ETV Bharat / bharat

ସାଧାରଣତନ୍ତ୍ର ଦିବସ ପରେଡ 2024: ବାଦ ପଡିଲେ ପଞ୍ଜାବ ଓ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ, ଏହି କାରଣ କହିଲା ପ୍ରତିରକ୍ଷା ମନ୍ତ୍ରଣାଳୟ

author img

By ETV Bharat Odisha Team

Published : Dec 31, 2023, 5:56 PM IST

ସାଧାରଣତନ୍ତ୍ର ଦିବସ ପରେଡ 2024: ପ୍ରଜ୍ଞାପନ ମେଢରେ ବ୍ୟାପକ ବିଷୟର ଝଲକ ନଥିବାରୁ ବାଦ ପଡିଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ
ସାଧାରଣତନ୍ତ୍ର ଦିବସ ପରେଡ 2024: ପ୍ରଜ୍ଞାପନ ମେଢରେ ବ୍ୟାପକ ବିଷୟର ଝଲକ ନଥିବାରୁ ବାଦ ପଡିଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ

R-Day Parade 2024: ପଞ୍ଜାବ ଓ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢରେ ନଥିଲା ଥିମ୍‌ ସହ ସମ୍ପର୍କିତ ବ୍ୟାପକ ପ୍ରସଙ୍ଗର ଦୃଷ୍ଟିଭଙ୍ଗୀ । ସେଥିପାଇଁ ଏହାକୁ ବାଦ ଦିଆଯାଇଥିବା ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ । ପକ୍ଷପାତିତାର ଅଭିଯୋଗ ଆଣିଥିଲେ ଉଭୟ ରାଜ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ-2024 ପରେଡରେ କର୍ତ୍ତବ୍ୟପଥରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାରୁ ବାଦ ପଡିଛନ୍ତି ପଞ୍ଜାବ ଓ ପଶ୍ଚିମବଙ୍ଗ । ଏହି ଦୁଇ ରାଜ୍ୟର ପ୍ରସ୍ତାବିତ ପ୍ରଜ୍ଞାପନ ମେଢକୁ ପରେଡରେ ଅଂଶଗ୍ରହଣ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଚୟନ କରିନାହିଁ । ଏହା ପରେ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ସ୍ପଷ୍ଟୀକରଣ ଜାରି କରିଛି । ଉଭୟ ରାଜ୍ୟ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ଼ରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସର ଥିମ ସହ ସମ୍ପର୍କିତ ବ୍ୟାପକ ପ୍ରସଙ୍ଗର ପ୍ରତିଫଳନ ନଥିବାରୁ ଏହାକୁ ଅଂଶଗ୍ରହଣ କରିବାକୁ ଚୟନ କରାଯାଇନଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ୍‌ଙ୍କ ଅଭିଯୋଗ ସହ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ପ୍ରେସ୍‌ ରିଲିଜ୍‌ ଜାରି କରି ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି । ପଞ୍ଜାବ ସରକାର କେନ୍ଦ୍ର ନିକଟକୁ ପଠାଇଥିବା ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ବିଶେଷଜ୍ଞ କମିଟି ଏକାଧିକ ପ୍ରର୍ଯ୍ୟାୟରେ ତର୍ଜମା କରିଥିଲା । କମିଟି ଦ୍ବାରା ତୃତୀୟ ପର୍ଯ୍ୟାୟ ସମୀକ୍ଷା ପର୍ଯ୍ୟନ୍ତ ଏହାକୁ ବିଚାରକୁ ନିଆଯାଇଥିଲା । ହେଲେ ଚଳିତ ବର୍ଷର ଥିମ ସହ ବ୍ୟାପକ ଦୃଷ୍ଟିଭଙ୍ଗୀ ନଥିବା କାରଣରୁ ଏହାକୁ 4ର୍ଥ ପର୍ଯ୍ୟାୟରେ ବାଦ୍‌ ଦିଆଯାଇଛି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମେଢ଼ ମଧ୍ୟ ସମାନ କାରଣ ପାଇଁ ଚୟନରୁ ବାଦ ପଡ଼ିଛି । ପଶ୍ଚିମବଙ୍ଗର ମେଢ଼ରେ ମଧ୍ୟ ବ୍ୟାପକ ଦୃଷ୍ଟିଭଙ୍ଗୀ ନଥିଲା । ଏହାକୁ ବିଶେଷଜ୍ଞ କମିଟି ତୃତୀୟ ପର୍ଯ୍ୟାୟ ସମୀକ୍ଷାରୁ ବାଦ ଦେଇଛି ।

ତେବେ ଉଭୟ ରାଜ୍ଯର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟପଥରେ ଆୟୋଜିତ ପରେଡ୍‌ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ନହେବା ପରେ କେନ୍ଦ୍ର ବିରୋଧରେ ପକ୍ଷପାତିତା ଅଭିଯୋଗ ଉଠିଥିଲା । କେନ୍ଦ୍ର ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ବିଶେଷଜ୍ଞଙ୍କୁ ନେଇ ଗଠିତ ଚୟନ କମିଟିର ଏକାଧିକ ପର୍ଯ୍ୟାୟର ସମୀକ୍ଷା ପରେ ମାତ୍ର 15ରୁ 16 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢକୁ ଚୂଡ଼ାନ୍ତ କରିଛି । ଏହି ପ୍ରଜ୍ଞାପନ ମେଢଗୁଡ଼କ ପରେଡରେ ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ :- ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ; ଭାରତ ଉଦ୍ଭାବନର ହବ୍ ପାଲଟିଛି କହିଲେ ମୋଦି

ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସରରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ପରେଡ ଆୟୋଜିତ ହୋଇଥାଏ । ଭାରତୀୟ ସଶସ୍ତ୍ର ବଳର ସାମର୍ଥ୍ୟ ପ୍ରଦର୍ଶିତ ହେବା ସହ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ତେବେ ରାଜ୍ୟମାନେ ସେମାନଙ୍କ ପ୍ରସ୍ତାବିତ ନମୂନା କେନ୍ଦ୍ରକୁ ପଠାନ୍ତି । ବିଶେଷଜ୍ଞ କମିଟି ଦ୍ବାରା ଏକାଧିକ ପର୍ଯ୍ୟାୟର ତର୍ଜମା ପରେ ଯୋଗ୍ୟ ବିବେଚିତ ପ୍ରଜ୍ଞାପନ ମେଢକୁ ହିଁ ଅଂଶଗ୍ରହଣ କରିବା ପାଇଁ ଚୂଡାନ୍ତ କରାଯାଏ । ତେବେ ଏଥିରେ ପ୍ରାୟ ସମସ୍ତ ରାଜ୍ୟ ଅଂଶଗ୍ରହଣ କରିବା ପାଇଁ ଆଗ୍ରହ ଦେଖାଉଥିବା ବେଳେ ସମସ୍ତଙ୍କୁ ସୁଯୋଗ ମିଳିନଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.