ETV Bharat / bharat

ରାଜସ୍ଥାନରେ ରାମଦେବଙ୍କ ବିରୋଧରେ ହେଟ୍‌ସ୍ପିଚ ମାମଲା

author img

By

Published : Feb 5, 2023, 10:23 PM IST

ରାଜସ୍ଥାନରେ ରାମଦେବଙ୍କ ବିରୋଧରେ ହେଟସ୍ପିଚ ମାମଲା
ରାଜସ୍ଥାନରେ ରାମଦେବଙ୍କ ବିରୋଧରେ ହେଟସ୍ପିଚ ମାମଲା

ରାଜସ୍ଥାନରେ ଯୋଗଗୁରୁ ରାମଦେବଙ୍କ ବିରୋଧରେ ହେଟସ୍ପିଚ ମାମଲା । 2 ତାରିଖରେ ବାରମେର ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଜୟପୁର: ଯୋଗଗୁରୁ ରାମଦେବଙ୍କ ବିରୋଧରେ ହେଟସ୍ପିଚ ମାମଲା ଦାଖଲ ହୋଇଛି । 2 ତାରିଖରେ ରାଜସ୍ଥାନର ବାରମେର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ ଧର୍ମୀୟ ଭାବନାକୁ ଆଘାତ ଲାଗିବା ସହ ଘୃଣା ସୃଷ୍ଟି କରିବା ପରି ଟିପ୍ପଣୀ ଦେଇଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଏତଲା ଦେଇଥିଲେ । ପୋଲିସ ଏହି ଏତଲା ଆଧାରରେ ରାମଦେବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏନେଇ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ରାମଦେବଙ୍କ ବିରୋଧେରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଚଳିତମାସ 2 ତାରିଖରେ ରାଜସ୍ଥାନର ବାରମେର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ରାମଦେବ ନିର୍ଦ୍ଦିଷ୍ଟ ଧର୍ମ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଧର୍ମୀୟ ଭାଇଚାରାକୁ ନଷ୍ଟ କରିବା ସହ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ପରି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜଣେ ସ୍ଥାନୀୟ ବାସିନ୍ଦ ଚୌହତାନ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏତଲା ଆଧାରରେ ପୋଲିସ ମଧ୍ୟ ମାମଲା ଦାଖଲ କରିଛି ।

ଚୌହତାନ ପୋଲିସ୍ ଷ୍ଟେସନ SHOଙ୍କ ସୂଚନା ଅନୁଯାୟୀ, ରାମଦେବଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ(ଆଇପିସି) ଧାରା 153 A(ଧର୍ମ, ଜାତି, ଜନ୍ମସ୍ଥାନ, ବାସସ୍ଥାନ, ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), 295-A(ଧାର୍ମିକ ଭାବନାକୁ ଆଘାତ କରିବା), 298(ଉଚ୍ଚାରଣ, ମନ୍ତବ୍ୟ ମାଧ୍ୟମରେ କୌଣସି ଧାର୍ମିକ ଭାବନାକୁ ଆଘାତ କରିବା) ଆଦି ଦଫାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ଗତ 2 ତାରିଖରେ ଏକ କାର୍ଯ୍ୟକ୍ରମରେ ରାମଦେବ ଏହି ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି । ରାମଦେବ ଇସଲାମ, ହିନ୍ଦୁ ଧର୍ମ ଏବଂ ଖ୍ରୀଷ୍ଟିଆନ ଧର୍ମ ମଧ୍ୟରେ ତୁଳନା କରୁଥିବା ବେଳେ ନିର୍ଦ୍ଦିଷ୍ଟ ଧର୍ମକୁ ଆତଙ୍କବାଦ ସହ ସମ୍ପୃକ୍ତ ଓ ମହିଳାଙ୍କୁ ଅପହରଣ କରିଥାନ୍ତି ବୋଲି ଦର୍ଶାଇଥିଲେ । ସେହିପରି କିଛି ନିର୍ଦ୍ଦିଷ୍ଟ ଧର୍ମ କେବଳ ଧର୍ମ ପରିବର୍ତ୍ତନ କରିବାରେ ବ୍ୟସ୍ତ ବୋଲି ରାମଦେବ କହିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ରାମଦେବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.