂଲ୍ୟ ଆଣିବା ପ୍ରଶ୍ନରେ ମଧ୍ୟ ନିଜର ମତ ରଖିଛନ୍ତି । ଯେପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଏହି ପ୍ରସଙ୍ଗରେ ସହମତ ନ ହୁଅନ୍ତି ସେ ପର୍ଯ୍ୟନ୍ତ ସାର୍ବଜନୀନ ନିଷ୍ପତ୍ତି ନେବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଅନୁରାଗ । ମୁଦ୍ରାସ୍ଫୀତିରୁ ଜନସାଧାରଣଙ୍କୁ ଆଶ୍ବସ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତେଲ ଉପରେ ଟିକସ ଏବଂ କଷ୍ଟମ ଶୁଳ୍କ ହ୍ରାସ କରାଯାଇଛି । ବିଜେପି ଶାସିତ ଅନେକ ରାଜ୍ୟରେ ଏହି ହାର ହ୍ରାସ ପାଇଛି, କିନ୍ତୁ କଂଗ୍ରେସ ଏବଂ ଅନ୍ୟ ଦଳ ଶାସିତ ରାଜ୍ୟରେ ଟିକସ ହ୍ରାସ କରିବା ପରିବର୍ତ୍ତେ ଏହାକୁ ଆହୁରି ବୃଦ୍ଧି କରାଯାଉଛି । ଯାହା ଲୋକଙ୍କୁ ଅଧିକ ହନ୍ତସନ୍ତ କରୁଛି ବୋଲି ଅନୁରାଗ କହିଥିଲେ ।

ସେହିପରି ସେ ଚଳିତବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ତାଙ୍କ ଦଳ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ସମସ୍ତ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଉଲ୍ଲେଖନୀୟ ପ୍ରଦର୍ଶନ କରି କ୍ଷମତାକୁ ଆସିବା ନେଇ ସେ ଦମ୍ଭୋକ୍ତି ଦେଖାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.