ETV Bharat / bharat

Kerala: 2 ମୃତ୍ୟୁ ନିପା ଭୂତାଣୁ ସଂକ୍ରମଣ ଜନିତ, ସ୍ପଷ୍ଟ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Sep 12, 2023, 7:31 PM IST

କେରଳରେ ସ୍ପଷ୍ଟ ହେଲା ନିପା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁ । କୋଜିକୋଡେରେ ଦୁଇ ମୃତକଙ୍କ ନମୂନାରୁ ମିଳିଲା ନିପା ଭୂତାଣୁ । ଅଧିକ ପଢନ୍ତୁ

Kerala: 2 ମୃତ୍ୟୁ ନିପା ଭୂତାଣୁ ସଂକ୍ରମଣ ଜନିତ, ସ୍ପଷ୍ଟ କଲା ପୁଣେ ଲ୍ୟାବ
Kerala: 2 ମୃତ୍ୟୁ ନିପା ଭୂତାଣୁ ସଂକ୍ରମଣ ଜନିତ, ସ୍ପଷ୍ଟ କଲା ପୁଣେ ଲ୍ୟାବ

ଥିରୁଅନନ୍ତପୁରମ/ନୂଆଦିଲ୍ଲୀ: କେରଳ କୋଜିକୋଡେରେ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ କାରଣ ନିପା ଭୂତାଣୁ । ଉଭୟ ନିପା ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଡା.ମନସୁଖ ମାଣ୍ଡବ୍ୟ ସ୍ପଷ୍ଟ କରିଛନ୍ତି । ଏହି ଦୁଇ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ସେମାନଙ୍କ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ଜାତୀୟ ଭୂତାଣୁ ସଂସ୍ଥାନ (NIV) କୁ ପଠାଯାଇଥିଲା । ତେବେ ଆଜି ସଂଧ୍ୟା ସୁଦ୍ଧା ଏହାର ରିପୋର୍ଟ ପ୍ରକାଶ ପାଇବା ସହ ଉଭୟ ନିପା ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ନିପା ଭୂତାଣୁ ମୃତ୍ୟୁ ମାମଲା ସ୍ପଷ୍ଟ ହେବା ପରେ କେନ୍ଦ୍ରୀୟ ଟିମ କେରଳକୁ ପଠାଯିବା ନେଇ ମଧ୍ୟ ମାଣ୍ଡବ୍ୟ ସୂଚନା ଦେଇଛନ୍ତି ।

କୋଜିକୋଡେର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଗଷ୍ଟ 30 ତାରିଖରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଏହା ପରେ ସୋମବାର ଅନ୍ୟ ତଥା 40 ବର୍ଷୀୟ ଦ୍ବିତୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । ଦ୍ବିତୀୟ ମୃତକ, ପ୍ରଥମ ମୃତକଙ୍କ ଚିକିତ୍ସା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କର ମଧ୍ଯ ନମୂନା ସଂଗ୍ରହ କରାଯାଇ ପୁଣେ ପଠାଯାଇଥିଲା ।

ଉଭୟ ମୃତକଙ୍କ ସଂସ୍ପର୍ଷରେ ପ୍ରାୟ 70ରୁ ଅଧିକ ଲୋକ ଆସିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଉଭୟ ମୃତକଙ୍କ ସମ୍ପର୍କୀୟ ସେମାନଙ୍କୁ ଚିହ୍ନଟ କରି ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ତେବେ ଆଜି ସଂଧ୍ୟାରେ ଏହି ଦୁଇ ମୃତ୍ୟୁ ନିପା ସଂକ୍ରମଣରୁ ହୋଇଥିବା ପୁଣି ଭାଇରୋଲୋଜି ସଂସ୍ଥାନ ପକ୍ଷରୁ ସ୍ପଷ୍ଟ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି । 2018 ରେ କେରଳରେ ନିପା ଭୂତାଣୁର ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏଥିରେ 18 ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ :-Kerala Nipah alert: କେରଳରେ ବଢିଲା ନିପା ଭାଇସର ଭୟ, ଆତଙ୍କିତ ନହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ଏହି ଦୁଇ ମୃତ୍ୟୁ ମାମଲା ନିପା ଭୂତାଣୁ ଜନିତ ହୋଇଥିବା ସ୍ପଷ୍ଟ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ । ଏହି ଘଟଣାରେ ଆତଙ୍କିତ ହେବାର କାରଣ ନାହିଁ । ମୃତକଙ୍କ ସହ ଯେଉଁମାନେ ସଂସ୍ପର୍ଷରେ ଥିଲେ, ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ଏପରି ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ସମସ୍ତେ ଏହି ନିୟମ ପାଳନ କରି ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ ନିବେଦନ କରିଥିଲେ । ହେଲେ ଏବେ ନିପା ସଂକ୍ରମଣ ସ୍ପଷ୍ଟ ହେବା ପରେ ଚିନ୍ତା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.