ETV Bharat / bharat

ପରିଣତ ବୟସରେ ପର କରିଦେଲା ପୁଅ: ମନ୍ଦିରରେ ଦିନ କାଟୁଛନ୍ତି ବୃଦ୍ଧା, ପ୍ରସାଦ ପାଲଟିଛି ବଞ୍ଚିବାର ରାହା

author img

By ETV Bharat Odisha Team

Published : Dec 13, 2023, 10:25 PM IST

ମନ୍ଦିରରେ ଦିନ କାଟୁଛନ୍ତି ବୃଦ୍ଧା
Son throws mother out of house

Kalyugi Son in Banka: ପରିଣତ ବୟସରେ ପର କରିଦେଲେ ପୁଅ ବୋହୂ। ମନ୍ଦିରରେ ଆଶ୍ରୟ ନେଲେ ନିରାଶ୍ରୟା ବୃଦ୍ଧା। ଅଧିକ ପଢନ୍ତୁ

Son throws mother out of house

ପାଟନା: ପରିଣତ ବୟସରେ ମା'ଙ୍କୁ ଘରୁ ବାହାର କରିଦେଲେ ପୁଅ । ମୁଣ୍ଡ ଗୁଞ୍ଜିବାକୁ ଯାଗା ନଥିବାରୁ ଶେଷରେ ମନ୍ଦିରରେ ଆଶ୍ରୟ ନେଲେ ନିରାଶ୍ରୟା ବୃଦ୍ଧା। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବିହାରର ବାଙ୍କା ଜିଲ୍ଲା ଅନ୍ତର୍ଗତ ବିରନୋଧା ଗାଁରେ । ପାଖାପାଖି ୮୦ ବର୍ଷ ବୟସର ଜଣେ ବୃଦ୍ଧା ବୟସର ଅପରାହ୍ନରେ ହନ୍ତସନ୍ତ ହେଉଛନ୍ତି । ପୁଅ ଘରୁ କାଢି ଦେବା ପରେ ସାହାରା ନପାଇ ଶେଷରେ ଏକ ମନ୍ଦିରରେ ସେ ଆଶ୍ରୟ ନେଇଛନ୍ତି ।

ବୃଦ୍ଧ ବୃଦ୍ଧାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସରକାର । ହେଲେ ସରକାରୀ ସୁବିଧାରୁ ବଞ୍ଚିତ ଅନେକ ହିତାଧିକାରୀ । ପୁଅ ଘରୁ ବାହାର କରିଦେବା ପରେ ଅନେକ ବୃଦ୍ଧ ବୃଦ୍ଧା ନିରାଶ୍ରୟ ଜୀବନ ବିତାଉଛନ୍ତି । କେତେବେଳେ ଜରାଶ୍ରମରେ ଦିନ କଟୁଛି ତ ଆଉ କେତେବେଳେ ମୁଣ୍ଡ ଗୁଞ୍ଜିବାକୁ ଏଣେ ତେଣେ ଘୁରୁ ବୁଲୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ବାଙ୍କା ଜିଲ୍ଲାରେ । ପୁଅ ବୋହୂ ଘରୁ ତଡିଦେବା ପରେ ନିକଟରେ ଥିବା ଶମ୍ଭୁଗଞ୍ଜ ସୋମେଶ୍ବରନାଥ ମହାଦେବ ମନ୍ଦିରରେ ବୃଦ୍ଧା ଜଣକ ଆଶ୍ରୟ ନେଇଛନ୍ତି ।

ସୂଚନା ଅନୁସାରେ, ବାସନ୍ତୀ ଦେବୀଙ୍କ ଉପରେ ପୁଅ ବୋହୂଙ୍କ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା । ଏପରିକି ପୁଅ ବୋହୂ ତାଙ୍କୁ ଘରୁ ତଡିଦେଇଥିଲେ । ଶେଷରେ କିଛି ବାଟ ନପାଇ ପଡୋଶୀଙ୍କ ସହାୟତା ନେଇଥିଲେ ବାସନ୍ତୀ । ହେଲେ କଥା ସେତିକିରେ ସରିନଥିଲା । ପଡୋଶୀଙ୍କୁ ମଧ୍ୟ ନାଲିଆଖି ଦେଖାଇଥିଲେ ବାସନ୍ତୀଙ୍କ ପୁଅ ବୋହୂ । ଆଉ ପରବର୍ତ୍ତୀ ସମୟରେ ପଡୋଶୀମାନେ ମଧ୍ୟ ବୃଦ୍ଧା ବାସନ୍ତୀ ଦେବାଙ୍କୁ ସହାୟତା କରିବାକୁ ପଛଘୁଞ୍ଚା ଦେଇଥିଲେ । ଶେଷରେ କିଛି ଉପାୟ ନପାଇ ଶମ୍ଭୁଗଞ୍ଜ ସୋମେଶ୍ବରନାଥ ମହାଦେବ ମନ୍ଦିରରେ ଗତ ୩ ଦିନ ହେବ ରହିଆସୁଛନ୍ତି ବାସନ୍ତୀ । ଭଗବାନ ଭରସାରେ ସେ ଜୀବନ କାଟୁଥିବାବେଳେ ମନ୍ଦିରରେ ଭକ୍ତଙ୍କ ଦ୍ବାରା ସମର୍ପିତ ହେଉଥିବା ପ୍ରସାଦ ସେବନ କରି ସେ କ୍ଷୁଧା ମେଣ୍ଟାଉଛନ୍ତି ।

ଏହା ବି ପଢନ୍ତୁ...ବୟସର ଅପରାହ୍ନରେ ଅଲୋଡା ବୃଦ୍ଧ ପିତାମାତା, ପୁଅ ଓ ନାତୀ ଦେଉଛନ୍ତି ନିର୍ଯାତନା

ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ କହିବା କଥା, ବାସନ୍ତୀ ପ୍ରତିଦିନ ମହାଦେବଙ୍କ ନିକଟରେ ଲାଗି ହେଉଥିବା ଗଙ୍ଗାଜଳ ଏବଂ ପ୍ରସାଦ ସେବନ କରୁଛନ୍ତି। ତାଙ୍କ ଶରୀର ବର୍ତ୍ତମାନ ଦୁର୍ବଳ ହୋଇପଡିଥିବାବେଳେ ସେ ନିରାଶ୍ରୟା ଭାବେ ସେଠାରେ ଦିନ କାଟୁଛନ୍ତି । ବାସନ୍ତୀ ଖୁବ ସ୍ବାଭିମାନୀ ହୋଇଥିବାରୁ କେହି ଖାଦ୍ୟ ଯାଚିଲେ ମଧ୍ୟ ସେ ଗ୍ରହଣ କରନ୍ତି ନାହିଁ । କେବଳ ମହାଦେବଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ହିଁ ତାଙ୍କ ପାଇଁ ପାଲଟିଛି ବଞ୍ଚିବାର ରାହା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.