Rahul on London remark: ‘ସରକାର ତମାସା କରୁଛନ୍ତି, ମୁଁ ସଂସଦରେ କହିବି’

author img

By

Published : Mar 16, 2023, 5:47 PM IST

ନୀରବତା ଭାଙ୍ଗିଲେ ରାହୁଲ
ନୀରବତା ଭାଙ୍ଗିଲେ ରାହୁଲ ()

ବିଦେଶରେ ବିବାଦୀୟ ବୟାନ ଅଭିଯୋଗରେ ନୀରବତା ଭାଙ୍ଗିଲେ ରାହୁଲ ଗାନ୍ଧି । କହିଲେ ଗୃହରେ ଉତ୍ତର ରଖିବାକୁ ଚାହୁଛନ୍ତି, କିନ୍ତୁ ସରକାର କୁହାଇ ଦେବେନାହିଁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ଶେଷ କରି ଲଣ୍ଡନ ଗସ୍ତ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆଜି ପ୍ରଥମ ଥର ସଂସଦରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ତେବେ ସେ ଆସନ୍ତାକାଲି ତାଙ୍କ ବିରୋଧରେ ଆସିଥିବା ଦେଶ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ତାଙ୍କୁ କୁହାଇ ଦେବେନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି, ସରକାର ଆଦାନୀ ପ୍ରସଙ୍ଗରେ ଭୟଭୀତ ଅଛି । ତେଣୁ ତାଙ୍କ ପ୍ରସଙ୍ଗ ଉଠାଇ ତମାସା କରୁଛି । ସେ ଆସନ୍ତାକାଲି ଏସମ୍ପର୍କରେ ସଂସଦରେ ବୟାନ ରଖିବାକୁ ବାଚସ୍ପତିଙ୍କୁ ଅବଗତ କରିସାରିଛନ୍ତି ।

  • As the allegations have been made in Parliament, it is my democratic right to have the opportunity to speak. If Indian democracy was functioning I would be able to speak in Parliament. So, actually what you are seeing is a test of Indian democracy: Congress MP Rahul Gandhi pic.twitter.com/ymMYiXh97h

    — ANI (@ANI) March 16, 2023 " class="align-text-top noRightClick twitterSection" data=" ">

ଆଜି (ଗୁରୁବାର) ଅପରାହ୍ନରେ ବରିଷ୍ଠ ଦଳୀୟ ନେତା କେସି ବେଣୁଗୋପାଲ ଓ ଜୟରାମ ରମେଶଙ୍କ ସହ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘‘ମୁଁ ଆସନ୍ତାକାଲି ଅଭିଯୋଗ ସମ୍ପର୍କରେ ଗୃହରେ ଉତ୍ତର ରଖିବା ପାଇଁ ବାଚସ୍ପତିଙ୍କୁ ଅବଗତ କରିସାରିଛି । 4 ମନ୍ତ୍ରୀ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି । ଗୃହରେ ଉତ୍ତର ରଖିବା ମୋର ଅଧିକାର ମଧ୍ୟ । ହେଲେ ସେମାନେ ମତେ କହିବାକୁ ଦେବେ ବୋଲି ମୁଁ ଆଶା କରିପାରୁନାହିଁ । ଆଜି ମୋର ଗୃହକୁ ଆସିବାର ମାତ୍ର କିଛି ମିନିଟ ମଧ୍ୟରେ ଗୃହ ମୁଲତବୀ ଘୋଷଣା କରିଦିଆଗଲା । କିଛି ଦିନ ପୂର୍ବରୁ ସଂସଦରେ ମୁଁ ମୋର ବିବୃତ୍ତିରେ ଆଦାନୀ ଓ ମୋଦିଜୀଙ୍କ ସମ୍ପର୍କ ପ୍ରସଙ୍ଗରେ ଯାହା କହିଥିଲି ତାକୁ ସଂସଦର ରେକର୍ଡରୁ ମଧ୍ୟ ହଟାଇ ଦିଆଯାଇଛି ।’’

ରାହୁଲ ଲଣ୍ଡନର ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦେଇଥିବା ମନ୍ତବ୍ୟକୁ ସିଧା ଦେଶ ବିରୋଧୀ ମନ୍ତବ୍ୟ ବୋଲି କହିଥିଲା ଶାସକ ଭାରତୀୟ ଜନତା ପାର୍ଟି । ମୋଦି ସରକାରର ଏକାଧିକ ମନ୍ତ୍ରୀ ରାହୁଲ ଓ କଂଗ୍ରେସକୁ ଟାର୍ଗେଟ କରିବା ଏପରି ଦେଶ ବିରୋଧୀ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ଦାବି କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲଙ୍କୁ ଗୃହରେ କ୍ଷମା ମାଗିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । କଂଗ୍ରେସ ରାହୁଲଙ୍କ ସମର୍ଥନରେ ବାହାରିଥିଲା । ଏହା କୌଣସି ଦେଶ ବିରୋଧୀ ମନ୍ତବ୍ୟ ନୁହେଁ କିମ୍ବା କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲା । ଏହି ବିବାଦ ମଧ୍ୟରେ ଆଜି ରାହୁଲ ସଂସଦରେ ପହଞ୍ଚିଥିଲେ । ପରେ ସେ ପ୍ରେସମିଟ୍‌ କରି ଏହି ଅଭିଯୋଗରେ ଗୃହରେ ଉତ୍ତର ରଖିବା ପାଇଁ ବାଚସ୍ପତି ବିର୍ଲାଙ୍କୁ ଅବଗତ ମଧ୍ୟ କରିଛନ୍ତି । ହେଲେ ତାଙ୍କୁ ଗୃହରେ କହିବାକୁ ଦିଆଯିବନି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ନିକଟରେ ଲଣ୍ଡନ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଏକାଧିକ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାରକୁ କଡା ସମାଲୋଚନା କରିଥିଲେ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ ଭାରତୀୟ ଗଣତନ୍ତ୍ର ବିପଦରେ ଥିବା କହିଥିଲେ । ଅନ୍ୟ ଏକ କାର୍ଯ୍ୟକ୍ରମରେ ସେ ଭାରତୀୟ ସଂସଦୀୟ ବ୍ୟବସ୍ଥାରେ ବିରୋଧୀ ଦଳର ଦୂରାବସ୍ଥା କଥା କହିଥିଲେ । ବିରୋଧୀଙ୍କୁ ସଂସଦରେ କହିବାକୁ ସୁଯୋଗ ମିଳୁନଥିବା ଓ ମାଇକ ବନ୍ଦ କରି ଦିଆଯାଉଥିବା କହିଥିଲେ ରାହୁଲ । ସେହିପରି ସେ ପେଗାସସ ପ୍ରସଙ୍ଗ ଉଠାଇ ତାଙ୍କ ସେଲ ଫୋନରେ ମଧ୍ୟ ପେଗାସସ ସଫ୍ଟଓ୍ବେର ଲଗାଇ ଗୁଇନ୍ଦାଗିରି କରାଯାଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ଶାସକ ଭାରତୀୟ ଜନତା ପାର୍ଟିର ଏକାଧିକ ମନ୍ତ୍ରୀ ରାହୁଲଙ୍କୁ ଟାର୍ଗେଟ କରିବା ସହ କ୍ଷମା ମାଗିବା ପାଇଁ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.