ETV Bharat / bharat

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା, 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

author img

By

Published : Aug 23, 2022, 5:34 PM IST

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା, 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି
ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା, 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ମହାରାଷ୍ଟ୍ର ରାଜନୈତିକ ମାମଲା । ଖଣ୍ଡପୀଠରେ ରହିବେ 5 ଜଣ ବିଚାରପତି । ପରସ୍ପର ବିରୋଧରେ ଏକାଧିକ ମାମଲା ଦାଏର କରିଛନ୍ତି ସିନ୍ଧେ ଓ ଠାକରେ ଗୋଷ୍ଠୀ (Sena vs Sena)। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା (Maharashtra political petition)ର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟର 5 ଜଣିଆ ସାମ୍ବିଧାନିକ ଖଣ୍ଡିପୀଠ । ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ଜାରି ରହିଥିବା ବେଳେ ଏହାର କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଏହାର ଶୁଣାଣି ପ୍ରକ୍ରିୟା ସାମ୍ବିଧାନିକ ଖଣ୍ଡପୀଠରେ ହେବା ନେଇ ସ୍ଥିର କରାଯାଇଛି । ଶିବସେନାର ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଏକାଧିକ ଅଭିଯୋଗ ସହ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।

ଆଜି ଏହି ମାମଲାର ଶୁଣାଣି, ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋଲହିଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡିପୀଠଙ୍କ ଦ୍ବାରା କରାଯାଇଥିଲେ । ଆଜି ଶୁଣାଣିରେ ଏହି ମାମଲାକୁ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଛି । (SC sends Maharashtra political petitions to 5 judge Constitution bench)। ମିଳିଥିବା ସୂଚନା ଅନୁସାରେ ସାମ୍ବିଧାନିକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଅଗଷ୍ଟ 25 ରୁ ଆରମ୍ଭ ହେବ।

ଅନ୍ୟ ଏକ ନିର୍ଦ୍ଦେଶ ଅନୁସାରେ ସାମ୍ବିଧାନିକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇ କୌଣସି ରାୟ ପ୍ରକାଶ ପାଇବା ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଶିବସେନାରୁ ପୃଥକ ହୋଇ ବିଜେପି ସହ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଥିଲା । ତାଙ୍କ ଗୋଷ୍ଠୀକୁ ଶିବସେନାର ମାନ୍ୟତା ସହ ଦଳୀୟ ଚିହ୍ନ ମଧ୍ୟ ପ୍ରଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଦାବି କରିଛି ସିନ୍ଧେ ଗୋଷ୍ଠୀ ।

ଅନ୍ୟପଟେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର ଏପରି ଦାବିକୁ ଅସାମ୍ବିଧାନିକ ଦର୍ଶାଇ କୋର୍ଟର ଆଶ୍ରୟ ନେଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ରାଜନୈତିକ ବିବାଦ ମଧ୍ୟରେ ରାଜ୍ୟପାଳ ସିନ୍ଧେଙ୍କୁ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ କରିବା, ପରେ ଏକାନାଥ ସିନ୍ଧେଙ୍କ ଗୋଷ୍ଠୀର ସଚେତକଙ୍କୁ ଶିବସେନାର ମୁଖ୍ୟ ସଚେତକ ଭାବେ ବାଚସ୍ପତି ସ୍ବୀକୃତି ଦେବାକୁ ନେଇ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଠାକରେ ଗୋଷ୍ଠୀ।

ଏପରି ଅନେକ ସମସ୍ୟାକୁ ନେଇ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଏକାଧିକ ମାମଲାର ଦାଏର କରିଛନ୍ତି । ସେତେବେଳେ ମହାରାଷ୍ଟ୍ର ରାଜନୀତି ଯେମିତି ଜଟିଳ ଥିଲା । ସେହିପରି ଶୁଣାଣି ପ୍ରକ୍ରିୟା ମଧ୍ୟ ଜଟିଳ ହେବାରେ ଲାଗିଛି । ଏବେ ବୃହତ୍ତର ସାମ୍ବିଧାନିକ ଖଣ୍ଡିପୀଠ ଏହି ମାମଲାର ଶୁଣାଣି କରି କ’ଣ ରାୟ ପ୍ରକାଶ କରୁଛନ୍ତି ତାହା ଉପରେ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.