ETV Bharat / bharat

ମେଡିସିନ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ; ୪ ଜୀବନ୍ତ ଦଗ୍ଧ, ଅନେକ ନିଖୋଜ

author img

By ETV Bharat Odisha Team

Published : Oct 6, 2023, 2:03 PM IST

ମେଡିସିନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ମେଡିସିନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ଅମୃତସରରେ ଏକ ମେଡିସିନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୪ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବ ଅମୃତସରରେ ଥିବା ଏକ ମେଡିସିନ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅତିକମରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଫ୍ୟାକ୍ଟ୍ରି ଭିତରେ ଆଉ କିଛି ଲୋକ ନିଖୋଜ ଥିବା କୁହାଯାଉଛି । ଫଳରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅମୃତସରର ମାଜିଥା ରୋଡରେ ଥିବା ଉକ୍ତ ଫ୍ୟାକ୍ଟ୍ରିରେ ଗତକାଲି(ଗୁରୁବାର) ରାତିରେ ନିଆଁ ଲାଗିଥିଲା । ତେବେ କିପରି ଅଗ୍ନିକାଣ୍ଡ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି ।

ସୂଚନା ଅନୁଯାୟୀ, ଗତ ରାତିରେ ସେହି ମେଡିସିନ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା । ସେଠାରେ କାମ କରୁଥିବା କର୍ମଚାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସେମାନଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ । ସେମାନେ ଖୋଜାଖୋଜି କରିବାକୁ ଫ୍ୟାକ୍ଟ୍ରିରେ ପହଞ୍ଚିବା ବେଳେ ସେଠି ନିଆଁ ଲାଗି ଥିବାର ଦେଖିବାକୁ ପାଇଥିଲେ । ଏନେଇ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ପ୍ରାୟ ୪ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Mumbai Fire News: ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, 7 ମୃତ

ତେବେ ଫ୍ୟାକ୍ଟ୍ରିରେ ବିପୁଳ ପରିମାଣର କେମିକାଲ ରଖାଯାଇ ଥିବାବେଳେ କୌଣସି କାରଣରୁ ସେଥିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଫ୍ୟାକ୍ଟ୍ରିରେ ଅନେକ ଆଲକୋହଲ ଡ୍ରମ୍‌ ଥିବାବେଳେ ଅଗ୍ନିକାଣ୍ଡ ପରେ ତାହା ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୭ ଜଣ ଗୁରୁତର ଆହତ ହୋଇଥିଲେ । ଏବେ ବି ଆଉ କିଛି କର୍ମଚାରୀ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ପ୍ରଶାସନକୁ ଗୁହାରି କରିଛନ୍ତି । ପୀଡ଼ିତ ପରିବାର ଲୋକଙ୍କ କହିବା ଅନୁସାରେ, ଏହି ମେଡିସିନ ଫ୍ୟାକ୍ଟ୍ରିକୁ ମୋବାଇଲ ଫୋନ ନେବା ନିଷିଦ୍ଧ । ତେବେ କେମିତି ନିଆଁ ଲାଗିଲା ତାହା ଜଣାପଡିନି ।

ସେହିପରି ଗତକାଲି ରାତିରେ ମହାରାଷ୍ଟ୍ରର ଗୋରଗାଁରେ ସମାନ ଅଘଟଣ ଘଟିଛି । ଏଠାରେ ଗୋଟିଏ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.