ETV Bharat / bharat

ଆମେରିକା ଓ ଇଜିପ୍ଟ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ସ୍ବାଗତ କଲେ ନଡ୍ଡା

author img

By

Published : Jun 26, 2023, 10:31 AM IST

ଐତିହାସିକ ବିଦେଶ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ । 20ରୁ ଗସ୍ତ କରିଥିଲେ ଆମେରିକା ଓ ପରେ ଇଜିପ୍ଟ । ଚର୍ଚ୍ଚାରେ ଥିଲା ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ନୈଶ୍ୟଭୋଜି । ଅଧିକ ପଢନ୍ତୁ

ଆମେରିକା ଓ ଇଜିପ୍ଟ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ସବାଗତ କଲେ ନଡ୍ଡା
ଆମେରିକା ଓ ଇଜିପ୍ଟ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ସବାଗତ କଲେ ନଡ୍ଡା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆମେରିକା ଓ ଇଜିପ୍ଟ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ରବିବାର) ବିଳମ୍ବିତ ରାତିରେ ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏବଂ ବିଜେପି ମୁଖ୍ୟ ଜେ.ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

  • #WATCH | Prime Minister Narendra Modi returns to Delhi after concluding his state visits to US and Egypt, received by BJP chief JP Nadda and other party leaders pic.twitter.com/H0FsEyzRqz

    — ANI (@ANI) June 25, 2023 " class="align-text-top noRightClick twitterSection" data=" ">

ଜୁନ 20 ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଥମେ ଆମେରିକା ଗସ୍ତ କରିଥିଲେ । ସେଠାରେ ସେ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ 180ରୁ ଅଧିକ ଦେଶର ନାଗରିକ ମଧ୍ୟ ଅଂଶଗ୍ରହଣ କରି ଯୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଏହି ଯୋଗ ସେସନ ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା । ଏହା ପରେ ମୋଦି ଟେସଲା ମୁଖ୍ୟ ତଥା ସଂସ୍ଥାର ସିଇଓ ଏଲନ ମସ୍କଙ୍କ ସମେତ ଏକାଧିକ ବିଶିଷ୍ଟ ଆମେରିକୀୟଙ୍କ ସହ ଆଲୋଚନା କରିଥିଲେ । ପରେ ଭାରତ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମେତ ଏକାଧିକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ଆମେରିକାର ଜେନେରାଲ ଏଲେକ୍ଟ୍ରିକ୍ସ ଏରୋସ୍ପେସ ଓ ଭାରତର ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ମଧ୍ୟରେ ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଏହା ପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମ । ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ହ୍ବାଇଟ ହାଉସକୁ ନିମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ବାଇଟ ହାଉସ ପରିସରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଉଭୟ ନେତା ଦୁଇ ଦେଶର ଦୃଢ ରଣନୈତିକ ସମ୍ପର୍କ ଓ ସାମ୍ବିଧାନିକ ମୂଲ୍ୟବୋଧରେ ଥିବା ସମାନତା ନେଇ ପରସ୍ପରକୁ ପ୍ରଶଂସା କରିଥିଲେ । ହ୍ବାଇଟ ହାଉସରେ ଆୟୋଜିତ ନୈଶ୍ୟଭୋଜିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ସେ ଆମେରିକା ସଂସଦର (କଂଗ୍ରେସ)ର ମିଳିତ ଅଧିବେଶନକୁ ସମ୍ବୋଧିତ ମଧ୍ୟ କରିଥିଲେ ।

ଆମେରିକାରେ ଐତିହାସିକ ଗସ୍ତ ଶେଷ କରି ଗୁରୁବାର ସଂଧ୍ୟାରେ 2 ଦିନିଆ ଗସ୍ତରେ ଇଜିପ୍ଟ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ସେ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍-ସିସି ଓ ପ୍ରଧାନମନ୍ତ୍ରୀ ମୋସ୍ତାଫା ମଦବୌଲିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ସେ ସେଠାରେ ପରୁତନ ଅଲ-ହକିମ ମସଜିଦ ଓ ପ୍ରସିଦ୍ଧ ଗିଜା ପିରାମିଡ ପରିଦର୍ଶନ କରିଥିଲେ । 26 ବର୍ଷ ପରେ ଭାରତୀୟ ରାଷ୍ଟ୍ରମୁଖ୍ୟ ଭାବେ ଇଜିପ୍ଟ ଗସ୍ତ କରିଥିବା ମୋଦିଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ’ରେ ସମ୍ମାନିତ ମଧ୍ୟ କରାଯାଇଥିଲା । ଏହି ଗସ୍ତ ଭାରତ ଇଜିପ୍ଟ ସମ୍ପର୍କକୁ ଏକ ଦୃଢତା ପ୍ରଦାନ କରିବ ବୋଲି ଉଭୟ ଦେଶ ପକ୍ଷରୁ କୁହାଯାଇଥିଲା ।

ଦୁଇ ଦେଶର ଐତିହାସିକ ଗସ୍ତ ଶେଷ କରି ଗତକାଲି ରାତିରେ ଦିଲ୍ଲୀରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଦେଶ ପାଇଁ ଐତିହାସିକ ବୋଲି ବିଜେପି କହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓ ସେଠାରେ ମିଳିଥିବା ସମ୍ମାନ ସମଗ୍ର ଦେଶ ପାଇଁ ସମ୍ମାନ ବୋଲି କହିଛନ୍ତି ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି । ହେଲେ ମଣିପୁର ହିଂସା ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବାକୁ ନେଇ ବିରୋଧୀ ପ୍ରଥମ ଦିନରୁ ସାମାଲୋଚନା କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.