ETV Bharat / bharat

ସ୍ମୃତିରେ ୨୦୨୩: ଭାଙ୍ଗିଥିଲା ହୃଦୟ, ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା, ଜି୨୦ ମଞ୍ଚରେ ଭାରତର ଶକ୍ତି ଦେଖିଥିଲା ବିଶ୍ବ

author img

By ETV Bharat Odisha Team

Published : Dec 22, 2023, 2:54 PM IST

ସ୍ମୃତିରେ ୨୦୨୩
ସ୍ମୃତିରେ ୨୦୨୩

Summing up 2023 for India: ବିଦାୟ ନେଉଛି ୨୦୨୩ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ, ନୂଆ କ୍ୟାଲେଣ୍ଡର । ବର୍ଷ ସିନା ସରି ସରି ଯାଉଛି, ହେଲେ ପଛରେ ଛାଡିଯାଉଛି ଅନେକ ଅଭୁଲା ସ୍ମୃତି । ୨୦୨୩ ଯେତିକି ହସେଇଛି, ସେତିକି କନ୍ଦେଇଛି ମଧ୍ୟ । ଏ ବର୍ଷ ଦେଶ ଏମିତି କିଛି ଉପଲବ୍ଧି ହାସଲ କରିଛି, ଯାହାର ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ତା' ମଧ୍ୟରୁ ଗୋଟିଏ ଥିଲା ଚନ୍ଦ୍ରଯାନ ୩ର ସଫଳତା । ପଢନ୍ତୁ ସ୍ମୃତିରେ ୨୦୨୩ର ସ୍ପେଶାଲ ରିପୋର୍ଟ

ହାଇଦ୍ରାବାଦ: ସରି ସରି ଯାଉଛି ୨୦୨୩ ବର୍ଷର କ୍ୟାଲେଣ୍ଡର । ଅନେକ ସ୍ମରଣୀୟ ଘଟଣାବଳୀ ସହ ବିଦାୟ ନେଉଛି ୨୦୨୩ । ବର୍ଷ ସିନା ଚାଲିଯାଉଛି, କିନ୍ତୁ ବହୁ ଅଲିଭା ଚିହ୍ନ ଛାଡିଯାଉଛି ଭାରତର ଛାତିରେ । ଏ ବର୍ଷ ଖୁବ୍ ଘଟଣାବହୁଳ ରହିଥିଲା । ଏହି ୩୬୫ ଦିନରେ ଅନେକ ଅଭୁଲା ସ୍ମୃତି, ଆଘାତ ଓ ଉପଲବ୍ଧି ସାଉଁଟିଥିଲା ଦେଶ । ଏତିକି କିଛି ଘଟଣା ଘଟିଥିଲା ଯାହା କେବଳ ଦେଶକୁ ନୁହେଁ, ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା । ତା' ମଧ୍ୟରୁ ଗୋଟିଏ ଥିଲା ଚନ୍ଦ୍ରଯାନ ୩ର ସଫଳତା । ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇ ଇତିହାସ ରଚିଥିଲା ଭାରତ । ପୁଣି ଜି-୨୦ ମଞ୍ଚରୁ ସାରା ବିଶ୍ବକୁ ନିଜର ଶକ୍ତି ଦେଖାଇଥିଲା । ଯେତିକି ଉପଲବ୍ଧି ଭରା ଥିଲା, ସେତିକି ହୃଦୟକୁ ଖିନଭିନ୍ କରିଥିଲା ଏ ବର୍ଷ । ବାଲେଶ୍ବରର ବାହାନଗାରେ ଲୌହଦାନବର ରକ୍ତଭୋଜି ସାରା ବିଶ୍ବକୁ ବ୍ୟଥିତ କରିଥିଲା । ପୁଣି ମଣିପୁର ମହିଳାଙ୍କ ସହ ସେହି ବର୍ବରତା ଦେଶର ମୁଣ୍ଡକୁ ଲଜ୍ଜାରେ ତଳକୁ କରିଦେଇଥିଲା ।

ସ୍ମୃତିରେ ୨୦୨୩
ସ୍ମୃତିରେ ୨୦୨୩

ବାହାନଗାରେ ଲୋହଦାନବର ରକ୍ତଭୋଜି: ଦଶନ୍ଧିର ସବୁଠୁ ବଡ ଟ୍ରେନ ଦୁର୍ଘଟଣା ଘଟିଥିଲା ଓଡ଼ିଶାରେ । ୨ ଜୁନ ୨୦୨୩, କିଏ ବା ଭୁଲି ପାରିବ ସେହି କାଳ ରାତିକୁ । ସବୁଦିନ ଭଳି ସେଦିନ ସନ୍ଧ୍ୟାରେ ବି ଅନ୍ଧାରକୁ ଚିରି ଟ୍ରାକରେ ଗଡୁଥିଲା କରମଣ୍ଡଳ ଏକ୍ସପ୍ରେସ । କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥିଙ୍କ ସହିତ ଥଟ୍ଟମଜାରେ ମାତିଥିଲା । ଆଉ କେହି ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିଲେ । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଛାରଖାର ହୋଇଯାଇଥିଲା ସବୁକିଛି । ଦଶନ୍ଧିର ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣା ଦେଖିଥିଲା ଓଡ଼ିଶା । ଲାସ୍‌ର ପାହାଡ ଉପରେ ଛିଡା ହୋଇଥିଲା ବାହାନଗା । ଚାରିଆଡେ କୁଢ କୁଢ ମୃତଦେହ ଓ ରକ୍ତର ବନ୍ୟା କେବଳ ଦେଶ ନୁହେଁ, ବିଶ୍ବକୁ ବି ସ୍ତବ୍ଧ କରିଦେଇଥିଲା ।

ହାୱଡାରୁ ଚେନ୍ନାଇରୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା । ଠିକ ଏତିକି ବେଳେ କରମଣ୍ଡଳ ବଗିରେ ପିଟି ହୋଇଥିଲା ଯଶୋବନ୍ତପୁର ଏକ୍ସପ୍ରେସ । ଏହାପରେ ଆର୍ତ୍ତଚିତ୍କାରରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ପାଖାପାଖି ୩୦୦ ଲୋକଙ୍କ ଜୀବନ ନେଇଥିଲା । ହଜାରରୁ ଅଧିକ ଆହତ ହୋଇଥିଲେ । ମାସ ମାସ ଧରି ହସ୍ପିଟାଲରେ ମୃତଦେହ ପଡିରହିଥିଲା । ତା' ଭିତରୁ ଅନେକ ମୃତଦେହ ପରିଚୟ ପାଇବା ପୂର୍ବରୁ ଜୁଇରେ ଜଳି ଯାଇଥିଲା ।

ସ୍ମୃତିରେ ୨୦୨୩
ସ୍ମୃତିରେ ୨୦୨୩

ମଣିପୁର ନିଆଁରେ ନାରୀର ଚରିତ୍ର ସଂହାର: ମେ' ୪ରେ ହିଂସାଗ୍ରସ୍ତ ମଣିପୁରରୁ ଏକ ଭାଇରାଲ ଭିଡିଓ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଘୃଣା, ରାଗ, କ୍ରୋଧରେ ଭରିଯାଇଥିଲା ସମସ୍ତଙ୍କ ହୃଦୟ । ସେହି ଭିଡିଓରେ କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ବିବସ୍ତ୍ର ରାସ୍ତାରେ ଚଲାଇ ଚଲାଇ ନେବାର ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜାତିଗତ ହିଂସାରେ ଜଳୁଥିବା କିଛି ଜହ୍ଲାଦ ଦୁଇ ନାରୀଙ୍କ ଚରିତ୍ର ହନନ କରିଥିଲେ । କେବଳ ନିବସ୍ତ୍ର କରି ବୁଲାଇ ନଥିଲେ, ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରିଥିଲେ । ଏହାକୁ ନେଇ ସଂସଦରୁ ସୁପ୍ରିମକୋର୍ଟ ଯାଏଁ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ଉକ୍ତ ଭିଡିଓରୁ ୪ ଜଣ ଜହ୍ଲାଦଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିଲା । ପରେ ସରକାର ସୋସିଆଲ ମିଡିଆରେ ଏହି ଭିଡିଓକୁ ବ୍ଲକ କରିଥିଲେ । ଏନେଇ ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିସନ ଦାଖଲ ହୋଇଥିଲା ।

ମେ' ୩ରେ ଚୁରଚାନ୍ଦପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚୀତ ଜନଜାତି ମାନ୍ୟତା ଦେବା ବିରୋଧରେ କୁକି ସମ୍ପ୍ରଦାୟ ଶୋଭାଯାତ୍ରା କରିଥିଲେ । ଆଉ ସେଇଠୁ ହିଁ ସୃଷ୍ଟି ହୋଇଥିଲା ହିଂସା । ସାରା ରାଜ୍ୟରେ ନିଆଁ ଭଳି ହିଂସା ବ୍ୟାପୀ ଯାଇଥିଲା । ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ଘର ପାଉଁଶ ପାଲଟିଥିଲା । ଲକ୍ଷାଧିକ ଲୋକେ ବାସଚ୍ୟୁତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲାେ । ଇତିମଧ୍ୟରେ ବର୍ଷ ସରିବାକୁ ବସିଛି । ହେଲେ ୮ ମାସ ହେଲାଣି ଜଳୁଥିବା ମଣିପୁରରେ ହିଂସାର ବହ୍ନି ଏବେ ଯାଏଁ ବି ପ୍ରଶମିତ ହୋଇପାରନି ।

ମଣିପୁରରେ ମହିଳାଙ୍କ ସହ ବର୍ବରତା ଘଟଣା ମନରୁ ନ ଲିଭୁଣୁ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶର ଉଜୈନରେ । ଜଣେ ନୀରିହ ନାବାଳିକା ଦୁଷ୍କର୍ମର ଶିକାର ହେବା ପରେ ରକ୍ତ ଜୁଡୁବୁଡୁ ଅଧନଗ୍ନ ଶରୀର ସହ ଘର ଘର ବୁଲି ସହାୟତା ମାଗିବାର ଲୋମଟାଙ୍କୁରା ଭିଡିଓ ଭାଇରାଲ ହୋଇଥିଲା ।

ସ୍ମୃତିରେ ୨୦୨୩
ସ୍ମୃତିରେ ୨୦୨୩

ମହାକାଶରେ ଇତିହାସ ରଚିଲା ଇସ୍ରୋ: ଅଗଷ୍ଟ ୨୩, ଏହି ଦିନ ଥିଲା ପ୍ରତିଟି ଭାରତୀୟ ପାଇଁ ଗୌରବ ଦିନ । ମହାକାଶରେ ଇତିହାସ ରଚିଥିଲା ଭାରତ । ବର୍ଷ ବର୍ଷର ଅପେକ୍ଷାରେ ପଡିଥିଲା ଯବନିକା । ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନର ଉଡାଣ ଭରି ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଇସ୍ରୋର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ ୩ ସନ୍ଧ୍ୟା ୬ଟା ୩ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାର ଗୌରବ ଅର୍ଜନ କରିଥିଲା ଭାରତ । ଏହି ସଫଳ ଅବତରଣ ପାଇଁ ଚନ୍ଦ୍ରଯାନକୁ ପ୍ରାୟ ୪୧ ଦିନ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: ଯନ୍ତ୍ରଣାର ଛାପ ଛାଡିଗଲା ବାହାନଗା ଦୁର୍ଘଟଣା: ଲିଭି ଯାଇଥିଲା 3 ଶହ ଜୀବନ ଦୀପ

ଉତ୍ତରକାଶୀ ଟନେଲ ଦୁର୍ଘଟଣା: ଚଳିତ ବର୍ଷ ଦେଶର ବହୁଚର୍ଚ୍ଚିତ ଘଟଣାବଳୀ ମଧ୍ୟରୁ ଅନ୍ୟତମ ଥିଲା ଉତ୍ତରକାଶୀ ଟନେଲ ଟ୍ରାଜେଡି । ନଭେମ୍ବର ୧୨ ତାରିଖ ଦିନ ସାରା ଦେଶ ଦୀପାବଳି ପାଳୁଥିବା ବେଳେ ଉତ୍ତରକାଶୀ ସିଲ୍କିୟାରାରେ ଏକ ନିର୍ମାଣଧୀନ ଟନେଲ ଭୁଶୁଡି ପଡିଥିଲା । ସେହି ସମୟରେ ଟନେଲ କାମ କରୁଥିବା ୪୧ ଶ୍ରମିକ ତା' ମଧ୍ୟରେ ଫସି ରହିଯାଇଥିଲେ । ଅନ୍ଧାର, ଅନିଶ୍ଚିତତା ଓ ଭୟ ଭିତରେ ଦିନ ପରେ ଦିନ ଗଡି ଚାଲିଥିଲା । ଶେଷରେ ୧୭ ଦିନର ସଂଘର୍ଷ ପରେ ଏକ ବିଶାଳ ରେସ୍କ୍ୟୁ ଅପରେସନର ପରିସମାପ୍ତି ସହିତ ପୁର୍ନଜନ୍ମ ପାଇଥିଲା ୪୧ ଜୀବନ । କୋଟି କୋଟି ଭାରତୀୟ ପ୍ରାର୍ଥନା ଓ ରେସ୍କ୍ୟୁ ଟିମର ପ୍ରାଣମୂର୍ଚ୍ଛା ଉଦ୍ୟମର ପରିମାଣ ସିକ୍କିୟାରା ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହି ଟନେଲ ରେସ୍କ୍ୟୁ ଅପରେସନ ଥିଲା ଭାରତର ସବୁଠୁ ବଡ ରେସ୍କ୍ୟୁ ଅପରେସନ, ଯାହାର ଚର୍ଚ୍ଚା ବିଶ୍ବ ଗଣାମଧ୍ୟମରେ ହୋଇଥିଲା ।

୧୪୦ କୋଟି ହୃଦୟ ଭାଙ୍ଗିଥିଲା ବିଶ୍ବକପ: ଚଳିତ ବର୍ଷ ଭାରତରେ ବିଶ୍ବକପ ଆୟୋଜନ ହୋଇଥିଲା । ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ସେମିରେ ଦମଦାର ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟରୁ ସେମି ଫାଇନାଲ ଯାଏଁ ବିଜୟଧାରା ଜାରି ରଖିଥିଲା ଦଳ । ସମସ୍ତଙ୍କର ଆଶା ଥିଲା ୧୨ ବର୍ଷ ପରେ ଭାରତ ଘରୋଇ ମାଟିରେ ତୃତୀୟ ଥର ବିଶ୍ବକପ୍ ଟାଇଟେଲ ହାତେଇବ । କିନ୍ତୁ ଫାଇନାଲରେ ଚୁରମାର୍ ହୋଇଯାଇଥିଲା ବିଶ୍ବକପ୍ ସ୍ବପ୍ନ । ଲିଗରୁ ଅପରାଜୟ ଥିବା ଟିମ୍ ଇଣ୍ଡିଆ ଫାଇନାଲରେ କଙ୍ଗାରୁ ଦଳ ଠାରୁ ପରାଜିତ ହୋଇଥିଲା । ଆଉ ଭାଙ୍ଗି ଯାଇଥିଲା ୧୪୦ କୋଟି ଭାରତୀୟଙ୍କ ହୃଦୟ ।

ଓଡ଼ିଶାରେ ହକି ବିଶ୍ବକପ: ଚଳିତ ବର୍ଷ ହକି ବିଶ୍ବକପରୁ ଆରମ୍ଭ ହୋଇଥିଲା କ୍ରୀଡା କ୍ୟାଲେଣ୍ଡର । ଓଡ଼ିଶାର ହକିର ଗଡ଼ ବୋଲାଉଥିବା ସୁନ୍ଦରଗଡ ଜିଲ୍ଲାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ବିଶ୍ବକପର ଆୟୋଜନ ହୋଇଥିଲା । ଯାହାକି ବିଶ୍ବ କ୍ରୀଡା ମାନଚିତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ଦେଇଥିଲା । ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ବେଲଜିୟମ ଓ ଜର୍ମାନୀ । ଶେଷରେ ଓଡ଼ିଶା ମାଟିରେ ବେଲଜିୟମକୁ ହରାଇ ଜର୍ମାନୀ ତୃତୀୟ ବିଶ୍ବକପ୍ ଟାଇଟାଲ ହାତେଇଥିଲା ।

ସ୍ମୃତିରେ ୨୦୨୩
ସ୍ମୃତିରେ ୨୦୨୩

ଭାରତର ଜି-୨୦ ଅଧ୍ୟକ୍ଷତା: ଚଳିତ ବର୍ଷ ଭାରତର ଆଉ ଏକ ବଡ ଉପଲବ୍ଧି ଥିଲା ଜି୨୦ ଅଧ୍ୟକ୍ଷତା । ସେପ୍ଟେମ୍ବର ୯ରୁ ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଦୁଇ ଦିନିଆ ଜି୨୦ ସମ୍ମିଳନୀରେ ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଓ ୟୁରୋପୀୟ ସଂଘର ଶୀର୍ଷ ଅଧିକାରୀମାନେ ଏକାଠି ହୋଇଥିଲେ । ଜି୨୦ ସମ୍ମିଳନୀରେ ଏକାଧିକ ବୈଶ୍ବିକ ନିଷ୍ପତ୍ତି ଗ୍ରହଣ କରିବା ସହ ନୂଆଦିଲ୍ଲୀ ଘୋଷଣାପତ୍ରକୁ ଗୃହୀତ କରାଇ ବଡ ଉପଲବ୍ଧି ହାସଲ କରିଥିଲା ଭାରତ । ନୂଆଦିଲ୍ଲୀ ଘୋଷଣାପତ୍ର ଭାରତ ପାଇଁ ଏକ ବଡ କୂଟନୈତିକ ସଫଳତା ଥିଲା । ଜି୨୦ ମଞ୍ଚରୁ ଭାରତ ବିଶ୍ବ ଶକ୍ତି ଭାବେ ଉଭା ହେବା ସହ ଦେଶର କଳାସଂସ୍କୃତିକୁ ବିଶ୍ବ ଦରବାରରେ ପରିଚିତ କରାଇଥିଲା ।

ସ୍ମୃତିରେ ୨୦୨୩
ସ୍ମୃତିରେ ୨୦୨୩

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ବିଭୀଷିକା ଦେଖିଛି ୨୦୨୩ । ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ବି ଜାରି ରହିଛି । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେଲାଣି ଚାଲିଥିବା ଏହି ଯୁଦ୍ଧରେ ଶ୍ମଶାନ ଭୂଇଁ ପାଲଟିଛି ଗାଜା । ଏଠାରେ ପ୍ରାୟ ୧୯ ହଜାର ଲୋକଙ୍କ ପ୍ରାଣହାନୀ ଘଟିଲାଣି । ତେବେ ପ୍ରଥମେ ହମାସ୍ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଅଧା ଘଣ୍ଟା ଭିତରେ ୫ ହଜାର ରକେଟ ମାଡ କରିଥିଲା ହମାସ୍ । ଏଥିରେ ଇସ୍ରାଏଲର ୧୪୦୦ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରଠୁ ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ଗାଜାରେ ଭୟଙ୍କର ଆକ୍ରମଣ ଜାରି ରଖିଛି । ଦିନ ଗଡି ଚାଲୁଛି ହେଲେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଥମିବାର ନାଁ ନେଉନି ।

ନୂଆ ଆଶା, ଉଦ୍ଦୀପନା ନେଇ ଆସୁଛି ନୂଆ ବର୍ଷ ୨୦୨୪ । ଆଶା କରିବା, ଏହି ବର୍ଷ ବିଶ୍ବ ଶାନ୍ତି ଆଡକୁ ଅଗ୍ରସର ହେବ । ଭାରତ ପାଇଁ ଆହୁରି ଅନେକ ଉପଲବ୍ଧପୂର୍ଣ୍ଣ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.