ETV Bharat / bharat

ଚଳନ୍ତା ଟ୍ରେନରୁ ଦୁଇ ଯୁବକଙ୍କୁ ଠେଲି ଦେଲେ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

author img

By

Published : Mar 12, 2023, 8:33 PM IST

ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ମଧ୍ୟରେ ବଚସା । ଟ୍ରେନରୁ ଦୁଇ ଜଣଙ୍କୁ ଠେଲିଦେଲେ ଅଭିଯୁକ୍ତ । ଝାଡ଼ଖଣ୍ଡର ଚକ୍ରଧରପୁରସ୍ଥିତ ଲୋଟାପାହାଡ଼ ରେଲୱେ ଷ୍ଟେସନ ନିକଟରେ ଅଘଟଣ । ଅଧିକ ପଢ଼ନ୍ତୁ

two people were thrown from moving train
ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ହତ୍ୟା

ରାଞ୍ଚି: ଚଳନ୍ତା ଟ୍ରେନରୁ ଦୁଇ ଜଣ ଯୁବକଙ୍କୁ ଠେଲିଦେଲେ । ଝାଡ଼ଖଣ୍ଡର ଚକ୍ରଧରପୁରସ୍ଥିତ ଲୋଟାପାହାଡ଼ ରେଲୱେ ଷ୍ଟେସନ ନିକଟରେ ଏଭଳି ଏକ ଛାତିଥରା ଘଟଣା ଘଟିଛି । ଟ୍ରେନରୁ ଖସି ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଟିଟିଲାଗଡ଼ ହାୱଡା ଇସ୍ପାତ ଏକ୍ସପ୍ରେସ ଟ୍ରେନରେ ଏହି ଅଘଟଣ ଘଟିଛି । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ଚକ୍ରଧରପୁର ସ୍ଥିତ ଟୋକଲା ଥାନା ଅନ୍ତର୍ଗତ ଭର୍ନିଆ ଗ୍ରାମ ବାସିନ୍ଦା ଦୁଲୁ ସର୍ଦ୍ଦାର ଟିଟଲାଗଡ଼ରୁ ହାୱଡା ଯାଉଥିବା ଇସ୍ପାତ ଏକ୍ସପ୍ରେସରେ ଝାରସୁଗୁଡ଼ାରୁ ଚକ୍ରଧରପୁର ଯାଉଥିଲେ । ସେ ସାଧାରଣ ବଗିରେ ଯାତ୍ରା କରୁଥିଲେ । ଏହି ସମୟରେ ସେଠାରେ ଥିବା କିଛି ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ କିଛି ଯାତ୍ରୀ ମିଶି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବାକୁ ଲାଗିଲେ । ଏତିକି ବେଳେ ଦୁଲୁ ସର୍ଦ୍ଦାର ସେମାନଙ୍କୁ ବୁଝାସୁଝା କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ଉକ୍ତ ଲୋକମାନେ ଦୁଲୁଙ୍କୁ ମଧ୍ୟ ମାରପିଟ କରିଥିଲେ ।

ମାମଲା ଏତେ ଗମ୍ଭୀର ହେଲା ଯେ ମାଡ଼ ମାରୁଥିବା ଯାତ୍ରୀମାନେ ଚକ୍ରଧରପୁର ସ୍ଥିତ ଲୋଟା ପାହାଡ଼ ରେଳ ଷ୍ଟେସନ ନିକଟ ମୁରହତୁ ଗ୍ରାମରେ ଉକ୍ତ ବ୍ୟକ୍ତିଙ୍କୁ ଠେଲି ଦେଇଥିଲେ । ଚଳନ୍ତା ଟ୍ରେନରୁ ଖସିଯିବା ପରେ ଏକ ରେଳଧାରଣାରେ ପଡ଼ିଗଲେ । କିନ୍ତୁ ସେହି ଧାରଣାରେ ଏକ ମାଲବାହୀ ଟ୍ରେନ ଆସିବାରୁ ଟ୍ରେନ ତଳେ କଟି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଚଳନ୍ତା ଟ୍ରେନରୁ ସେମାନେ ଦୁଲୁ ସର୍ଦ୍ଦାରଙ୍କୁ ମଧ୍ୟ ଠେଲି ଦେଇଥିଲେ । ସୌଭାଗ୍ୟବସତଃ ସେହି ସମୟରେ ଟ୍ରେନଟି ଧୀର ଗତିରେ ଚାଲୁଥିବାରୁ ଦୁଲୁ ବଞ୍ଚି ଯାଇଥିଲେ । କିନ୍ତୁ ପଥରରେ ମାଡ଼ ହେବା ଯୋଗୁଁ ତାଙ୍କ ମୁଣ୍ତ ଏବଂ ହାତରେ ଗଭୀର ଆଘାତ ଲାଗିଛି ।

ଏହି ଖବର ଚାରିଆଡ଼େ ବ୍ୟାପିବା ବେଳେ ଟ୍ରେନଟି ଟାଟାନଗର ଷ୍ଟେସନରେ ପହଞ୍ଚିଛି । ଫଳରେ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ଖବର ପାଇ ସୋନୁଆ ଥାନା ଅଧିକାରୀ ସୋହନଲାଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ପଠାଇଥିଲେ । ଏହାପରେ ଆହତଙ୍କୁ ଉଦ୍ଧାର କରି ଚକ୍ରଧରପୁର ସବ-ଡିଭିଜନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବାବେଳେ ସେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.