ETV Bharat / bharat

Telangana polls: 4ଶହ ଟଙ୍କାରେ LPG ଦେବେ KCR, 15 ଲକ୍ଷର ସ୍ବାସ୍ଥ୍ୟ ବୀମା

author img

By ETV Bharat Odisha Team

Published : Oct 15, 2023, 6:00 PM IST

Telangana polls: 4ଶହ ଟଙ୍କାରେ LPG ଦେବେ KCR, 15 ଲକ୍ଷର ସ୍ବାସ୍ଥ୍ଯ ବୀମା
Telangana polls: 4ଶହ ଟଙ୍କାରେ LPG ଦେବେ KCR, 15 ଲକ୍ଷର ସ୍ବାସ୍ଥ୍ଯ ବୀମା

ତେଲେଙ୍ଗାନାରେ ବିଆରଏସ କ୍ଷମତାକୁ ଆସିଲେ ମାତ୍ର 4ଶହ ଟଙ୍କାରେ ଏଲପିଜି ଓ 15 ଲକ୍ଷର ସ୍ବାସ୍ଥ୍ୟ ବୀମା । ଆଜି ନିର୍ବାଚନୀ ଘୋଷଣାପତ୍ର ଜାରି କଲେ ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦରଦାମ ବୃଦ୍ଧିକୁ ନିର୍ବାଚନୀ ମୁଦ୍ଦା କରିଛି କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) । ରାଜ୍ୟରେ ଦଳ ଚଳିତ ନିର୍ବାଚନରେ କ୍ଷମତାକୁ ଆସିବା ପରେ ରାଜ୍ୟବାସୀଙ୍କୁ ମାତ୍ର 4ଶହ ଟଙ୍କାରେ ରନ୍ଧନ ଗ୍ୟାସ (ଏଲପିଜି) ଯୋଗାଇ ଦେବ । ରାଜ୍ୟ ସରକାର ପୂର୍ବରୁ ଜାରି ରଖିଥିବା ‘ଦଳିତ ବନ୍ଧୁ’ ଓ ‘କେସିଆର ବୀମା’ ଯୋଜନାରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ବିଧବା ଭତ୍ତା ରାଶିକୁ ଆହୁରି ବୃଦ୍ଧି କରିବ । ସେହିପରି ରାଜ୍ୟରେ ଜାରି ରହିଥିବା ‘ଆରୋଗ୍ୟ ଶ୍ରୀ’ ସ୍ବାସ୍ଥ୍ୟବୀମା ରାଶିକୁ 5 ଲକ୍ଷରୁ 15 ଲକ୍ଷକୁ ବୃଦ୍ଧି କରାଯିବ । ଆଜି ଏସବୁ ପ୍ରତିଶୃତି ସହ ମୁଖ୍ୟମନ୍ତ୍ରୀ କେସିଆର ଦଳୀୟ ନିର୍ବାଚନୀ ଘୋଷଣାପତ୍ର ଜାରି କରିଛନ୍ତି ।

ଆଜି ତେଲେଙ୍ଗାନା ଭବନରେ ମୁଖ୍ୟମନ୍ତ୍ରୀ କେସିଆର ଏହି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ମାତ୍ର 4ଶହ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବ । କେସିଆର ବୀମା ଯୋଜନାରେ ରାଜ୍ୟର ବିପିଏଲ (ଦାରିଦ୍ର୍ୟ ସୀମାରେଖା ତଳେ) ବର୍ଗରେ ଥିବା 93 ଲକ୍ଷ ପରିବାରକୁ 5 ଲକ୍ଷ ଟଙ୍କାର ବୀମା ଯୋଗାଯିବ । ଦଳିତ ବନ୍ଧୁ ଯୋଜନାରେ ରାଜ୍ୟର ଦଳିତ ପରିବାରର ମୁଖ୍ୟଙ୍କୁ 10 ଲକ୍ଷର ଷ୍ଟାର୍ଟଅପ ରାଶି ଯୋଗାଇ ଦିଆଯିବ । ସେଥିରେ ସେମାନେ ନୂଆ ଷ୍ଟାଟଅପ ଆରମ୍ଭ କରିପାରିବେ କିମ୍ବା ଚାଷ କାର୍ଯ୍ୟରେ ମଧ୍ୟ ବିନିଯୋଗ କରିପାରିବେ । ସେହିପରି ରାଜ୍ୟରେ କାର୍ଯ୍ୟକାରୀ ଥିବା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ବିଧବା ଭତ୍ତା ରାଶିକୁ 5000 ଟଙ୍କାକୁ ବୃଦ୍ଧି କରାଯିବ । ପୂର୍ବରୁ ଏହି ରାଶି 2,016 ଟଙ୍କା ଥିଲା । ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ ମାସିକ 6000 ଟଙ୍କାର ଭିନ୍ନକ୍ଷମ ପେନସନ ଯୋଗାଇ ଦେବାକୁ ମଧ୍ୟ କେସିଆର ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Telangana Assembly polls: ଆଜି ଇସ୍ତାହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ କେସିଆର

ରାଜ୍ୟରେ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ‘ରାଇଥୁ ବନ୍ଧୁ’ରେ ରାଜ୍ୟର କୃଷକଙ୍କୁ ପ୍ରତିବର୍ଷ ଏକର ପିଛା 10 ହଜାର ଟଙ୍କାର ସହାୟତା ରାଶି ଯୋଗାଯାଉଥିଲା । ଏହି ରାଶିକୁ ଆସନ୍ତା 5 ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ 16 ହଜାରକୁ ବୃଦ୍ଧି କରାଯିବ । ‘ଆରୋଗ୍ୟ ଶ୍ରୀ’ ସ୍ବାସ୍ଥ୍ୟ ବୀମା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଭୋଟରଙ୍କୁ 15 ଲକ୍ଷ ଟଙ୍କାର ଚିକିତ୍ସା ବୀମା ଯୋଗାଯିବ । ଏବେ ବୀମା ରାଶି 5 ଲକ୍ଷ ରହିଥିବା ବେଳେ ଆସନ୍ତା 5 ବର୍ଷ ମଧ୍ୟରେ ଏହାକୁ 15 ଲକ୍ଷକୁ ବୃଦ୍ଧି କରାଯିବ । ଚଳିତ ନିର୍ବାଚନରେ କ୍ଷମତାକୁ ଆସିବା ପରେ ପ୍ରଥମ 6 ରୁ 7 ମାସ ମଧ୍ୟରେ ତାଙ୍କ ସରକାର ଏହି ଘୋଷଣାପତ୍ରକୁ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରିବା ନେଇ କେସିଆର କହିଛନ୍ତି ।

ଗତ ନିର୍ବାଚନରେ 2018 ରେ କେସିଆରଙ୍କ ଦଳ ମୋଟ ଆସନ 119ରୁ ମୋଟ 88 ଆସନରେ ବିଜୟ ଲାଭ କରି ସରକାର ଗଠନ କରିଥିଲା । ଦଳକୁ ମୋଟ 47.4 ପ୍ରତିଶତ ଭୋଟ ସେୟାର ମିଳିଥିଲା । ସେହିପରି 19 ଆସନ ସହ କଂଗ୍ରେସ ମାତ୍ର 28.7 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ଚଳିତ ନିର୍ବାଚନ ପାଇଁ ଏଥର ଅଗଷ୍ଟ 21 ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଦଳ ରାଜ୍ୟର ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ଏଥିରେ ମାତ୍ର 7ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ମୁଖ୍ୟମନ୍ତ୍ରୀ କେସିଆର ନିଜେ ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ପାରମ୍ପରିକ ଆସନ ଗଜଓ୍ବେଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଦ୍ବିତୀୟ ଆସନ ଭାବେ କାମାରେଡ୍ଡୀରୁ ଚଳିତ ଥର ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.