ETV Bharat / bharat

Cash for Query Controversy: ଗଣମାଧ୍ୟମ ବିରୋଧରେ ମାନହାନୀ ମାମଲା ପ୍ରତ୍ୟାହାର କଲେ ମହୁଆ

author img

By ETV Bharat Odisha Team

Published : Oct 31, 2023, 9:25 PM IST

Cash for query controversy: ଗଣମାଧ୍ୟମ ସଂସ୍ଥା ବିରୋଧରେ ମାନହାନୀ ମାମଲା ପ୍ରତ୍ୟାହାର କଲେ ମହୁଆ
Cash for query controversy: ଗଣମାଧ୍ୟମ ସଂସ୍ଥା ବିରୋଧରେ ମାନହାନୀ ମାମଲା ପ୍ରତ୍ୟାହାର କଲେ ମହୁଆ

ଗଣମାଧ୍ୟମ ସଂସ୍ଥା ବିରୋଧରେ ମାନହାନୀ ମାମଲା ପ୍ରତ୍ୟାହାର କଲେ ମହୁଆ । ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଦେହାଦ୍ରାଇଙ୍କ ବିରୋଧରେ ଜାରି ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ କଲେ ଅବଗତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ‘ସଂସଦରେ ପ୍ରଶ୍ନ ପାଇଁ ଟଙ୍କା’ ଅଭିଯୋଗରେ ତଦନ୍ତ ପରିସରରେ ରହିଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଗଣମାଧ୍ୟମ ବିରୋଧରେ କରିଥିବା ମାନହାନୀ ମାମଲା ପ୍ରତ୍ୟାହାର କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି ମୋଇତ୍ରାଙ୍କ ଓକିଲ । ମାତ୍ର ସେ ପୂର୍ବପରି ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସର୍ବୋଚ୍ଚ କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବିରୋଧରେ ମାମଲା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଏହି ମିଥ୍ୟା ଅଭିଯୋଗ ଉଠାଇ ତାଙ୍କୁ ବିବାଦଘେରକୁ ଟଣାଯିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ କରାଯାଉଥିବା ଅଭିଯୋଗରେ ସେ ଦିଲ୍ଲୀ ହାଇକୋର୍ଟରେ ଏହି ମାନହାନୀ ମାମଲା ଦାଏର କରିଥିଲେ । ଏହି ଅଭିଯୋଗ ପ୍ରଥମେ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦୁବେଙ୍କ କହିବା ଅନୁସାରେ ତାଙ୍କୁ ଏହି ତଥ୍ୟ ପ୍ରଦାନ କରିଥିବା ସର୍ବୋଚ୍ଚ କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ସମେତ ଏକାଧିକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଏହି ମାନହାନୀ ମାମଲା କରିଥିଲେ ମହୁଆ ।

ନିଶିକାନ୍ତ ଦୁବେଙ୍କ ପାଇଁ କୋର୍ଟରେ ହାଜର ହୋଇଥିବା ଆଇନଜୀବୀ ଅଭିମନ୍ୟୁ ଭଣ୍ଡାରୀ ଖଣ୍ଡପୀଠଙ୍କୁ ସୂଚନା ଦେଇଥିଲେ ଯେ, ମୋଇତ୍ର ଏକ ଗଣମାଧ୍ୟମ ସାକ୍ଷାତକାରରେ ନିଜେ ସ୍ବୀକାର କରିଛନ୍ତି ଯେ, ସେ ତାଙ୍କ ସଂସଦ ଲଗ-ଇନ୍‌ ଡିଟେଲ୍ସ ସେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହ ସେୟାର କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ସ୍ଥଗତି ରହିଥିବା ବେଳେ ଆସନ୍ତା 2 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ :- Sachin-Sara Divorced: ଆଉ ଏକାଠି ନାହାନ୍ତି ସଚିନ-ସାରା, ଖୁଲାସା କଲା ନାମାଙ୍କନ ପତ୍ର

ଏହି ମାମଲା ଏବେ ସଂସଦ ସଦାଚାର କମିଟି ନିକଟରେ ବିଚାରାଧୀନ ଥିବା ବେଳେ ସାଂସଦ ମହୁଆ ଆସନ୍ତା 2 ତାରିଖରେ ପ୍ୟାନେଲ ସମ୍ମୁଖରେ ହାଜର ହେବାକୁ ଯାଉଛନ୍ତି । ସେ ପୂର୍ବ ସମନରେ ଉପସ୍ଥିତ ରହି ନପାରିବାରୁ ଆସନ୍ତା 2 ତାରିଖ ପାଇଁ ସାନି ସମନ ପାଇଛନ୍ତି । ଅନ୍ୟପଟେ ଅଭିଯୋଗ ଆଣିଥିବା ସାଂସଦ ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାହୀ ମଧ୍ୟ ଏଥିକ୍ସ କମିଟି ପ୍ୟାନେଲ ନିକଟରେ ନିଜର ପକ୍ଷ ରଖି ସାରିଛନ୍ତି । ଏହି ଅଭିଯୋଗର ସତ୍ଯତା ନେଇ ପ୍ୟାନେଲ ଗୃହ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ମଧ୍ୟ ମହୁଆ ଓ ହୀରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଓ ତଥ୍ୟ ବିନିମୟର ସବିଶେଷ ତଥ୍ୟ ମାଗିଛି । ଏହା ମଧ୍ୟରେ ମାନହାନୀ ମାମଲା ସହ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି ସାଂସଦ ମୋଇତ୍ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.