ETV Bharat / bharat

ବାହାନଗା ଟ୍ରେନ ଦୁର୍ଘଟଣା: ୧୦ କୋଟି ଦେବ ମହାଠକ ସୁକେଶ

author img

By

Published : Jun 17, 2023, 8:02 AM IST

୧୦ କୋଟି ଦେବ ମହାଠକ ସୁକେଶ
୧୦ କୋଟି ଦେବ ମହାଠକ ସୁକେଶ

ବାହାନଗା ଟ୍ରେନ ଦୁର୍ଘଟଣା ପୀଡିତଙ୍କୁ ପାଇଁ ୧୦ କୋଟି ଟଙ୍କା ସାହାଯ୍ୟ କରିବ ମହାଠକ ସୁକେଶ । ଜେଲରୁ ରେଳ ମନ୍ତ୍ରଣାଳୟକୁ ଲେଖିଲା ଚିଠି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବାହନଗା ରେଳ ଦୁର୍ଘଟଣା ସାରା ବିଶ୍ବକୁ ମର୍ମାହତ କରିଛି । ଦୁର୍ଘଟଣାରେ ପୀଡିତଙ୍କ ପାଇଁ ସହାୟତାର ସୁଅ ଛୁଟୁଛି । ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ମଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ମଧ୍ୟ ଏହି ଦୁର୍ଘଟଣାରେ ଖୁବ୍ ଦୁଃଖ ପ୍ରକାଶ କରିଛି ଏବଂ ଦାୟିତ୍ବବାନ ନାଗରିକ ଭାବେ ପୀଡିତଙ୍କୁ ସହାୟତା କରିବାକୁ ଇଚ୍ଛୁକ ହୋଇଛି । ରେଳ ଦୁର୍ଘଟଣାରେ ପୀଡିତ ତଥା ମୃତକଙ୍କ ପରିବାରକୁ ସହାୟତା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଚାହୁଁଛି ସୁକେଶ । ଏଥିପାଇଁ ଜେଲରୁ ରେଳ ମନ୍ତ୍ରଣାଳୟ ଉଦ୍ଦେଶ୍ୟରେ ସେ ଏକ ଚିଠି ଲେଖିଛି ।

ନିଜର ଓକିଲଙ୍କ ଦ୍ବାରା ରେଳ ମନ୍ତ୍ରଣାଳୟକୁ ପଠାଇଥିବା ଚିଠିରେ ସୁକେଶ କହିଛି, ଓଡ଼ିଶାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ । ଦାୟିତ୍ବବାନ ନାଗରିକ ଭାବେ ଦୁର୍ଘଟଣାରେ ଆହତ ଏବଂ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛି । ନିଜର ପାରିବାରିକ ସମ୍ପତ୍ତିରୁ ରେଳ ମନ୍ତ୍ରଣାଳୟକୁ ୧୦ କୋଟି ଟଙ୍କା ଦେବାକୁ ଚାହୁଁଛି । ଏହି ଟଙ୍କା ଦୁର୍ଘଟଣା ପୀଡିତ ଲୋକଙ୍କ କଲ୍ୟାଣରେ ଲାଗିବ । ପୀଡିତ ପରିବାରର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏହି ଟଙ୍କା ଖର୍ଚ୍ଚ କରାଯାଉ । ଏହି ଟଙ୍କା ତା'ର ବୈଧ ଆୟ, ଯାହା ଉପରେ ଆୟକର ମଧ୍ୟ ଜମା ହୋଇଛି । ଏହାସହିତ ଦୁର୍ଘଟଣା ପରେ ହୋଇଥିବା ରିଲିଫ କାର୍ଯ୍ୟ ପାଇଁ ସୁକେଶ ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଓ ରେଳ ମନ୍ତ୍ରଣାଳୟକୁ ଖୁବ୍ ପ୍ରଶଂସା କରିଛି ।

ଆହୁରିମଧ୍ୟ ଲେଖିଛି ଯେ, ଓଡ଼ିଶାରେ ରେଳ ଦୁର୍ଘଟଣା ଦୁର୍ଭାଗ୍ୟଜନକ । ଯାହା ମୋତେ ଭାଙ୍ଗି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରିୟଜନଙ୍କ ପାଇଁ ଏହା ଖୁବ୍ ଯନ୍ତ୍ରଣାଦାୟକ । ସେମାନଙ୍କ ପିଲାଙ୍କ ପାଠପଢା ବ୍ୟାହତ ନହେବା ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯାଉ । ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଯେପରି ପୁରା ଉଦ୍ଧାର କାର୍ଯ୍ୟ କରାଗଲା ତାହା ପ୍ରଶଂସନୀୟ ଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ବାଲେଶ୍ବର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୨୯୦ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ଆହତଙ୍କ ପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ସହୟତାର ହାତ ବଢାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.