ETV Bharat / bharat

BSF ଗୁଳିରେ ଟଳିଲା ପାକିସ୍ତାନୀ ଅନୁପ୍ରବେଶକାରୀ

author img

By

Published : Jun 1, 2023, 11:27 AM IST

ଜମ୍ମୁ-କାଶ୍ମୀର ସାମ୍ବା ସେକ୍ଟରରେ ସେନା ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ । ଅଧିକ ପଢନ୍ତୁ

ସାମ୍ବା ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ
ସାମ୍ବା ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର: ସୀମା ସୁରକ୍ଷା ବଳର ଗୁଳିରେ ଟଳିଲା ପାକିସ୍ତାନୀ ଅନୁପ୍ରବେଶକାରୀ । ଆଜି ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛି । ବିଏସଏଫ ଯବାନଙ୍କ ଗୁଳିମାଡରେ ତା'ର ମୃତ୍ୟୁ ଘଟିଛି । ଯାହା ସୂଚନା ମିଳିଛି, ମଧ୍ୟରାତ୍ରିରେ ସମ୍ପୃକ୍ତ ଅନୁପ୍ରବେଶକାରୀ ଜଣକ ମଙ୍ଗୁ ଛକ ବଡର ଆଉଟ ପୋଷ୍ଟ ନିକଟରେ ସନ୍ଦେହଜନକ ବୁଲାବୁଲି କରୁଥିଲା । ତାକୁ ଅଟକାଇବାକୁ ଯବାନମାନେ ଗୁଳି ଚଳାଇଥିଲେ । ଏଥିରେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଯାଇଛି ।

ସୂଚନା ମୁତାବକ, ରାତି ପ୍ରାୟ ସାଢେ ୨ଟା ସମୟରେ ଏହି ପାକିସ୍ତାନୀ ଅନୁପ୍ରବେଶକାରୀ ସାମ୍ବା ସେକ୍ଟର ଅନ୍ତର୍ଗତ ଅନ୍ତର୍ଜାତୀୟ ବର୍ଡର ଅତିକ୍ରମ କରି ମଙ୍ଗୁ ଛକ ବର୍ଡର ଆଉଟ ପୋଷ୍ଟ ନିକଟରେ ବୁଲୁଥିଲା । ସେ ଯବାନମାନଙ୍କୁ ଖାତିର ନକରି ବର୍ଡର ତାରବାଡ ଆଡକୁ ଆସୁଥିଲା । ତା' ଗତିବିଧି ଉପରେ ଯବାନଙ୍କ ସନ୍ଦେହ ହୋଇଥିଲା । ଭାରତ ସୀମାରେ ତା'ର ଅନୁପ୍ରବେଶ ରୋକିବାକୁ ଯାଇ ସୀମା ସୁରକ୍ଷା ବଳ(BSF)ର ଯବାନମାନେ ଗୁଳି ଚଳାଇଥିଲେ । ଫଳରେ ଗୁଳି ଯାଇ ଅନୁପ୍ରବେଶକାରୀ ଦେହରେ ବାଜିଥିଲା ଓ ଘଟଣାସ୍ଥଳରେ ସେ ଆଖି ବୁଜିଥିଲା ।

ଏହି ଘଟଣା ପରେ ସାମ୍ବା ସେକ୍ଟରରେ ବିଏସଏଫ ସର୍ଚ୍ଚ ଅପରେସନ ଚଳାଇଛି । ଏନେଇ ବିଏସଏଫ ମୁଖପାତ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ କିଛି ଦିନ ମଧ୍ୟରେ ଜମ୍ମୁ ଡିଭିଜନର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେଖାରେ ଏହା ଦ୍ବିତୀୟ ଘଟଣା ।

ଏହାମଧ୍ୟ ପଢନ୍ତୁ : Infiltration bid foiled: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ସହ 3 ଆତଙ୍କୀ ଗିରଫ

ପ୍ରକାଶଥାଉ କି, ଗତକାଲି ଦକ୍ଷିଣ କାଶ୍ମୀର ପୁଞ୍ଚ ନିକଟବର୍ତ୍ତୀ ନିୟନ୍ତ୍ରଣା ରେଖା ନିକଟରେ ୩ ପାକିସ୍ତାନ ଆତଙ୍କୀଙ୍କୁ ଭାରତୀୟ ସେନା ଗିରଫ କରିଥିଲା । ସେମାନଙ୍କ ନିକଟରୁ ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ, ୧୦ କେଜି ଓଜନର ଏକ ଆଇଡି ଜବତ କରାଯାଇଥିଲା । ଏହି ଆତଙ୍କୀମାନେ ପାକ୍ ଅଧିକୃତ କାଶ୍ମୀରରେ ପ୍ରଶିକ୍ଷଣ ନେଇ ଭାରତରେ ଅନୁପ୍ରବେଶ କରି ଆକ୍ରମଣ ଘଟାଇବା ଯୋଜନାରେ ଥିଲେ ।

ମଙ୍ଗଳବାର ସନ୍ଧ୍ୟାରୁ ପୁଞ୍ଚ ସେକ୍ଟରରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ଦେଖିବା ମାତ୍ରେ ଭାରତୀୟ ଯବାନମାନେ ଗୁଳି ଚଳାଇଥିଲେ । ସେନା ହାତରେ ୩ ଜଣ ଧରାପଡିଥିବା ବେଳେ ଅନ୍ୟ କିଛି ଆତଙ୍କୀ ଖସି ପଳାଇବାପରେ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.