ETV Bharat / bharat

ତେଲେଙ୍ଗାନାରେ ଘୋଡା ବେପାର: TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ ବେଳେ ୩ ଅଟକ

author img

By

Published : Oct 27, 2022, 7:32 AM IST

ତେଲେଙ୍ଗାନାରେ ଘୋଡା ବେପାର: TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ ବେଳେ ୩ ଅଟକ
ତେଲେଙ୍ଗାନାରେ ଘୋଡା ବେପାର: TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ ବେଳେ ୩ ଅଟକ

ମୁନୁଗୋଡେ ଉପନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବିଜେପିର ଘୋଡା ବେପାର ଅଭିଯୋଗ । ୪ ଜଣ TRS ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ବେଳେ ବିପୁଳ ଟଙ୍କା ସହ ୩ ଅଟକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦିନ କେଇଟାରେ ମୁନୁଗୋଡେ ଉପନିର୍ବାଚନ(Munugode by-election) । ଏହାପୂର୍ବରୁ ତେଲେଙ୍ଗାନାରୁ ଆସିଛି ଘୋଡା ବେପାର ଅଭିଯୋଗ । ବିଜେପି ତେଲେଙ୍ଗାନା ରାଷ୍ଟ୍ର ସମିତି(TRS) ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । TRSର ଚାରି ଜଣ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଥିବା ବେଳେ ସାଇବରାବାଦ ପୋଲିସ ଏକ ଫାର୍ମହାଉସରେ ଚଢାଉ କରି ୩ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କା ଜବତ କରାଯାଇଛି । ଆଗକୁ ଉପନିର୍ବାଚନ ଥିବାବେଳେ ଏମାନେ ବିଧାୟକ ପିଛା ୧୦୦ କୋଟି ଟଙ୍କା ଅଫର୍ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ୩ ଜଣ ବିଜେପି ଏଜେଣ୍ଟ TRS ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ବୁଧବାର ସାଇବରାବାଦ ପୋଲିସ ତେଲେଙ୍ଗାନା ଅନ୍ତର୍ଗତ ରଙ୍ଗାରେଡ୍ଡୀ ଜିଲ୍ଲାର ଅଜିଜନଗର ସ୍ଥିତ ଏକ ଫାର୍ମହାଉସରେ ଚଢାଉ କରିଥିଲା । ଚଢାଉ ସମୟରେ ଘଟଣାସ୍ଥଳରୁ ୩ ଜଣ ବ୍ୟକ୍ତିଙ୍କ ନିକଟରୁ କୋଟି କୋଟି ଟଙ୍କା ଜବତ କରିଥିଲା । ଏହି ବ୍ୟକ୍ତିମାନେ ଦିଲ୍ଲୀ, ତିରୁପତି ଏବଂ ହାଇଦ୍ରାବାଦରୁ ଏଠାକୁ ଆସିଥିଲେ । ସେମାନେ ଟିଆରଏସର ଅଚମାପେଟ ବିଧାୟକ ଗୁଭାଲା ବାଲାରାଜୁ, କୋଲ୍ଲାପୁର ବିଧାୟକ ବୀରାମ ହର୍ଷବର୍ଦ୍ଧନ ରେଡ୍ଡୀ, ପିନାପକା ବିଧାୟକ ରେଗା କନ୍ଥା ରାଓ ଏବଂ ତନ୍ଦୁର ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କୁ କୋଟି କୋଟି ଟଙ୍କାରେ କିଣିବାକୁ ଚେଷ୍ଟା କରୁଥିଲେ । ଏ ସମ୍ପର୍କରେ TRS ବିଧାୟକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିବା ସାଇବରାବାଦ ପୋଲିସ କମିଶନର ଷ୍ଟିଫେନ ରବିନ୍ଦ୍ର ଜଣାଇଛନ୍ତି ।

ଏହାକୁ ନେଇ TRS ଅଭିଯୋଗ କରିଛି ଯେ, ''ବିଜେପି TRS ବିଧାୟକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ଫାର୍ମହାଉସରେ ୪ ଜଣ ବିଧାୟକଙ୍କୁ କିଣିବାକୁ ବିଜେପି ନେତା ଆସିଥିଲେ । ସେମାନେ ପ୍ରତ୍ୟେକ ବିଧାୟକ ପିଛା ୧୦୦ କୋଟି ଟଙ୍କା ଓ କଣ୍ଟ୍ରାକ୍ଟ ଅଫର କରିଥିଲେ । କିନ୍ତୁ ଆମ ବିଧାୟକମାନେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଟିଆରଏସ ବିଧାୟକମାନେ କେସିଆରଙ୍କ ସୈନ୍ୟ ଅଟନ୍ତି । ତେଲେଙ୍ଗାନା ସୋସାଇଟି ବିକ୍ରି ପାଇଁ ନୁହେଁ, ବିଜେପି ଜାଣିବା ଉଚିତ୍ ।''

ଟିଆରଏସ ନେତା ଆହୁରି ମଧ୍ୟ କହିଛନ୍ତି, ବିଜେପି କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ ଅନେକ ଷଡଯନ୍ତ୍ର କରିଛି । ତେଲେଙ୍ଗାନାରେ ମଧ୍ୟ ବିଜେପି ଟିଆରସକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରୁଛି । ହେଲେ ତେଲେଙ୍ଗାନାରେ କେସିଆର ସରକାର ରହିବ । ମୁନୁଗୋଡେ ଉପନିର୍ବାଚନ ବିଜେପି ପରାଜୟ ବରଣ କରିବ ।

ପୋଲିସର ସୂଚନା ଅନୁଯାୟୀ, ଦୁଇ ଦିନ ହେଲା କିଛି ଲୋକେ ଦିଲ୍ଲୀରୁ ଆସି ଅଜିଜନଗର ସ୍ଥିତ ଫାର୍ମହାଉସରେ ଡେରା ପକାଇଥିଲେ । ଏହି ଲୋକମାନେ ୪ ଜଣ ଟିଆରଏସ ବିଧାୟକଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ବୁଧବାର ସେମାନଙ୍କ ମଧ୍ୟରେ ଡିଲ୍ ହେବାର ଥିଲା । ବିଜେପିର ଏଜେଣ୍ଟ କୁହାଯାଉଥିବା ସେହି ୩ ଜଣଙ୍କୁ ଏବେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସେମାନେ ଫରିଦାବାଦର ରାମଚନ୍ଦ୍ର ଭାରତୀ, ତିରୁପତିର ସିମହା ୟାଜି ଏବଂ ହାଇଦ୍ରାବାଦର ନନ୍ଦକୁମାର ବୋଲି ପରିଚୟ ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.