ETV Bharat / bharat

Cash for Query: ନଭେମ୍ବର 2ରେ ହାଜର ହେବାକୁ ମହୁଆଙ୍କୁ ସାନି ସମନ

author img

By ETV Bharat Odisha Team

Published : Oct 28, 2023, 5:09 PM IST

Cash-for-query accusation: ନଭେମ୍ବର 2ରେ ହାଜର ହେବାକୁ ମୋଇତ୍ରାଙ୍କୁ ସାନି ସମନ
Cash-for-query accusation: ନଭେମ୍ବର 2ରେ ହାଜର ହେବାକୁ ମୋଇତ୍ରାଙ୍କୁ ସାନି ସମନ

ସଂସଦରେ ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଆସନ୍ତା ମାସ 2 ତାରିଖରେ ହାଜର ହେବାକୁ ମହୁଆ ମୋଇତ୍ରାଙ୍କୁ ସାନି ସମନ । ପ୍ରଥମ ସମନ ପାଇବା ପରେ ମାଗିଥିଲେ ଅଧିକ ସମୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କ୍ୟାସ୍‌ ଫର କ୍ବାରୀ (ସଂସଦରେ ପ୍ରଶ୍ନ ପାଇଁ ଟଙ୍କା) ମାମଲାରେ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦ ସଦାଚାର କମିଟିରେ ହାଜର ହେବାକୁ ମିଳିଲା ଆଉ ଏକ ସାନି ତାରିଖ । ଆସନ୍ତାମାସ (ନଭେମ୍ବର )2 ତାରଖରେ ମହୁଆ ସଦାଚାର କମିଟିରେ ହାଜର ହେବେ । ଚଳିତ 31 ତାରିଖରେ ତାଙ୍କୁ ହାଜର ହେବା ପାଇଁ ପ୍ରଥମ ସମନ ଜାରି କରିଥିଲା ପ୍ୟାନେଲ । ତେବେ ସେ ଗତକାଲି ଚିଠି ଲେଖି ହାଜର ହେବାକୁ ଅଧିକ ସମୟ ମାଗିଥିଲେ । କିଛି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟପାଇଁ ଦିଲ୍ଲୀରେ ଅନୁପସ୍ଥିତ ରହିବେ । ତେଣୁ ତାଙ୍କୁ ଅନ୍ୟ ଏକ ତାରିଖରେ ହାଜର ହେବାକୁ ଅନୁମତି ଦେବାକୁ ସେ ସଦାଚାର କମିଟି ମୁଖ୍ୟ ବିନୋଦ ସୋନକାରଙ୍କୁ ଚିଠିରେ ଅନୁରୋଧ କରିଥିଲେ । ଆଜି ତାଙ୍କୁ ଆସନ୍ତାମାସ 2 ତାରିଖରେ ହାଜର ହେବାକୁ ସାନି ସମନ କରିଛି ପ୍ୟାନେଲ । ଏହା ସହ ଆଗକୁ ଏହି ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ପ୍ୟାନେଲ ସ୍ପଷ୍ଟ ମଧ୍ୟ କରିଛି ।

ପୂର୍ବରୁ ଏହି ମାମଲାରେ ସଂସଦ ସଦାଚାର କମିଟି ପ୍ରଥମେ ଏହି ଅଭିଯୋଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସର୍ବୋଚ୍ଚ କୋର୍ଟ ଆଇନଜୀବୀ ଜୟ ଅନନ୍ତଙ୍କ ବୟାନ ମଧ୍ୟ ଶୁଣା ସରିଛି । ଉଭୟଙ୍କ ପକ୍ଷ ଶୁଣିବା ପରେ ମୋଇତ୍ରାଙ୍କୁ 31 ରେ ହାଜର ହେବା ପାଇଁ ପ୍ୟାନେଲ ସମନ ଜାରି କରିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସର୍ବୋଚ୍ଚ କୋର୍ଟର ଆଇନଜୀବୀ ଜୟ ଅନନ୍ତଙ୍କ ଚିଠି ଆଧାରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସିର ଏହି ଫାଏରବ୍ରାଣ୍ଡ ସାଂସଦଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି । ମହୁଆ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କଠୁ ଅର୍ଥ ନେଇ ସଂସଦରେ ଆଦାନୀ ସମୂହ ବିରୋଧରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ କରିଥିଲେ ଦୁବେ । ତେବେ ଏହି ମାମଲାରେ ଜୟ ଅନନ୍ତ ମଧ୍ୟ ସିବିଆଇକୁ 14 ତାରିଖରେ ଚିଠି ଲେଖି ମହୁଆ ମୋଇତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- Cash For Query Scandal: ସଦାଚାର କମିଟିରେ ହାଜର ହେବାକୁ ଅଧିକ ସମୟ ମାଗିଲେ ମହୁଆ

ଅନ୍ୟପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗରେ କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଏପରି ସଙ୍ଗୀନ ଅଭିଯୋଗ ସତ ହୋଇଥିଲେ ଅତି ଲଜ୍ଜାଜନକ ଓ ଆଶ୍ଚର୍ଯ୍ୟ ଚକିତ କରିବା ପରି ବୋଲି ଚନ୍ଦ୍ରଶେଖର ଟ୍ବିଟ୍‌ରେ କହିଥିଲେ । ଏହି ମାମଲା ଏବେ ସଂସଦ ସଦାଚାର କମିଟିରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ କମିଟି ଉଭୟ ଅଭିଯୋଗକାରୀଙ୍କ ପକ୍ଷ ଶୁଣିଛି । 31 ପରିବର୍ତ୍ତେ ସାଂସଦ ମହୁଆ ମୋଇତ୍ରା ନଭେମ୍ବର 2 ତାରିଖରେ ସଂସଦ ସଦାଚାର ପ୍ୟାନେଲରେ ହାଜର ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.